ଭୁବନେଶ୍ବର: ସଟ୍ଡାଉନ୍ରେ ରାଜଧାନୀରେ ଚାଲିଥିଲା ମଦଲୀଳା। ଲୁଚାଛପାରେ ବାର୍ରେ ଚାଲିଥିଲା ମଦ ବେପାର। ଦେଢ଼ ଶହ ଟଙ୍କା ମଦକୁ ୫ଶହ ଟଙ୍କାରେ ବିକ୍ରି ହେଉଥିଲା। ସହରଠାରୁ ଦୂର ଭୁବନେଶ୍ବର-ପୁରୀ ବାଇପାସ୍ରେ ଏକ ବାର୍ରେ ଏଭଳି ଢଙ୍ଗରେ ଚାଲିଥିବା ମଦ ବେପାରର ପର୍ଦ୍ଦାଫାସ୍ କରିଛି ସ୍ପେସାଲ ସ୍କ୍ବାଡ୍। ଆଜି ରାତିରେ କାସଲ୍-ଇନ୍ ବାର୍ ଓ ରେସ୍ତୋରାଁରେ ସ୍ପେସାଲ ସ୍କ୍ବାଡ୍ ଚଢ଼ଉ କରିବା ସହ ୫୪ ବୋତଲ ବିଦେଶୀ ଓ ୨୦ ବୋତଲ ବ୍ରିଜର୍ ଜବତ କରିଛି। ଏହି ଘଟଣାରେ ସହିଦନଗର ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।
ସୂଚନା ଅନୁସାରେ, ଭୁବନେଶ୍ବର-ପୁରୀ ବାଇପାସ୍ର ଟଙ୍କପାଣି ସାଇ ମନ୍ଦିରଠାରୁ ଅଳ୍ପ ଦୂରରେ ଥିବା କାସଲ୍-ଇନ୍ ବାର୍ରେ ମଦ ବିକ୍ରି ଚାଲୁଥିବା ନେଇ ସ୍ପେସାଲ୍ ସ୍କ୍ବାଡ୍ ପାଖରେ ଖବର ପହଞ୍ଚିଥିଲା। ସ୍କ୍ବାଡ୍ର ଜଣେ ସଦସ୍ୟ ଗ୍ରାହକ ବେଶରେ ସେଠାରେ ପହଞ୍ଚିଥିଲେ। ମଦ କିଣିବା ଲାଗି ବାର କର୍ମଚାରୀଙ୍କୁ ୫ଶହ ଟଙ୍କା ଦେଇଥିଲେ। ବାର୍ କର୍ମଚାରୀ ମଦ ଦେବା ପରେ ପୂର୍ବରୁ ସେଠାରେ ପ୍ରସ୍ତୁତ ଥିବା ସ୍ପେସାଲ ସ୍କ୍ବାଡ୍ ଚଢ଼ଉ କରିଥିଲା। ସଟ୍ଡାଉନ୍ରେ କେବଳ ମେଡିସିନ୍ ଦୋକାନକୁ ବାଦ୍ ଦେଲେ ଅନ୍ୟ ସବୁ ବନ୍ଦ ରହିଛି। କିନ୍ତୁ ଏହି ବାର୍ ନିୟମ ଉଲ୍ଲଂଘନ କରି ମଦ ବିକ୍ରି କରୁଥିଲା। ଚାରି ଗୁଣା ଦାମରେ ବାର୍ କର୍ମଚାରୀ ମଦ ବିକ୍ରି କରୁଥିଲେ ବୋଲି ପୁଲିସ ଜାଣିବାକୁ ପାଇଛି। ଏ ସଂକ୍ରାନ୍ତରେ ସହିଦନଗର ଥାନା ପୁଲିସ ମାମଲା ରୁଜୁ କରିଛି। ନିୟମ ଉଲ୍ଲଂଘନ କରିଥିବାରୁ ବାର୍କୁ ସିଲ୍ କରିବାକୁ ବିଚାରବିମର୍ଶ କରୁଛି ପୁଲିସ। ଅନ୍ୟପକ୍ଷରେ ଏ ନେଇ ଅବକାରୀ ଅଧୀକ୍ଷକଙ୍କୁ ପୁଲିସ୍ ଚିଠି ଲେଖିବ। ବାର୍ରେ କେତେ ପରିମାଣର ମଦ ରହିଥିଲା, ଷ୍ଟକ୍ ଯାଞ୍ଚ କରିବା ସହ ଅବକାରୀ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚିଠି ଲେଖାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଲକ୍ଡାଉନ୍ ସମୟରେ ସମସ୍ତ ନୀତି ନିୟମକୁ ଉଲ୍ଲଂଘନ କରି ମଦ ବିକ୍ରି କରୁଥିବା ଅଭିଯୋଗରେ ଗତ ମେ’ ୨୩ ତାରିଖରେ କଟକ ରୋଡ୍ରେ ଥିବା ରେନ୍ ଦ କ୍ଲବରେ ଚଢ଼ଉ କରିଥିଲା କୁଇକ୍ ଆକ୍ସନ ଟିମ୍। ବିପୁଳ ପରିମାଣର ମଦ ଜବତ ହୋଇଥିଲା।