ଲକ୍‌ଡାଉନ ଖୋଲିଲେ…ବିପଦ ଟଳିନି, ଯୋଜନା ଅସୁମାରି

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଲକ୍‌ଡାଉନକୁ ହିଁ ଏକମାତ୍ର ବିକଳ୍ପ ଭାବେ ସରକାର ବାଛିଥିଲେ। ସାମାଜିକ ଦୂରତା ପାଇଁ ନିର୍ଦେଶନାମା ଜାରି କରିଥିଲେ। ତାଲାବନ୍ଦକୁ ଇତି ମଧ୍ୟରେ ମାସେ ଅତିକ୍ରମ କରିସାରିଛି। କରୋନା ହୁଏତ କିଛିଟା ନିୟନ୍ତ୍ରଣକୁ ଆସିଛି, କିନ୍ତୁ ଆଶଙ୍କା ଟଳି ନାହିଁ। ଦୁଇ ଦଫାରେ ଏହାକୁ କାର୍ଯ୍ୟକାରୀ କରିବା ପରେ ଲକ୍‌ଡାଉନ ଖୋଲିବା ନେଇ ଗନ୍ଧ ବାରି ହେଉଛି। ଯଦିଓ ସରକାର ଏନେଇ ସ୍ପଷ୍ଟ କରିନାହାନ୍ତି, କିନ୍ତୁ କାର୍ଯ୍ୟାବଳୀ ଓ ଯୋଜନା ହିଁ ମେ’ ୩ ତାରିଖ ପରେ ଲକ୍‌ଡାଉନ୍‌ ଖୋଲିବା ନେଇ ଇସାରା ଦେଉଛି। ‌କରୋନା ସଂକ୍ରମଣକୁ ନେଇ ଏବେ ବି ବିପଦ ଟଳିନଥିଲେ ହେଁ ଲକ୍‌ଡାଉନ ଖୋଲିବା ଇସାରା ପାଇ ଅନେକ ମେ’ ୪ ତାରିଖ ପାଇଁ ଯୋଜନା ପ୍ରସ୍ତୁତ କରିଦେଲେଣି। କିଏ ପ୍ରଥମେ ସେଲୁନକୁ ଯିବ ତ କିଏ ସାଙ୍ଗସାଥୀଙ୍କୁ ଭେଟିବ। ପୁଣି କିଏ ଯାଇ ସାଙ୍ଗସାଥୀଙ୍କ ସହ ଭୋଜି ଆୟୋଜନ କରିବ ତ ଆଉ କିଏ ଡାକ୍ତରଖାନା ଯାଇ ସାଙ୍ଗକୁ ଆଶ୍ବାସନା ଦେବ। ସହରରୁ ତାଲା ଖୋଲିନି, ହେଲେ ଯୋଜନାର ଲମ୍ବା ତାଲିକା ପ୍ରସ୍ତୁତ ହେଇଗଲାଣି। ତେବେ ଏସବୁ ଶାରୀରିକ ଦୂରତା ଓ ସରକାରଙ୍କ ନିର୍ଦିଷ୍ଟ ଗାଇଡ୍‌ଲାଇନ୍‌ ମାନି କରିବେ ବୋଲି ଅନେକ ସ୍ବୀକାର କରିଛନ୍ତି। କାରଣ ଲକ୍‌ଡାଉନ ସିନା ଖୋଲିବ କିନ୍ତୁ କରୋନା ଏତେ ଶୀଘ୍ର ଟଳିବ ନାହିଁ।

ଅନ୍ତରଙ୍ଗମାନଙ୍କୁ ଭେଟିବି
ଅନେକ ଅନୁଷ୍ଠାନ ସହ ଜଡ଼ିତ ଥିବାରୁ ମୋ ସମୟ ସାଙ୍ଗ, ସାଥୀ, ସଭା ସମିତିରେ କଟୁଥିଲା। ଲକ୍‌ଡାଉନ ପରେ ସେସବୁ ବନ୍ଦ ହୋଇଯାଇଥିଲେ ସୁଦ୍ଧା ବନ୍ଧୁ ଓ ପରିବାର ଲୋକଙ୍କୁ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝୁଥିଲି। ଲକ୍‌ଡାଉନ ପରେ ଯଦିଓ ସମସ୍ୟା ଟଳିବ ନାହିଁ, କିନ୍ତୁ ସରକାରଙ୍କ ଗାଇଡଲାଇନ୍‌ ଅନୁକରଣ ପୂର୍ବକ ମୁଁ ପ୍ରଥମେ ମୋର ଶୁଭାକାଂକ୍ଷୀ ବନ୍ଧୁ, ଦାଦା, ଖୁଡ଼ି, ଭାଇ, ପୁତୁରାମାନଙ୍କୁ ଘରେ ଯାଇ ଭେଟିବି। ଯେବେ ମୋ ଗୋଡ଼ ଭାଙ୍ଗିଯାଇଥିଲା ସେତେବେ‌ଳେ ବି ମତେ ଘରେ ବିଶ୍ରାମ ନେବାକୁ କୁହାଯାଇଥିଲା। କିନ୍ତୁ ମୁଁ କିଛିଦିନ ବିଶ୍ରାମ ନେଇ ପୁଣି ସଭା, ସମିତିରେ ସାମିଲ୍‌ ହୋଇଥିଲି। ସାଙ୍ଗ ସାଥୀମାନଙ୍କୁ ଭେଟିଥିଲି। ତେଣୁ ମୋର ଏହି ଆକାଂକ୍ଷାକୁ ଆଗେ ପୂରଣ କରିବି।
ସଞ୍ଜୟ ମହାନ୍ତି, ସମ୍ପାଦକ, ସାହିତ୍ୟାୟନ

ଅନଲାଇନ୍‌ରେ ମୋ ନୃତ୍ୟ ପ୍ରସାରଣ କରିବି
ପ୍ରଥମତଃ ମୁଁ ପୁଲିସ୍‌ ବିଭାଗରେ କାର୍ଯ୍ୟରତ ଥିବାରୁ ମୋର କୌଣସି ଦିନ ଛୁଟି ନାହିଁ। ତେ‌ବେ ଆମକୁ ଆଗଠୁ କମ୍‌ ସମୟ କାମ କରିବାକୁ ପଡ଼ୁଥିଲା। ମୁଁ ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ ହୋଇଥିବାରୁ ଏହା ମଧ୍ୟରେ ମୁଁ ବହୁ ସମୟ ନୃତ୍ୟାଭ୍ୟାସରେ ଦେଇଛି। ସଂପ୍ରତି ସ୍ଥିତି ଯାହା ଲକ୍‌ଡାଉନ ପରେ ମଧ୍ୟ ସଙ୍କଟ ଏତେଶୀଘ୍ର ଟଳିବାର ଆଶା ନାହିଁ। ତେଣୁ ମୋ ନୃତ୍ୟ ଭୋକକୁ କିଭଳି ଚରିତାର୍ଥ କରିହେବ ସେଥିପାଇଁ ମୁଁ ଏଇ ସମୟ ମଧ୍ୟରେ କିଛି ଅନଲାଇନ୍‌ ରିସର୍ଚ କରି ମୋ ଦର୍ଶକଙ୍କ ସହ ରହିବାର ବାଟ ଖୋଜି ପାଇଛି। ତେଣୁ କୁଆଡ଼େ ନଯାଇ, ସାମାଜିକ ଦୂରତାକୁ ମାନି ଘରେ ନୃତ୍ୟ ପ୍ରସ୍ତୁତ କରି ୟୁ-ଟ୍ୟୁବ ମାଧ୍ୟମରେ ତାହାକୁ ପ୍ରସାରଣ କରି ମୋ ଦର୍ଶକଙ୍କ ମନୋରଂଜନ କରିପାରିବି ସେନେଇ କାମ ଆରମ୍ଭ କରିବି। ଯଦି ପ୍ରେକ୍ଷାଳୟରେ ସୀମିତ ଦର୍ଶକରେ ସାମାଜିକ ଦୂରତାକୁ ବଜାୟ ରଖି ଏକକ ନୃତ୍ୟ ପରିବେଷଣର ସୁଯୋଗ ମିଳିବ ତାହା ବି କରିବି।
ଇଂ ଶ୍ରୀନିବାସ ଘଟୁଆରୀ, ଉପସ୍ଥାପକ, ଓଡ଼ିଶୀ ନୃତ୍ୟଶିଳ୍ପୀ

Image Source: India Today

ସାଙ୍ଗର ବାପାଙ୍କୁ ମେଡିକାଲ୍‌ରେ ଦେଖିବାକୁ ଯିବି
ସଂପ୍ରତି ସ୍ଥିତିକୁ ଅନୁଧ୍ୟାନ କରିବା ପରେ ମତେ ଲାଗୁନି ଯେ କରୋନା ସଂକ୍ରମଣ ବ୍ୟାପିବା ବନ୍ଦ ହେଇଯିବ। ତଥାପି ସାମାଜିକ ପ୍ରାଣୀ ହିସାବରେ ମତେ କିଛି ସାମାଜିକ ଦାୟିତ୍ବ ନିଭାଇବାକୁ ପଡ଼ିବ। ମୋର ଜଣେ ସାଙ୍ଗର ବାପା ମେଡିକାଲ୍‌ରେ ପଡ଼ିଥିବାରୁ ତାଙ୍କ ପାଖରେ ଛିଡ଼ା ହୋଇ ସାଙ୍ଗକୁ ସାଥ୍‌ ଦେବା ମୋର ପ୍ରଥମ କାମ‌ ହେବ। ଏସବୁ ମୁଁ ସାମାଜିକ ଦୂରତା ନିୟମକୁ ଅନୁକରଣ ସହ କରିବି। ଯେଉଁ ସାଙ୍ଗସାଥୀମାନେ ତାଲାବନ୍ଦ ସମୟରେ ବହୁ ହଇରାଣ ହେଉଥିବା କଥା ଫୋନ୍‌ ଯୋଗେ ଜଣାଇଥିଲେ ସେମାନେ କିଭଳି ଅଛନ୍ତି ତାଙ୍କୁ ଯାଇ ଦେଖା କରିବି।
ବିପ୍ଳବ କେଶରୀ ଦାସ, ମଞ୍ଚ ଅଭିନେତା

ପୁଲିସଙ୍କୁ ହାତଲେଖା‌ ଦେଇ ଧନ୍ୟବାଦ ଜଣାଇବି
ଲକ୍‌ଡାଉନ ଖୋଲିବା ପ‌ରେ ମନ ଓ ଆଖି ହୁଏତ ଆପଣାର ଲୋକମାନଙ୍କୁ ଖୋଜିବ, ମୁଁ କିନ୍ତୁ ନିର୍ବିକାର ରହିବି। ଯେଉଁମାନେ ଅସହାୟ ହୋଇ ଆପଣାର ଲୋକମାନଙ୍କୁ ଖୋଜୁଥିବେ ମୁଁ ସେଠି ଆପଣାର ଲୋକଟିଏ ଭଳି ଛିଡ଼ା ହେବାକୁ ଚେଷ୍ଟା କରିବି। ଏହାସହ ପୁଲିସ୍‌ମାନଙ୍କୁ ଯେଉଁଠି ଦେଖିବି ସେମାନଙ୍କୁ ତାଙ୍କର ସମର୍ପିତ ଭାବନା ପାଇଁ ହାତଲେଖା କାଗଜଟି ଦେଇ ଧନ୍ୟବାଦ ଜଣାଇବି।
ଜିତେନ୍ଦ୍ର କୁମାର ମହାପାତ୍ର, ଜିଲ୍ଲା ଯୋଜନା ସଂଯୋଜକ

ଗାଁକୁ ଯାଇ ସାଙ୍ଗସାଥୀଙ୍କୁ ଭେଟିବି
ଲକ୍‌ଡାଉନ ପାଇଁ ଘରୁ ବାହାରିବା କଷ୍ଟକର ହୋଇଯାଇଛି। ବହୁତ କାମ ବାକି ପଡ଼ିଗଲାଣି। ‌ଯାହା ଘରେ କରିହେଉଛି କରୁଛି। ଭୁବନେଶ୍ବରରେ ରହୁଥିଲେ ହେଁ ପ୍ରତି ମାସରେ ଗାଁକୁ ଯାଏ। ଗାଁ ସାଙ୍ଗସାଥୀଙ୍କୁ ଭେଟେ, ଆମ ଅଞ୍ଚଳ‌େର କିପରି ଉନ୍ନତିମୂଳକ କାମ ହେବ ସେନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରେ। ତେଣୁ ଲକ୍‌ଡାଉନ ଖୋଲିଲେ ଗାଁକୁ ଯିବି। ସେଠାରେ ତିନି ଚାରିଦିନ ରହି ସାଙ୍ଗସାଥୀଙ୍କୁ ଭେଟିବି।
ବିଶ୍ବରଞ୍ଜନ ଦାଶ, ଯୁବ ନେତା

ବସ୍ତି ଲୋକଙ୍କ ଅବସ୍ଥା ବୁଝିବି
କରୋନା ମହାମାରୀ ପ୍ରଭାବରେ ସାରା ଦେଶରେ ଲକ୍‌ଡାଉନ ଲାଗୁ ହୋଇଛି। ଏଥିରେ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଥିବା ବେଳେ ବିଶେଷକରି ଗରିବ ଓ ଦିନ ମଜୁରିଆ ଶ୍ରେଣୀ ବେଶି ଅସୁବିଧାରେ ପଡ଼ିଛନ୍ତି। ଯେ ହେତୁ ମୁଁ ଜଣେ ସାମାଜିକ କର୍ମୀ ଲକ୍‌ଡାଉନ ଖୋଲିବା ପରେ ପ୍ରଥମେ ପାଖ‌ ବସ୍ତିକୁ ଯାଇ ଲୋକଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିବି। ଦରକାର ପଡ଼ିଲେ ଆମ ସଂଗଠନ ତରଫରୁ ସେମାନଙ୍କୁ ସାହାଯ୍ୟ ଯୋଗାଇ ଦେବୁ।
ସାଗରିକା ମହାନ୍ତି, ସାମାଜିକ କର୍ମୀ

ବାହାର ଜାଗାକୁ ବୁଲିବାକୁ ଯିବି
ଲକ୍‌ଡାଉନ ପାଇଁ ମାସେ ହେବ ମୁଁ ଘରେ ପୂରା ବାନ୍ଧି ହୋଇଗଲିଣି। ଘରେ ସବୁ ସମୟ କେବଳ ମୋବାଇଲ ଏବଂ ବହି ପଢାରେ ବିତିଯାଉଛି। ଲକ୍‌ଡାଉନ ସରିଲା ପରେ ପ୍ରଥମେ ମୁଁ କୌଣସି ବାହାର ଜାଗାକୁ ବୁଲିବାକୁ ଯିବି। ସବୁ ରେସ୍ତୋରାଁ ବନ୍ଦ ଥିବାରୁ ବାହାର ଜିନିଷ ଖାଇ ହେଉନାହିଁ। ଲକ୍‌ଡାଉନ ସରିଲେ ବିରିୟାନି ଆଉ ପିଜା ଖାଇବାକୁ ଯିବି।
ମଧୁସ୍ମିତା ସାମଲ, ଛାତ୍ରୀ

ସାଙ୍ଗମାନଙ୍କୁ ଦେଖା କରିବି
ବର୍ତ୍ତମାନ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇଯାଇଛି। ସେଥିପାଇଁ ମୁଁ ବହୁତ ଦିନ ହେଲାଣି ସାଙ୍ଗମାନଙ୍କ ସହ ଦେଖା କରିପାରୁନି। ପ୍ରଥମେ ମୁଁ ସାଙ୍ଗମାନଙ୍କୁ ଦେଖା କରିବି। ବହୁତ ଦିନ ହେଲା ଫିଲ୍ମ ହଲର ମାଟି ମାଡିନି। କୌଣସି ନୂଆ ଫିଲ୍ମ ରିଲିଜ ହୋଇଥିଲେ ସବୁ ସାଙ୍ଗ ମିଶି ଦେଖିବାକୁ ଯିବୁ।
ଶ୍ରୀବଲ୍ଲଭ ବେହେରା, କର୍ମଜୀବୀ

ସାମାଜିକ ଦୂରତା ରଖିବି
ବର୍ତ୍ତମାନ ପର୍ଯ୍ୟନ୍ତ ଏହି ରୋଗର କେଉଁଠି ଅନ୍ତ ହେବ ଜଣାପଡୁନି। ଦେଶରେ ସ୍ୱାସ୍ଥ୍ୟ ଅବସ୍ଥା ନସୁଧିରିବା ଯାଏ ମୁଁ ପୂର୍ବ ପରି ସମସ୍ତଙ୍କ ନିକଟରୁ ସାମାଜିକ ଦୂରତା ରଖିବି। ପୂର୍ବରୁ ମୁଁ କଲେଜରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଥିଲି। ଏ ପରିସ୍ଥିତି ପରେ ଅନ୍‌ଲାଇନ କ୍ଲାସକୁ ବେଶି ଗୁରୁତ୍ୱ ଦେବି।
ଅମିତ ତିଆଡ଼ି, ଅଧ୍ୟାପକ

ଫାଷ୍ଟଫୁଡ ଖାଇବି
ବହୁତ ଦିନ ହେଲା ଫାଷ୍ଟଫୁଡ ଖାଇନି। ଲକ୍‌ଡାଉନ ଖୋଲିଲେ ଗୁପଚୁପ, ଚାଟ, ବିରିୟାନି, ମୋମୋ ସବୁ ଖାଇବି। ମୋର ବହୁତ ଦିନ ହେଲା ଜିମ୍‌ ଯିବା ବନ୍ଦ ହୋଇଗଲାଣି। ତା’ପରେ ଜିମ୍‌ ଯିବି। ସାଙ୍ଗମାନଙ୍କ ସହ ବୁଲି ନଥିବାରୁ ସମସ୍ତେ ମିଶିକି ଅଂଶୁପା ବୁଲିବାକୁ ଯିବୁ।
ଜଗନ୍ନାଥ ବରାଡ଼, ଛାତ୍ର

ସାଙ୍ଗମାନେ ମିଶି ଭୋଜି କରିବୁ
ବହୁତ ଦିନ ହେଲା ସପିଙ୍ଗ କରିନି। ଆଗକୁ ରଜ ପାଖେଇ ଆସୁଛି। ସେଥିପାଇଁ ନୂଆ ଡ୍ରେସ କିଣିବି। ସାଙ୍ଗମାନଙ୍କ ସହ ଗୋଟେ ଭଲ ଜାଗାକୁ ବୁଲିବାକୁ ଯିବି। ସାଙ୍ଗମାନେ ମିଶି ଭୋଜି କରିବୁ।
ଶୁଭ୍ରାଲିନ ମାର୍ଥ।, ଛାତ୍ରୀ

ଲଙ୍ଗ୍‌ ଡ୍ରାଇଭରେ ଯିବି
ବର୍ତ୍ତମାନ ପର୍ଯ୍ୟନ୍ତ ତ ଅବସ୍ଥା ସୁଧୁରିବା ଭଳିଆ ଲାଗୁନି। ତଥାପି ଯଦି ଲାକ୍‌ଡାଉନ ଖୋଲେ ତା’ହାଲେ ଲଙ୍ଗ୍‌ ଡ୍ରାଇଭରେ କୁଆଡେ ବୁଲିବାକୁ ଯିବି। ଜୁନରେ ବାହାଘର ହେବାର ଥିଲା। କୋରାନା ତ ବାହାଘର କରେଇଦେଲାନି। ଦେଖିବା ଯାହା ହେବ। ବୁଲିବା ମୋର ପ୍ରଥମ କାର୍ଯ୍ୟ ରହିବ।
ସସ୍ମିତା ବେହେରା, ବ୍ୟାଙ୍କ କର୍ମଚାରୀ

ସାଇବାବାଙ୍କ ଦର୍ଶନ କରିବି
ଲକ୍‌ଡାଉନ ଖୋଲିବା ପରେ ପ୍ରଥମେ ନିକଟସ୍ଥ ସାଇବାବାଙ୍କ ମନ୍ଦିରକୁ ଯାଇ ପୂଜା କରିବି। ପରେ ସାଙ୍ଗମାନଙ୍କ ସହ ବୁଲାବୁଲି କରିବି। ମାତ୍ର ସବୁଠାର ବଡ଼ କାମ ମୋର ଓଡ଼ିଶୀ ଛାତ୍ରଛାତ୍ରୀମାନଙ୍କୁ ଅଧିକ ସମୟ ଦେବି। ସେମାନଙ୍କ ଶିକ୍ଷା ଅନ୍‌ଲାଇନ୍‌ରେ ଚାଲିଥିଲା ମାତ୍ର ଲକ୍‌ଡାଉନ ପରେ ସେମାନଙ୍କୁ କ୍ଲାସ୍‌ରେ ସିଧାସଳଖ ନୃତ୍ୟ ଶିକ୍ଷା ଦେବି। ଲକ୍‌ଡାଉନ ପରେ ଏକ ସକାରାତ୍ମକ ମାନସିକତା ନେଇ ପୂର୍ବଭଳି ସବୁ କାମ ଠିକ୍ ଠାକ୍‌ରେ କରିବି।
ମଧୁସ୍ମିତା ସାହୁ, ଓଡ଼ିଶୀ ନୃତ୍ୟାଙ୍ଗନା

ସଂଗୀତ କଳାକାରଙ୍କୁ ସାକ୍ଷାତ କରିବି
ଏତେ ଗୁଡ଼ାଏ ଦିନ ଜୀବନରେ ପ୍ରଥମ ଥର କରି ଘରେ ପରିବାର ସହ ରହି ବିରକ୍ତିକର ହୋଇଗଲାଣି। ଲକ୍‌ଡାଉନ୍ ଖୋଲିଲେ ପ୍ରଥମେ ମୋ ସଂଗୀତ ଦୁନିଆର ଅନେକ କଳାକାରଙ୍କୁ ସାକ୍ଷାତ କରିବା ପାଇଁ ଯିବି। ରୋଜଗର ହରାଇ ସେମାନେ ବହୁତ ହନ୍ତ‌ସନ୍ତ ହେଉଛନ୍ତି। ସେମାନଙ୍କ ଦୁଃଖରେ ସାମିଲ ହେବି। ଅନେକ ଦିନ ହେଲା ବାହାର ଚଟପଟା ଖାଦ୍ୟ ଖାଇନାହିଁ। ତେଣୁ ଟିକେ ବଜାର ଖାଦ୍ୟ ଖାଇବି। ଏସବୁ ପରେ ଆମ ଯାତ୍ରା ଦୁନିଆର ମଞ୍ଚ କାର୍ଯ୍ୟକ୍ରମ କେବେ ସୁରୁଖୁରୁରେ ହୋଇପାରିବ ସେନେଇ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିବି।
ଯୋଗେନ୍ଦ୍ରନାଥ ଭୋଇ, ସଂଗୀତ ନିର୍ଦେଶକ

ଚୁଟି, ଦାଢ଼ି କାଟିବି
ଓଲିଉଡ ଗ୍ଲାମର୍ ଦୁନିଆର ଆମେ ନୈପଥ୍ୟ ନାୟକ। ଆମେ ଅନେକ କଳାକାରଙ୍କୁ ଜିରୋରୁ ହିରେ ହେବା ଦେଖିଛୁ। ଏବେ ପ୍ରାୟ ‌ଅନେକ ଆମ ପରି ସର୍ବସ୍ବାନ୍ତ ହୋଇଯାଇଛନ୍ତି। ଲକ୍‌ଡାଉନ ଖୋଲିଲେ ବହୁଦିନ ଧରି ଚୁଟି, ଦାଢ଼ି ନକାଟି ବଣଭାଲୁ ହୋଇଯାଇଥିବା ଚେହେରାକୁ ହିରୋ ମାର୍କା ସଜେଇ ସୁଟିଂରେ ସ୍ପଟ୍‌ବୟ କାମପାଇଁ ପ୍ରସ୍ତୁତ ହେବି। ଆମ ସହ କାମ କରୁଥିବା ‌ଅନ୍ୟ ଟେକ୍‌ନିସିଆନ୍‌ମାନଙ୍କୁ ମଧ୍ୟ ଟିକେ ଦେଖିବାକୁ ଯିବି।
ସୁଶୀଲ୍ ମହାଭୋଇ, ସ୍ପଟ୍‌ବୟ

ଆଗ ଭୁବନେଶ୍ବର ବୁଲିବି
ଆଗ ଟିକେ ଭୁବନେଶ୍ବର ବୁଲିବି। ତା’ ପରେ ସାବିତ୍ରୀ ପାଇଁ ଶାଢ଼ି କିଣିବାକୁ ଯିବି। ଯଦି ଭୁବନେଶ୍ବର ବାହାରକୁ ଯିବା କଥା ହେଲା ତେବେ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଯିବି। ଆଉ ସମୁଦ୍ର କୂଳେ ଟିକେ ବସିବି। ପୁରୀ ସମୁଦ୍ର କୂଳ ମୋର ସବୁଠୁ ପ୍ରିୟ ଜାଗା। ସୁନା ଗହଣା ମରାମତି କରିବି ଆଉ ମୋବାଇଲ ବି ସଜାଡ଼ିବି।
ସୁନିତା ନାୟକ, ଶିକ୍ଷୟିତ୍ରୀ

ସମ୍ବନ୍ଧିତ ଖବର