ଭୁବନେଶ୍ବର: ଅନେକ ଛୋଟ ପିଲା ପାଠ ନପଢ଼ି କାମ କାହିଁକି କରନ୍ତି? ସ୍ପିରିଟ୍‌ କଲ୍‌ କେମିତି ହୁଏ? ବଡ଼ ହେଲେ ପୁଅ ପିଲାଙ୍କର ଦାଢ଼ି କାହିଁକି ଉଠେ? କେହି ଆତ୍ମହତ୍ୟା କାହିଁକି କରେ? ବୃଦ୍ଧାଶ୍ରମ ମାନେ କଣ? ନଅ ଦଶ ବର୍ଷର ଶିଶୁ, ସମ୍ପର୍କ ମନରେ ଏମିତି ଅସୁମାରି ପ୍ରଶ୍ନ। ସକାଳୁ ନିଦ ଭାଙ୍ଗିବାଠୁ ସ୍କୁଲ ଯିବା ଯାଏଁ , ପାପା ଅଫିସରୁ ଫେରିବା ପରେ ଆଖିକୁ ନିଦ ନ ଆସିବା ଯାଏଁ, ଏମିତି କେତେ କଣ କଥା ପଚାରି ଅସ୍ତବ୍ୟସ୍ତ କରିପକାଏ ସମ୍ପର୍କ। ଯେତେ କ୍ଳାନ୍ତ ଥିଲେବି ନିଜର ଗୋଟିଏ ବୋଲି ପୁଅର ସବୁ ଅବୁଝା କଥାକୁ ଗୋଟି ଗୋଟି କରି ବୁଝି, ତାର ସମାଧାନ କରିବା ପାଇଁ ଚେଷ୍ଟା କରନ୍ତି ସମ୍ପର୍କର ପାପା, ସଂଗ୍ରାମ। କେବେ କେବେ ବିଗିଡ଼ି ଯାଆନ୍ତି, ପର ମୁହୂର୍ତ୍ତରେ, ଭାଙ୍ଗି ଯାଇଥିବା ପୁଅର ମନକୁ ସଜାଡ଼ି ନିଅନ୍ତି। ଆଉ ସମ୍ପର୍କ; ପାପାମାମାଙ୍କ ପାଖରେ ଅଝଟ ଯେତିକି, ସେମାନଙ୍କ ପାଇଁ ତାର ସ୍ନେହ ବି ସେତିକି। ଏଇ ହେଉଛି ମୋଟାମୋଟି ଜୁଲାଇ ୧ ତାରିଖରୁ ରେଡ଼ିଓ ଚକ୍‌ଲେଟ୍‌ରେ ଆରମ୍ଭ ହୋଇଥିବା ରେଡ଼ିଓ ସିରିଜ ‘ଆରେ ପାପା’ର ବିଷୟବସ୍ତୁ।

Advertisment

୨୦୨୧ରେ ରେଡ଼ିଓରେ ଗୃହିଣୀମାନଙ୍କ ପାଇଁ ନାଟକୀୟ ଢଙ୍ଗରେ ଏକ ରେଡ଼ିଓ ସିରିଜ ପ୍ରସ୍ତୁତ କରିବା ପାଇଁ ଇଛା କରିଥିଲେ ତନୟା ପଟ୍ଟନାୟକ। ଆଉ ତାଙ୍କର ଏହି ଅଭିନବ ପରିକଳ୍ପନାରେ ଆରମ୍ଭ ହେଲା " ଡାଏରୀ ଅଫ୍‌ ଏ ହାଉସ୍‌ ୱାଇଫ୍‌।" ଟେଲିଭିଜନ୍‌ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ତଥା ଜଣାଶୁଣା ଭଏସ୍‌ ଓଭର ଆର୍ଟିଷ୍ଟ ରାକ୍ଷୀଙ୍କ ସ୍ୱରରେ ଏହି କାର୍ଯ୍ୟକ୍ରମ ସେତେବେଳେ ଖୁବ୍‌ ଆଦୃତ ହୋଇଥିଲା। ଏକ ବ୍ୟବଧାନ ପରେ ରେଡ଼ିଓ ଚକ୍‌ଲେଟ୍‌ରେ ଆର୍‌ଜେ ସଂଗ୍ରାମ ଓ ଅଭିନେତ୍ରୀ ଅନିଶାଙ୍କ ସ୍ୱରରେ ପ୍ରସାରିତ ହୋଇଥିଲା ଦ୍ୱିତୀୟ ସିରିଜ "ଲଭ ଆଫ୍ଟର ମ୍ୟାରେଜ।" ଏଥର ଭିନ୍ନ ଏକ ସାଜସଜା ସହ ପୂର୍ବଥର ମାନଙ୍କ ପରି ପ୍ରିୟ ଶ୍ରୋତାଙ୍କ ମନ ମୋହିବା ପାଇଁ ରେଡ଼ିଓ ଚକ୍‌ଲେଟ୍ ରେ ପ୍ରସାରିତ ହେଉଛି ‘‘ଆରେ ପାପା’’।

‘ଆରେ ପାପା’ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଶିଶୁ କଳାକାର ମାଷ୍ଟର ସମ୍ପର୍କ। ସମ୍ପର୍କଙ୍କ ସଂଳାପ କହିବାର ଶୈଳୀ, ମଧୁର ସ୍ୱର ସମସ୍ତଙ୍କୁ କିମିଆ କରିଛି। ସମ୍ପର୍କ ଆଉ ଆର୍‌ଜେ ସଂଗ୍ରାମଙ୍କ ବାର୍ତ୍ତାଳାପ ଗୁଡ଼ିକ ଶୁଣିଲା ବେଳେ, ଆଖି ଆଗରେ ବାସ୍ତବରେ ଘଟିଗଲା ପରି ମନେହେଉଛି। ଏହାର ଆଉ ଏକ ପ୍ରମୁଖ ଶ୍ରେୟର ହକ୍‌ଦାର ହେଉଛନ୍ତି ଲେଖକ ଗୁରୁ ଶତପଥୀ। ଉପାଦେୟ ବିଷୟ ମାନ ବାଛିବା ସହ ଲେଖା ଗୁଡ଼ିକ କିପରି ମନୋରଞ୍ଜନଧର୍ମୀ ହୋଇପାରିବ, ସେଥିପାଇଁ ସେ ଯଥେଷ୍ଟ ଯତ୍ନ କରିଛନ୍ତି। ସୌମିତ୍ରୀ ପଲାଇ, ଶ୍ରୀକାନ୍ତ ଓ ସତ୍ୟ ଏହାର ସାଉଣ୍ଡ ପ୍ୟାକେଜିଂ କରିଛନ୍ତି। ଆର୍‌ଜେ ପୂଜା ଅତିଥି କଳାକାର ଭାବେ ଏଥିରେ ସ୍ୱର ଦାନ କରିଛନ୍ତି। ଶ୍ରୋତାମାନେ ‘ଆରେ ପାପା’ ରେଡ଼ିଓ ଚ୍‌କଲେଟ୍ ୧୦୪ ଏଫ୍‌ଏମ୍‌ରେ ଶୁଣିପାରିବେ ଶୁକ୍ର, ଶନି ଓ ରବିବାର ରାତି ଆଠଟାରେ। ଏହାର ପୁନଃପ୍ରସାରଣ ହେଉଛି ସୋମ, ମଙ୍ଗଳ, ବୁଧ ବାର ଦିନ ରାତି ଆଠଟାରେ। ଏହା ଛଡ଼ା ରେଡ଼ିଓ ଚକ୍‌ଲେଟ୍‌ର ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ମଧ୍ୟ ପ୍ରତିଟି ଏପିସୋଡ୍‌ ଉପଲବ୍ଧ।