ସ୍ଥାନୀୟ ସଂକ୍ରମିତଙ୍କ ତାଲିକା ଲମ୍ବୁଛି, ଲକ୍ଷ୍ମୀବଜାର ବସ୍ତିରୁ ବାହାରିଲେଣି ୧୩ ପଜିଟିଭ୍

ଗୁଜୁରାଟ ଫେରନ୍ତା ଶିଶୁପୁତ୍ର କରୋନା ପଜିଟିଭ୍‌

ଭୁବନେଶ୍ବର: ରାଜଧାନୀରେ ଚିନ୍ତା ବଢ଼ାଇଲେଣି ସ୍ଥାନୀୟ ସଂକ୍ରମିତ। ପ୍ରତ୍ୟେକ ଦିନ ରାଜଧାନୀରୁ ବହୁ ସଂଖ୍ୟାରେ ସ୍ଥାନୀୟ ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି। ଗୋଟିଏ ଗୋଟିଏ ସ୍ଥାନରେ ଏକପ୍ରକାର ହଟସ୍ପଟ୍‌ ପାଲଟୁଛି। ଗତ ୨୪ଘଣ୍ଟାରେ ରାଜଧାନୀରେ ୬ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସଂଖ୍ୟା ୩୨୦ରେ ପହଞ୍ଚିଛି। ବିଏମ୍‌ସି ଅଞ୍ଚଳରେ ଆଜି ୬ଜଣ ଚିହ୍ନଟ ହୋଇଛନ୍ତି। ରେଳବାଇର ନୂଆଦିଲ୍ଲୀ ଫେରନ୍ତା ୫୬ବର୍ଷର ଆକ୍ରାନ୍ତ ଅଛନ୍ତି। ମାତ୍ର ୫ଜଣ ସ୍ଥାନୀୟ ରୋଗୀଙ୍କ ମଧ୍ୟରୁ ୩ଜଣ ବସ୍ତିରୁ ରହିଛନ୍ତି। ଶିରିପୁର ନିକଟସ୍ଥ ଲକ୍ଷ୍ମୀବଜାର ବସ୍ତିରୁ ୩ଜଣ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ସେଠାରୁ ୧୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଏହାବାଦ୍ ବମିଖାଲ କେନାଲ ରୋଡ୍‌ରୁ ଜଣେ ୧୩ବର୍ଷର ବାଳକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ କିଛିଦିନ ଧରି ବମିଖାଲ ଅଞ୍ଚଳରେ କେହି ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ। ଏହାସହ ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ୩୨ବର୍ଷର ଜଣେ ଯୁବକ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ରାଜଧାନୀରେ ଏବେ ୧୮୫ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୩୦ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି।

କରୋନା ଲଢ଼େଇରେ ବିପଦରେ ପୁଲିସ, କଣ୍ଟେନମେଣ୍ଟ ଜୋନ୍‌କୁ ଗଲେ ପିନ୍ଧିବେ ପିପିଇ କିଟ୍‌, ଓଜନ କମାଇବେ
ଭୁବନେଶ୍ବର: କୋଭିଡ୍‌-୧୯ ବିରୋଧ‌ରେ ଚାଲିଥିବା ଲଢ଼େଇରେ କରୋନା ଯୋଦ୍ଧା ଭାବରେ ପୁଲିସ ଉଭା ହୋଇଛି। ସଂକ୍ରମଣରୁ ବର୍ତ୍ତିବା ପାଇଁ ଡାକ୍ତରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ବେଳେ ପୁଲିସମାନଙ୍କ ପାଇଁ ଏଭଳି ପ୍ରାବଧାନ ନାହିଁ। ପୁଲିସ କର୍ମଚାରୀ ନିଜକୁ ବଳିଷ୍ଠ ଓ ଶାରୀରିକ ଭାବେ ସୁସ୍ଥ ଭାବୁଥିବାରୁ ସଂକ୍ରମଣ ଆଶଙ୍କାକୁ ଭ୍ରୁକ୍ଷେପ କରନ୍ତି ନାହିଁ। ଏଣୁ ପୁଲିସ ପାଇଁ ସଂକ୍ରମଣ ଭୟ ସବୁଠାରୁ ଅଧିକ ରହିଛି। ଏବେ ଭୁବନେଶ୍ବରରେ ସଂକ୍ରମଣ ବ୍ୟାପୁଥିବାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କର୍ମକ୍ଷେତ୍ରରେ ଥିବା କର୍ମଚାରୀମାନଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି ହୋଇଛି। ପୁଲିସ କମିସନର ଜାରି କରିଥିବା ନିର୍ଦ୍ଦେଶାବଳୀରେ କଣ୍ଟେନମେଣ୍ଟ ଜୋନ୍‌କୁ ଯାଉଥିବା ପୁଲିସ କର୍ମଚାରୀ ପିପିଇ କିଟ୍‌ ପରିଧାନ କରି ନିଜକୁ ସୁରକ୍ଷିତ ରଖିବା ପାଇଁ ବାଧ୍ୟତାମୂଳକ କରାଯାଇଛି। ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିଜ ଓଜନ କମାଇବାକୁ କୁହାଯାଇଛି। ସବୁବେଳେ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ନିର୍ଦ୍ଦେଶାବଳୀ ମୁତାବକ, ଯେଉଁମାନଙ୍କର ବୟସ ୫୫ରୁ ଊର୍ଦ୍ଧ୍ବ ଓ ରକ୍ତଚାପ, କିଡ୍‌ନୀ ରୋଗରେ ପୀଡ଼ିତ ସେମାନଙ୍କୁ ଘରେ କାମ କରିବାକୁ କୁହାଯାଇଛି। ଗର୍ଭବତୀ କର୍ମଚାରୀଙ୍କୁ ମଧ୍ୟ ବାରଣ କରାଯାଇଛି। ଥଣ୍ଡା, କାଶ ଲକ୍ଷଣ ଥିଲେ ଡାକ୍ତରଙ୍କ ପରାମର୍ଶ କରି ଘରେ ରହିବେ। ପ୍ରତ୍ୟେକ ଦିନ ଏହି ଅସୁସ୍ଥଙ୍କ ହିସାବ ପୁଲିସ ମେଡିକାଲ ଅଫିସରଙ୍କୁ ଯିବ। ସମସ୍ତ କର୍ମଚାରୀ ପାଖରେ ସାନିଟାଇଜର ରଖିବେ। ସମସ୍ତେ ଚଷମା ଓ ଫେସ୍‌ସିଲ୍ଡ ବ୍ୟବହାର କରିବେ। ପ୍ରବାସୀଙ୍କ ସଂଶର୍ସ୍ପରେ ଆସୁଥିବା କର୍ମଚାରୀ ପାଖକୁ ନ ଯାଇ ମାଇକ୍‌ ବ୍ୟବହାର କରି ଦୂରରୁ କଥା ହେବେ। ବାରାକ୍‌ରେ ପଡ଼ିଥିବା ଖଟ ମଧ୍ୟ ୬ ଫୁଟ୍‌ର ବ୍ୟବଧାନ ରହିବ। ଖାଇବା ‌ବେଳେ ମଧ୍ୟ ଅନୁରୂପ ବ୍ୟବଧାନ ରହିବ। କେହି କାହାର ତଉଲିଆ ବା ଅନ୍ୟ କୌଣସି ଜିନିଷ ବ୍ୟବହାର କରିବେ ନାହିଁ। ଜଣେ ବ୍ୟବହାର କରିବାର ୧୫ ମିନିଟ୍‌ ପରେ ପାଇଖାନା ବ୍ୟବହାର ହେବ ବୋଲି କୁହାଯାଇଛି।

ଗୁଜୁରାଟ ଫେରନ୍ତା ଶିଶୁପୁତ୍ର କରୋନା ପଜିଟିଭ୍‌
ବାଲିଅନ୍ତା: ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ବାଲିଅନ୍ତା ବ୍ଲକର ସରକଣା ପଞ୍ଚାୟତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ପୂର୍ବରୁ ଏହି ପଞ୍ଚାୟତରୁ ୨ ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା ଓ ସେମାନେ ଏବେ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଆଜି ସେହି ପଞ୍ଚାୟତରୁ ଜଣେ ୨ ବର୍ଷର ଶିଶୁ କରୋନା ପଜିଟିଭ୍‌ ବୋଲି ଜଣାପଡ଼ିଛି। ତାକୁ ତୁରନ୍ତ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାନୁସାରେ ଗତ ୨୬ ତାରିଖରେ ଶିଶୁଟିର ବାପା-ମା’ ଗୁଜୁରାଟରୁ ଫେରି ହୀରାପୁର ସଂଗରୋଧ କେନ୍ଦ୍ରରେ ଥିଲେ। ଶିଶୁଟି ମଧ୍ୟ ସେମାନଙ୍କ ସହ ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ଥିଲା। ଏହି ପଞ୍ଚାୟତରେ ପୂର୍ବରୁ ପ୍ରଥମେ ଜଣେ ଯୁବତୀଙ୍କ ସ୍ବାବ୍ ନମୁନା ଯାଞ୍ଚ ହେବା ପରେ ରିପୋର୍ଟରୁ ସେ କରୋନା ପଜିଟିଭ୍‌ ବୋଲି ଚିହ୍ନଟ ହୋଇଥିଲେ। ଗତକାଲି ଶିଶୁପୁତ୍ରଟିର ବାପାଙ୍କର ସ୍ବାବ୍‌ ନମୁନା ଯାଞ୍ଚ କରାଯାଇଥିଲା ଓ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଆଜି ଶିଶୁର ରିପୋର୍ଟ ସ୍ବାସ୍ଥ୍ୟ ବିଭାଗର ହସ୍ତଗତ ହୋଇଛି। ତେଣୁ ଏବେ ଶିଶୁଟିର ମା’ଙ୍କ ଉପରେ ନଜର ରହିଛି। ସେ ମଧ୍ୟ କରୋନା ପଜିଟିଭ୍‌ ହୋଇଥିବା ସନ୍ଦେହ କରାଯାଉଛି।

ସମ୍ବନ୍ଧିତ ଖବର