ଗର୍ଭପାତରେ ୪ର୍ଥ ଛୁଆ ମୃତ, ବିପଦରେ ସିଂହୀ ‘ବିଜ୍‌ଲି’

ବାରଙ୍ଗ,୨୫।୭(ଇମିସ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପ୍ରଥମ ଥର ପାଇଁ ମା’ ହୋଇଥିବା ୬ ବର୍ଷ ବୟସର ଏସୀୟ ସିଂହୀ ‘ବିଜ୍‌ଲି ଏବେ ବିପଦରେ। ପ୍ରସବର ଦୁଇ ଦିନ ପରେ ତା’ର ପୁଣି ଗର୍ଭପାତ ହୋଇଛି ଓ ଏକ ମୃତ ଶାବକ ଜନ୍ମ ନେଇଛି। ପ୍ରଥମରୁ ମୃତ ଶାବକ ଜନ୍ମ ଦେବା ଓ ଦୁଇ ଦିନ ବ୍ୟବଧାନରେ ପୁଣି ଗର୍ଭପାତ ହେବା ଯୋଗୁଁ ସେ ଏବେ ଯନ୍ତ୍ରଣା ଭୋଗ କରୁଛି। ତେଣୁ ତାକୁ ଏବେ ସିଂହ ସଫାରୀ ପରିସରରେ ଚିକିତ୍ସାଧୀନ ଅବସ୍ଥାରେ ରଖାଯାଇଛି। ତେଣୁ ବିଜ୍‌ଲିର ଛୁଆ ଜନ୍ମ ଦେବାର ଖୁସି ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପାଇଁ ବେଶି ସମୟ ତିଷ୍ଠି ପାରିନାହିଁ। ତେବେ ବର୍ତ୍ତମାନ ସୁଦ୍ଧା ଜୀବିତ ଥିବା ବିଜ୍‌ଲିର ଗୋଟିଏ ଶାବକକୁ ବଞ୍ଚାଇ ରଖିବାକୁ କର୍ତ୍ତୃପକ୍ଷ ଲାଗି ପଡ଼ିଛନ୍ତି।

ଗତ ୨୧ ତାରିଖରେ ବିଜ୍‌ଲି ୩ଟି ଶାବକ ଜନ୍ମ ଦେଇଥିଲା। ପ୍ରଥମ ଶିଶୁଟି ମୃତ ଅବସ୍ଥାରେ ଜନ୍ମ ହୋଇଥିବା ‌ବେଳେ ଅନ୍ୟ ଦୁଇ ଶାବକ ଜୀବିତ ଥିଲେ। ସିଂହମାନଙ୍କ କ୍ଷେତ୍ରରେ ସେମାନେ ଗର୍ଭ ଧାରଣର ୧୦୪ ଦିନରେ ପ୍ରସବ କରନ୍ତି। କିନ୍ତୁ ପ୍ରଥମ ଥର ଗର୍ଭ ଧାରଣ କରିଥିବା ବିଜ୍‌ଲି କ୍ଷେତ୍ରରେ ବ୍ୟତିକ୍ରମ ଦେଖା ଦେଇଥିଲା। ୧୦୬ ଦିନ ପରେ ସେ ପ୍ରସବ କରିଥିଲା। ଜୀବିତ ଦୁଇ ଶାବକଙ୍କୁ ମା’ ବିଜ୍‌ଲି ପାଖରୁ ନିଆଯାଇ ସ୍ବତନ୍ତ୍ର ଭାବେ ଯତ୍ନ ନିଆଯାଉଥିଲା। ପ୍ରତିଷେଧକ ଔଷଧ ସହ ପାଣିରେ ମିଶାଇ ଗୁଣ୍ଡ ଦୁଧ ଦିଆଯାଉଥିଲା।

ମାତ୍ର ଦୁର୍ଭାଗ୍ୟବଶତଃ ସେଥିରୁ ଗୋଟିଏ ଶାବକର ମୃତ୍ୟୁ ଘଟିଥିଲା। ମରି ଯାଇଥିବା ଉକ୍ତ ଶାବକଟି ଅଣ୍ଡିରା ଥିଲା। ତିନି ଶାବକ ଜନ୍ମ ହେବା ପରେ ବି ବିଜ୍‌ଲି ଅସୁସ୍ଥ ଥିବା ଜଣାପଡ଼ୁଥିଲା। ହଠାତ୍ ତା’ର ଗର୍ଭପାତ ହେଲା ଓ ଆଉ ଗୋଟିଏ ମୃତ ଶାବକ ଜନ୍ମ ହୋଇଥିଲା। ତେଣୁ ପ୍ରଥମ ଗର୍ଭରେ ସେ ୪ଟି ସନ୍ତାନ ଧାରଣ କରିଥିବା ସ୍ପଷ୍ଟ ହୋଇଥିଲା। ଏହି ଗର୍ଭପାତ ପରେ ତା’ ଅବସ୍ଥା ଖରାପ ହୋଇ ଯାଇଛି। ଗର୍ଭ ସମସ୍ୟାରୁ ସେ ଅସୁସ୍ଥ ହୋଇପଡ଼ିଛି। ସେ ଭଲରେ ଚଳପ୍ରଚଳ ହୋଇପାରୁନାହିଁ। ଅତିଶୟ କ୍ଲାନ୍ତ ଅବସ୍ଥାରେ ଶୋଇ ରହୁଛି। ତେଣୁ ଏବେ ତାକୁ ସ୍ବତନ୍ତ୍ର ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି। ସୂଚନାଯୋଗ୍ୟ ମଧ୍ୟପ୍ରଦେଶ ଇନ୍ଦୋର ପ୍ରାଣୀ ଉଦ୍ୟାନରୁ ବିଜ୍‌ଲିକୁ ଅଣା ଯାଇଥିଲା ଓ ଏସୀୟ ସିଂହ ସମ୍ରାଟ୍‌ ସହ ମିଳନ ହେବା ପରେ ସେ ଗର୍ଭଧାରଣ କରିଥିଲା।

ସମ୍ବନ୍ଧିତ ଖବର