ଲକ୍‌ଡାଉନରେ ଜୋର୍‌ଦାର ଚାଲିବ ଚୋରା ମଦ ବେପାର! ବୋହିନେଲେ ପେଟି ପେଟି ମଦ

ଦିନରେ ଲାଗିଲା ଗହଳି, ଦୋକାନୀ ବିକିଲେ, ପୁଲିସ ଛକିଲେ

ଭୁବନେଶ୍ବର: ଆଉ ମାତ୍ର ଗୋଟିଏ ଦିନ ପରେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ୧୫ ଦିନିଆ ଲକଡାଉନ୍। ଗ୍ରୋସରି, ପନିପରିବା, ଆମିଷ, କ୍ଷୀର ଭଳି ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ିଦେଲେ ବାକି ସବୁ ଦୋକାନବଜାର ବନ୍ଦ ରହିବ। ମଦ ଦୋକାନରେ ମଧ୍ୟ ତାଲା ପଡ଼ିବ। ତେଣୁ ଲକଡାଉନ୍‌ରେ ଚୋରା ମଦ କାରବାର କରିବାକୁ ଏବେଠାରୁ ବେପାରୀ ପ୍ରସ୍ତୁତ ହୋଇଗଲେଣି। ଆଜି ରାଜଧାନୀର ବିଭିନ୍ନ ମଦ ଦୋକାନ ଚିତ୍ର ଥିଲା କିଛି ଭିନ୍ନ। ସାଧାରଣତଃ ସନ୍ଧ୍ୟା ପରେ ଯେଉଁ ମଦ ଦୋକାନ ଆଗରେ ଭିଡ଼ ଲାଗେ, ସେଠାରେ ଆଜି ଦିନରେ ଲାଗିଥିଲା ଲମ୍ବା ଲାଇନ୍। ମଞ୍ଚେଶ୍ବର, ସିଆର୍‌ପି, ଖଣ୍ଡଗିରି, ଆଇଗିଣିଆ, କଟକରୋଡ୍‌, ଜନପଥ ସମେତ ବିଭିନ୍ନ ଦୋକାନରେ ଆଜି ଲୋକଙ୍କ ଲାଇନ୍ ଲାଗିଥିଲା। ଅନେକ ଲୋକ କାର୍‌, ବାଇକ୍‌ ଓ ସାଇକେଲରେ ପେଟି ପେଟି ମଦ ବୋହି ନେଇଥିଲେ। ଯୁବତୀମାନେ ମଧ୍ୟ ମଦ ନେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା।

କିଏ ପିଇବା ପାଇଁ ନେଉଥିଲା ତ ଆଉ କିଏ କଳାବଜାର କରିବାକୁ। ତେଣୁ ଏଥିରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ପୂର୍ବଥର ଭଳି ଏଥର ମଧ୍ୟ ଲକ୍‌ଡାଉନ୍‌ରେ ଚୋରା ମଦ କାରବାର ଜୋରଦାର ଚାଲିବ। ଗୋଟିଏ ଗୋଟିଏ ଦୋକାନରେ ପ୍ରାୟ ୫୦ମିଟର ପର୍ଯ୍ୟନ୍ତ ଲାଇନ୍ ଲାଗିଥିଲା। କେତେକ ସ୍ଥାନରେ ପ୍ରବଳ ଭିଡ଼ ସହ ଠେଲାପେଲା ହୋଇଥିଲା। କେତେକ ସ୍ଥାନରେ ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ପାଟ୍ରୋଲିଂ କରିଥିଲା। ଅନ୍ୟପକ୍ଷରେ ପେଟ୍ରୋଲ ପମ୍ପ ଖୋଲା ରହୁଥିଲେ ମଧ୍ୟ ତେଲ ପକାଇବା ପାଇଁ ଲମ୍ବା ଲାଇନ ଲାଗିଥିଲା। ତେଜରାତି ଦୋକାନ ଆଗରେ ମଧ୍ୟ ଲୋକେ ଲାଇନ୍‌ ଲଗାଇଥିଲେ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲକ୍‌ଡାଉନ ନେଇ ରାଜ୍ୟ ସରକାରଙ୍କ ଘୋଷଣା ପରେ ଚୋରା ମଦ ବେପାରୀମାନେ ଦୋକାନରୁ ବିପୁଳ ପରିମାଣର ମଦ କିଣି ମହଜୁଦ୍ ରଖିଛନ୍ତି। ସେହିପରି ରାଜଧାନୀ ଉପକଣ୍ଠ ହଂସପାଳ ଓ ଖୋର୍ଦ୍ଧାରେ ତିଆରି ହେଉଥିବା ନକଲି ମଦ ମଧ୍ୟ ଆଣିଛନ୍ତି। ଲୁଚା ଛପାରେ ସେଗୁଡ଼ିକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି। ରାଜଧାନୀର ମଞ୍ଚେଶ୍ବର, ସହିଦନଗର, ନୂଆପଲ୍ଲୀ, ଖାରବେଳନଗର, ଖଣ୍ଡଗିରି, ଲକ୍ଷ୍ମୀସାଗର, ବଡ଼ଗଡ଼, କ୍ୟାପିଟାଲ, ଶ୍ରୀଲିଙ୍ଗରାଜ, ଧଉଳି, ଏୟାରପୋର୍ଟ, ଏୟାରଫିଲ୍ଡ, ଚନ୍ଦ୍ରଶେଖରପୁର, ଇନଫୋସିଟି ପ୍ରାୟ ସବୁଥାନା ଅଞ୍ଚଳରେ ଏହି ଚୋରା ମଦ କାରବାର ଆରମ୍ଭ ହୋଇ ଗଲାଣି। ପୁଲିସ ଛକ ଓ ମୁଖ୍ୟ ରାସ୍ତାରେ ଚେକିଂ କରୁଥିବା ବେଳେ ଗଳିକନ୍ଦି ରାସ୍ତାରେ ବିକ୍ରି ଚାଲିଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ଲକଡାଉନ୍, ସଟଡାଉନ୍ ସମୟରେ ରାଜଧାନୀ ସମେତ ସାରା ରାଜ୍ୟରେ ବିପୁଳ ପରିମାଣରେ ଚୋରା ମଦ ବେପାର ଚାଲିଥିଲା। କୋଟି କୋଟି ଟଙ୍କା ଲୁଟିଥିଲେ ମଦ ମାଫିଆ। ଖାଲି ସେତିକି ନୁହେଁ କେତେକ ସ୍ଥାନରେ ଲାଇସେନ୍ସପ୍ରାପ୍ତ ଦୋକାନୀ ମଦ ମାଫିଆଙ୍କ ସହ ହାତ ମିଳାଇଥିଲେ। ପୁଲିସର ଗିରଫଦାରୀ ସମୟରେ ଏ ସବୁ ପଦାକୁ ଆସିଥିଲା। ରାଜଧାନୀରେ ଦୁଇଟି ବାର୍‌ ନିୟମ ଉଲ୍ଲଂଘନ କରି ମଦ ବିକ୍ରି କରୁଥିବା ବେଳେ ଧରା ପଡ଼ିଥିଲେ। ଗତବର୍ଷ ଲକଡାଉନ୍ ସମୟରେ ହଜାର ହଜାର ଲିଟର ଚୋରା ବିଦେଶୀ ଓ ଦେଶୀ ମଦ ଜବତ ହୋଇଥିଲା।

ଦୋକାନୀ ବିକିଲେ, ପୁଲିସ ଛକିଲେ
ଆସନ୍ତା ୫ ତାରିଖରୁ ହେବାକୁ ଥିବା ୧୫ଦିନିଆ ଲକଡାଉନ୍ ପାଇଁ ଆଜି ଲୋକ ମଦ ବୋହି ନେଉଥିବା ଦେଖିବାକୁ ମିଳିଥିଲା। ରାଜଧାନୀର ବିଭିନ୍ନ ମଦ କାଉଣ୍ଟରର ଆଗରେ ଗହଳି ଲାଗିଥିଲେ ବି ସାମାଜିକ ଦୂରତ୍ବ ଓ ମାସ୍କ ଚେକିଂ ଉପରେ ଗୁରୁତ୍ବ ଦେଇଥିଲା ସ୍ଥାନୀୟ ଥାନା ପୁଲିସ। ମଦ କାଉଣ୍ଟର ନିକଟରେ ପୁଲିସ ପଇଁତରା ମାରିଥିଲା। ଦୋକାନରୁ ଦୁଇ ତିନି ବୋତଲରୁ ଅଧିକ ମଦ କିଣିକି ଆଣୁଥିବା ଲୋକଙ୍କଠାରୁ ପୁଲିସ ଜବତ କରିଥିବା ଦେଖିବାକୁ ମିଳିଛି। ଅଧିକାଂଶ ଲୋକ ପେଟି ପେଟି ମଦ ବୋହି ନେଉଥିବା ବେଳେ ହାତଗଣତି ଲୋକଙ୍କଠାରୁ ପୁଲିସ ମଦ ଜବତ କରିଛି। ଏହା ପଛର ଉଦ୍ଦେଶ୍ୟ କ’ଣ, ତାହା ବୁଝାପଡ଼ୁ ନାହିଁ। ଯେଉଁଠି ମଦ ବିକ୍ରି ହେଉଛି, ସେଠି କିଣୁଥିବା ଲୋକଙ୍କଠାରୁ ପୁଲିସ୍‌ କାହିଁକି ଜବତ କରୁଛି ବୋଲି ଦୋକାନ ନିକଟରେ ଚର୍ଚ୍ଚା ହେଉଥିଲା।

ସମ୍ବନ୍ଧିତ ଖବର