୧୫୩ ଶିଶୁଙ୍କ ବଦଳିଛି ଜୀବନଧାରା: ରାସ୍ତାରେ ଭୋକ ସହ ଲ‌ଢ଼ୁଥିଲେ, ଏବେ ସ୍କୁଲ୍‌ରେ

ଭୁବନେଶ୍ବର : କିଏ ଅ, ଆ ତ ପୁଣି ଆଉ କିଏ ଅଖ, ଚକ ଶିଖୁଛନ୍ତି। ପୁଣି କିଛି ପିଲା ଯୋଗ, ବିୟୋଗ ଶିଖୁଛନ୍ତି। ଦିନେ ରାସ୍ତା କଡ଼ରେ ଯେଉଁ ପିଲାମାନେ ଭିକ ମାଗୁଥିଲେ, କଲମ, ପେନସିଲ ବିକ୍ରି କରୁଥିଲେ। ରୋଗ-ଭୋକ ସହିତ ଲଢେଇ କରୁଥିଲେ, ନିଶାଗ୍ରସ୍ତ ହୋଇ ବୁଲୁଥିଲେ। ଏବେ ସେମାନେ ସ୍କୁଲରେ ପାଠ ପଢୁଛନ୍ତି। ସୁନ୍ଦର ଭବିଷ୍ୟତ ଗଢ଼ିବାର ଚେଷ୍ଟାରେ ଲାଗିଛନ୍ତି। ଚାଇଲ୍ଡ ଲାଇନ୍‌ର ସ୍କୁଲ୍‌ ଅନ୍‌ ହ୍ବିଲ୍‌ କାର୍ଯ୍ୟକ୍ରମ ଅନ୍ତର୍ଗତରେ ରାସ୍ତା କଡ଼ରେ ଥିବା ୧୫୩ ପିଲାଙ୍କୁ ସ୍କୁଲରେ ନାମ ଲେଖାଯାଇଛି। ଶିକ୍ଷା ଅଧିକାର ଆଇନ ଅନ୍ତର୍ଗତରେ ୬ରୁ ୧୪ ବର୍ଷ ବୟସର ଏହି ପିଲାଙ୍କୁ ତାଙ୍କ ବୟସ ଅନୁଯାୟୀ ବିଭିନ୍ନ କ୍ଲାସରେ ନାମ ଲେଖାଯାଇଛି। ସାଧାରଣ ପିଲାଙ୍କ ଭଳି ସେମାନେ କିଭଳି ତାଳ ମିଳାଇପାରିବେ, ଏଥିପାଇଁ ସ୍ବତନ୍ତ୍ର କ୍ଲାସ କରାଯାଉଛି। ସରକାରୀ ନିର୍ଦେଶ ଅନୁସାରେ ମଧ୍ୟ ରାସ୍ତାକଡ଼ରୁ ଉଦ୍ଧାର ପିଲାଙ୍କ ପାଇଁ ସ୍କୁଲ ତରଫରୁ ସ୍ବତନ୍ତ୍ର ପାଠପଢ଼ାର ବ୍ୟବସ୍ଥା ରହିଛି। ଏହାକୁ ସ୍କୁଲମାନେ ମଧ୍ୟ କାର୍ଯ୍ୟକାରୀ କରିବେ ବୋଲି ଆଶା ରହିଛି।

ଚାଇଲ୍ଡ ଲାଇନ୍‌ ନିର୍ଦେଶକ ବେଣୁଧର ସେନାପତିଙ୍କ ଅନୁସାରେ, ଗତବର୍ଷ କୋଭିଡ୍‌ ସମୟରେ କରାଯାଇଥିବା ସର୍ଭେରେ ରାଜଧାନୀର ରାସ୍ତା କଡ଼ରେ ୧୦୩୨ ଶିଶୁଙ୍କୁ ଚିହ୍ନଟ କରାଯାଇ ଖାଇବାକୁ ଦିଆଯାଇଥିଲା। ଏମାନଙ୍କ ମଧ୍ୟରୁ ଉଭୟ ରାଜ୍ୟ, ରାଜ୍ୟ ବାହାରର ପିଲା ଅଛନ୍ତି। ଯେଉଁମାନଙ୍କ ମଧ୍ୟରୁ ଅନେକ କେବଳ ନିଜ ମା’ କିମ୍ବା ବାପା ସହିତ ଥିଲେ। ଆଉ କିଛି ଜଣଙ୍କ ଉଭୟ ଅଭିଭାବକ ଥିଲେ ମଧ୍ୟ ଦାରିଦ୍ର୍ୟତା ଏବଂ ନିଶା ସମେତ ବିଭିନ୍ନ କାରଣରୁ ପିଲାଙ୍କ ପ୍ରତି ଯତ୍ନଶୀଳ ନଥିଲେ। ପିଲାମାନେ ଜରି ଗୋଟାଉଥିଲେ, ଭିକ ମାଗୁଥିଲେ। ଟଙ୍କା ପାଇ ପିଲା ମଧ୍ୟ ପଢିବା ପାଇଁ ଆଗ୍ରହ କରୁନଥିଲେ। ଚିହ୍ନଟ ହୋଇଥିବା କିଛି ପିଲା ନିଶା ସେବନ କରୁଥିଲେ ତ ଆଉ କିଛି ଅପରାଧମୂଳକ କାର୍ଯ୍ୟରେ ସଂଶ୍ଳିଷ୍ଟ ଥିବା ମଧ୍ୟ ଜଣାପଡ଼ିଥିଲା। ଏମାନଙ୍କ ମଧ୍ୟରୁ କିଛି ପିଲାଙ୍କ ନାମ ପୂର୍ବରୁ ମଧ୍ୟ ବିଭିନ୍ନ ସ୍କୁଲରେ ଲେଖାଯାଇଥିଲା। ମାତ୍ର ସେମାନେ ପାଠ ପ୍ରତି ଆଗ୍ରହ କରିନଥିଲେ। ସେମାନଙ୍କୁ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି ପାଇଁ ଚାଇଲ୍ଡ ଲାଇନ୍‌ ପକ୍ଷରୁ କାଉନ୍‌ସେଲିଂ କରାଯାଇଥିଲା। ସ୍ବତନ୍ତ୍ର ପାଠପଢା କାର୍ଯ୍ୟକ୍ରମ କରାଯାଉଛି। ଏଥିରେ ଭୁବନେଶ୍ବରର ବିଭିନ୍ନ ସାମାଜିକ ସଙ୍ଗଠନ ମଧ୍ୟ ସେମାନଙ୍କୁ ସହାୟତା କରିଥିବା ଚାଇଲ୍ଡ ଲାଇନ୍‌ କହିଛି। ଗାଡ଼ିରେ ସେମାନଙ୍କୁ ଅଣାଯାଇ ପାଠପଢା ଆରମ୍ଭ ହେଲା। ସେମାନଙ୍କୁ ଅକ୍ଷର ଶିଖାଇଲେ, ଗଣିତ ପଢାଇଲେ। ସାଧାରଣ ଜ୍ଞାନ ବିଷୟରେ ସୂଚନା ଦେଲେ। ସ୍ଥିତି ଏଭଳି ହେଲା ଯେ ୧୫୩ ପିଲା ପଢିବା ପାଇଁ ପ୍ରସ୍ତୁତ ହୋଇଥିବା ଚାଇଲ୍ଡଲାଇନର ସଦସ୍ୟମାନେ ଅନୁଭବ କଲେ। ଏହାପରେ ସେମାନଙ୍କୁ ବିଭିନ୍ନ ସରକାରୀ ସ୍କୁଲରେ ନାମ ଲେଖାଯାଇଛି। ଏହି ପିଲାମାନେ କିଭଳି ନିୟମିତ ସ୍କୁଲ ଆସିବେ ଏଥିପାଇଁ ସ୍କୁଲ ଏବଂ ଅଭିଭାବକ ବିଶେଷକରି ମା’ଙ୍କ ସହିତ ଯୋଗସୂତ୍ର ରକ୍ଷା କରାଯାଇଛି।

ଚାଇଲ୍ଡ ଲାଇନ୍‌ ମଧ୍ୟ ନିଜ ପକ୍ଷରୁ ପୂର୍ବଭଳି ପିଲାଙ୍କୁ ପାଠପଢା କାର୍ଯ୍ୟ ଜାରି ରଖିବ ବୋଲି ଚାଇଲ୍ଡ ଲାଇନ୍‌ ନିର୍ଦେଶକ କହିଛନ୍ତି। ପଟେଲ ସାହି, ଶିଶୁ ଭବନ, ସତ୍ୟକାଳୀ ସାହି, ସତ୍ୟନଗର ଶ୍ମଶାନଘାଟ ପଡ଼ିଆ, ପ୍ଲାନେଟୋରିୟମ୍‌ ସମ୍ମୁଖସ୍ଥ ପଡ଼ିଆ, ଆଞ୍ଚଳିକ ସଂଗ୍ରହାଳୟରେ ରହୁଥିବା ପିଲାମାନେ ରହିଛନ୍ତି। ଆଗାମୀ ଦିନରେ ଆହୁରି ଅଧିକ ରାସ୍ତା କଡ଼ର ପିଲାଙ୍କୁ ସ୍କୁଲକୁ ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଅନିଶ୍ଚିତ ଭବିଷ୍ୟତ, ଆସନ୍ତାକାଲି ଏହି ପିଲାଙ୍କ ମଧ୍ୟରୁ କେହି ପ୍ରଶାସକ, ରାଜନେତା, କଳା, ସଂସ୍କୃତି ସମେତ ଯେକୌଣସି କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ଉଦାହରଣ ଯେ ନ ହେବେ, କିଏ କହିପାରିବ!

ସମ୍ବନ୍ଧିତ ଖବର