ବାଲିପାଟଣା: ବର୍ଷେରୁ ଅଧିକ ସମୟ ହେଲାଣି ବାଲିପାଟଣା ବ୍ଲକ କାର୍ଯ୍ୟାଳୟ ପରିସରସ୍ଥ ଓଡ଼ିଶା ଜୀବିକା ମିସନ(ଓଏଲ୍ଏମ୍) ଅଫିସ ଘର ପାଣିରେ ଭାସୁଛି। କାନ୍ଥ ଭିତରେ କୌଣସି ସ୍ଥାନରେ ପାଇପ୍ ଫାଟି ଯାଇଥିବାରୁ ଝରୁଥିବା ପାଣି ଅଫିସ ରୁମ୍ ସାରା ବହୁଛି। ଅଫିସ ଭିତରେ ଥିବା ଆଲ୍ମିରା, ଆସବାବପତ୍ର ସବୁ ନଷ୍ଟ ହେବାକୁ ବସିଥିବା ବେଳେ ମରାମତି କରିବା ନାଁ ଧରାଯାଉନାହିଁ।
ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଅଟାଳିକାର ପ୍ରଥମ ମହଲାରେ ଓଏଲ୍ଏମ୍ କାର୍ଯ୍ୟାଳୟ ଅଛି। ଏଠାରେ ବିପିଏମ୍ ସଂଗ୍ରାମ ଜେନାଙ୍କ ସମେତ ୪ ଜଣ କର୍ମଚାରୀ କାମ କରନ୍ତି। ବ୍ଲକ୍ର ସମସ୍ତ ଏସ୍ଏଚ୍ଜି, ଆଞ୍ଚଳିକ ମଞ୍ଚ ଓ ମହିଳା ମହାସଂଘର ନଥିପତ୍ର ରହିଛି। ପ୍ରତିଦିନ କର୍ମଚାରୀମାନେ ଏହି ଅଫିସ ଖୋଲିବା ପରେ ଆଗ ଚଟାଣରୁ ପାଣି ପୋଛି ପୋଛି ବାହାର କରୁଛନ୍ତି। ପରେ ଅଫିସ କାମ କରାଯାଉଛି। ସେହିଭଳି ମଝିରେ ମଝିରେ ବି ଚଟାଣକୁ ପୋଛିବାକୁ ପଡ଼ୁଛି। ବଡ଼ କଦର୍ଯ୍ୟ ଭାବେ କର୍ମଚାରୀମାନେ କାମ କରୁଛନ୍ତି। ଅଥଚ ପାଇପ୍ କେଉଁଠି ଫାଟିଛି, ତାହାକୁ ଖୋଜି ମରାମତି କରାଯାଉନାହିଁ। ଏହି ସମସ୍ୟା ସମାଧାନ ପାଇଁ ବିପିଏମ୍ ଏକଦା ଅନୁମାନ କରି ଚଟାଣରେ ହ୍ବାଇଟ୍ ସିମେଣ୍ଟ ଲଗାଇ ତାଳିପକା କାମ କରିଥିଲେ, କିନ୍ତୁ ତାହା ବେଶି ଦିନ ତିଷ୍ଠିଲା ନାହିଁ। ଏବେ ସେମିତି ଓଦା ଚଟାଣରେ କର୍ମଚାରୀମାନେ କାମ କରୁଥିଲେ ବି କାହାର କିଛି ପ୍ରତିକ୍ରିୟା ନାହିଁ।