ଭୁବନେଶ୍ବର: ବିଲଡର୍ ନିରଞ୍ଜନ ରଣାଙ୍କୁ ସହିଦନଗର ପୁଲିସ ଗିରଫ କରିବା ପରେ ତାଙ୍କ ବିରୋଧରେ ଆହୁରି ଅଭିଯୋଗର ଫର୍ଦ୍ଦ ବଢ଼ିବାରେ ଲାଗିଛି। ଜମି ଦେବା ନାଁରେ ପ୍ରାୟ ୧୩ଲକ୍ଷ ଟଙ୍କା ଚଳୁ କରିଥିବା ଅଭିଯୋଗରେ ଇଓଡବ୍ଲୁରେ ୬ଜଣ ଏତଲା ଦେଇଛନ୍ତି। ଦୀର୍ଘ ୨୧ ବର୍ଷ ତଳୁ ଏହି ଜମି ଦେବା ପାଇଁ ଏହି ଚୁକ୍ତି ହୋଇଥିଲେ ହେଁ ଆଜିକାଲି କହି ନିରଞ୍ଜନ ଲୋକଙ୍କୁ ଭଣ୍ଡାଉଥିଲେ। ଏମିତି ଲୁଚକାଳି ଖେଳ ଭିତରେ ନିରଞ୍ଜନ ନିକଟରେ ଗିରଫ ହେବା ପରେ ତାଙ୍କ ବିରୋଧରେ ଫେରାଦ ଦେଇଛନ୍ତି ୬ ଅଭିଯୋଗକାରୀ।
ମିଳିଥିବା ସୂଚନା ମୁତାବକ ଗତ ୨୦୦୦ ମସିହାରୁ ନିରଂଜନ ପ୍ରିୟବ୍ରତ ରାଉତଙ୍କୁ ୨ହଜାର ବର୍ଗଫୁଟ ଜାଗା ଦେବା ପାଇଁ କିସ୍ତିରେ ୨ଲକ୍ଷ ୩୦ହଜାର ଟଙ୍କା ନେଇଥିଲେ। ଏହା ପରେ ଶାସ୍ତ୍ରୀନଗର ଅତୁଲ ସିହ୍ନାଙ୍କଠାରୁ ମଧ୍ୟ ସମାନ କଥା କହି ୨ଲକ୍ଷ ୩୦ହଜାର ଟଙ୍କା ନେଇଥିବା ବେଳେ ପ୍ରସନ୍ନ ଦାଶ, ସସ୍ମିତା ମିଶ୍ର, ଜ୍ୟୋତିର୍ମୟୀ ବଟୁ ଓ ଦୀପକ କୁମାର ଆଚାର୍ଯ୍ୟଙ୍କ ଠାରୁ ୧୫୦ବର୍ଗଫୁଟ୍ ଲେଖାଏଁ ଜାଗା ଦେବେ କହି ଲକ୍ଷେ ୯୩ହଜାର ଟଙ୍କା ଲେଖାଏଁ ନେଇଥିଲେ। ୨୦୦୭ ସୁଦ୍ଧା ସଂପୂର୍ଣ୍ଣ କିସ୍ତି ଦିଆଯିବା ପରେ ଜାଗା ପଂଜୀକରଣ କଥା ଉଠିଲା, ନିରଂଜନ ଆଉ ଅଭିଯୋଗକାରୀଙ୍କୁ ଧରାଛୁଆଁ ଦେଇନଥିଲେ। ଟଙ୍କା ନଦେଲେ ଥାନାକୁ ଯିବେ କହିବାରୁ ପୂର୍ବରୁ ଏକ ବିକ୍ରି ହୋଇସାରିଥିବା ପ୍ଲଟ୍ ଦେଖାଇ ସମସ୍ତଙ୍କୁ ଭୂତାଇଥିଲେ। ଏମିତି ଦୀର୍ଘ ବର୍ଷ ଠକିବା ପରେ ନିରଂଜନଙ୍କ ଗିରଫ ହେବା ପରେ ଆଜି ୬ ଅଭିଯୋଗକାରୀ ଇଓଡବ୍ଲୁର ଦ୍ବାରସ୍ଥ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/hsf5h6f5s6h5fs6h5fs65h6fsh56fh.jpg)