ନିୟମ ମାନୁ ନାହାନ୍ତି ଲଜ୍, ଗେଷ୍ଟ ହାଉସ୍, ଓୟୋ

ଦାଖଲ କରୁ ନାହାନ୍ତି ଗ୍ରାହକଙ୍କ ସୂଚନା, ହାତ ଟେକି ଦେଇଛି ପୁଲିସ

ଭୁବନେଶ୍ବର: ବହୁଚର୍ଚ୍ଚିତ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ଉପରୁ ପରଦା ଉଠିପାରିନି ସତ କିନ୍ତୁ ପ୍ରତିଦିନ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି। ୨୬ ତାରିଖ ରାତିରେ ଝରାଫୁଲ ଓ ରାକେଶ ଖଣ୍ଡଗିରି ଧର୍ମବିହାରସ୍ଥିତ ଶିବ ସାଇ ଓୟୋ ଗେଷ୍ଟ ହାଉସରେ ରାତି କଟାଇବା ଘଟଣା ସେତେବେଳେ ପଦାକୁ ଆସିଥିଲା ଯେତେବେଳେ ଝରାଫୁଲଙ୍କ ମୃତ୍ୟୁର ଖୋଳତାଡ଼ ଚାଲିଥିଲା। ପ୍ରାପ୍ତ ବୟସ୍କ ପୁରୁଷ ଓ ମହିଳା ହୋଟେଲରେ ଏକାଠି ରହିପାରିବେ, କିନ୍ତୁ ଗ୍ରାହକଙ୍କ ତାଲିକା ସ୍ଥାନୀୟ ଥାନାରେ ଦାଖଲ କରିବା ବାଧ୍ୟତାମୂଳକ। କିନ୍ତୁ ଏଠି ଗ୍ରାହକଙ୍କ ତାଲିକା ଦାଖଲ କରାଯାଇ ନ ଥିଲା। ଯଦି ଝରାଫୁଲଙ୍କର ମୃତ୍ୟୁ ହୋଇ ନ ଥାନ୍ତା ତାହାଲେ ହୁଏତ ଗେଷ୍ଟ ହାଉସରେ ରହିବା ଘଟଣା ମଧ୍ୟ ସାମ୍ନାକୁ ଆସି ନ ଥାନ୍ତା। ଗେଷ୍ଟ ହାଉସ ନିକଟ ସ୍ଥାନୀୟ ଜଣେ ବାସିନ୍ଦାଙ୍କ କହିବା ଅନୁସାରେ, ଏଠାକୁ ପ୍ରତ୍ୟେକ ଦିନ ପୁଅ, ଝିଅ ଯିବା ଆସିବା କରନ୍ତି। ସେମାନଙ୍କ ଚାଲିଚଳନ ସନ୍ଦେହଜନକ ଥାଏ। ଏକାଧିକ ଥର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି ଲାଭ ହୁଏନାହିଁ। ଝରାଫୁଲଙ୍କ ମୃତ୍ୟୁ ହେଲା ପରେ ଏଭଳି ଘଟଣା ସାମ୍ନାକୁ ଆସିଲା।

କେବଳ ଏହି ଘଟଣା ନୁହେଁ, ୨୦୧୮ ଅଗଷ୍ଟ ୨୪ ତାରିଖରେ ମଞ୍ଚେଶ୍ବର ଥାନାଠାରୁ ଅଳ୍ପ ଦୂରରେ ଥିବା ହୋଟେଲରେ ଜଣେ ମହିଳାଙ୍କୁ ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା। ହତ୍ୟାର ଶିକାର ହୋଇଥିଲେ ଖୋର୍ଦ୍ଧାର ଲକ୍ଷ୍ମୀପ୍ରିୟା ବିଶ୍ବାଳ। ତାଙ୍କ ସାଙ୍ଗରେ ଆସିଥିବା ଯୁବକ ଆସିଥିଲେ। ସ୍ବାମୀ ପରିଚୟ ଦେବା ସହ ଦାଖଲ କରିଥିବା ଆଧାର କାର୍ଡରେ ଆଦିତ୍ୟ ମହାପାତ୍ର ବୋଲି ଉଲ୍ଲେଖ ରହିଥିଲା। ହତ୍ୟାକାଣ୍ଡ ଘଟାଇବା ପରେ ଫେରାର ହୋଇ ଯାଇଥିଲେ। ଏ ସଂକ୍ରାନ୍ତରେ ହୋଟେଲ ପକ୍ଷରୁ ଥାନାରେ ଏହି ଦୁଇ ଜଣଙ୍କ ସମ୍ପର୍କରେ କୌଣସି ସୂଚନା ଦାଖଲ କରାଯାଇ ନ ଥିଲା। ହତ୍ୟାକାରୀ ଦାଖଲ କରିଥିବା ଆଧାର କାର୍ଡ ଜାଲ ବୋଲି ଜଣାପଡିଥିଲା।

ସେହିପରି ନିକଟରେ ଘଟିଥିବା ପଟିଆ ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଏଟିଏମ୍ କାଉଣ୍ଟର ଲୁଟ୍ ଘଟଣାର ଦୁଇ ଅନ୍ତରାଜ୍ୟ ଲୁଟେରା ୫ଦିନ ଧରି ଦୁଇଟି ହୋଟେଲରେ ରହିଥିଲେ। ସେମାନେ ଅଣଓଡିଆ ହୋଇଥିବା ବେଳେ ଚାଲିଚଳଣ ମଧ୍ୟ ସନ୍ଦେହଜନକ ରହିଥିଲା। ଗ୍ୟାସ କଟରରେ ସାଙ୍ଗରେ ଆଣିଥିବା ମଧ୍ୟ ହୋଟେଲ କର୍ମଚାରୀ ଦେଖିଥିଲେ। କିନ୍ତୁ ଗ୍ରାହକଙ୍କ ସମ୍ପର୍କରେ ପୁଲିସ ନିକଟରେ କୌଣସି ତଥ୍ୟ ଦାଖଲ କରାଯାଇ ନ ଥିଲା। ୨୦୧୫ରେ ଦିଲ୍ଲୀ ପୁଲିସ ହାତରେ ଧରା ପଡିଥିବା ଇଣ୍ଡିଆନ ମୁଜାହିଦ୍ଦିନର ଦୁଇ ସଦସ୍ୟ ମାସାଧିକ କାଳ ରେଳ ଷ୍ଟେସନ ନିକଟରେ ଥିବା ଏକ ଲଜରେ ରହିଥିଲେ। କିନ୍ତୁ ଏ ସମ୍ପର୍କରେ ପୁଲିସ ସାମାନ୍ୟତମ ଟେର୍ ପାଇପାରି ନ ଥିଲା। ୨୦୧୪ରେ ଭାଇଜାଗ୍ ଷ୍ଟିଲ୍ ଏଜିଏମଙ୍କୁ ପଟିଆର ଏକ ହୋଟେଲ ଭିତରେ ହତ୍ୟା କରାଯାଇଥିଲା।

ଇଏ କେତେକ ଉଦାହରଣ ମାତ୍ର। ଲଜ୍, ହୋଟେଲରେ ଅପରାଧ ତାଲିକା ବେଶ୍ ଲମ୍ବା। ଏ ସବୁ ଘଟଣାରେ ପୁଲିସ ପାଖରେ ମଧ୍ୟ ସାମାନ୍ୟକମ ସୁରାକ୍ ପହଞ୍ଚି ନଥାଏ। ସରାଇ ଆଇନ ଅନୁସାରେ, ହୋଟେଲ, ଲଜ, ଗେଷ୍ଟ ହାଉସରେ ରହୁଥିବା ନୂଆ ଗ୍ରାହକଙ୍କ ସୂଚନା ସ୍ଥାନୀୟ ଥାନାକୁ ଜଣାଇବା ବାଧ୍ୟତାମୂଳକ। କେତେକ ବଡ଼ ଏବଂ ଦାୟିତ୍ବସମ୍ପନ୍ନ ହୋଟେଲ ଏହାକୁ ପାଳନ କରୁଛନ୍ତି। କିନ୍ତୁ ଗଳିକନ୍ଦିରେ ଥିବା ଛୋଟ ଛୋଟ ଲଜ୍, ଗେଷ୍ଟ ହାଉସ୍ ଏହାକୁ ଫାଙ୍କି ଦେଉଛନ୍ତି। ବିଶେଷ କରି ଓୟୋ ଦ୍ବାରା ପରିଚାଳିତ ହୋଟେଲ, ଗେଷ୍ଟ ହାଉସ ଏହାକୁ ଖିଲାପ କରି ଚାଲିଛନ୍ତି। ଏମିତି ଏକାଧିକ ନଜିର ରହିଛି। ଏଟିଏମ୍ ଲୁଟ୍ ପର୍ଦ୍ଦାଫାସ୍ ସମୟରେ ସେମାନେ ୫ ଦିନ ହୋଟେଲରେ ରହିଥିବା ଜଣାପଡିବା ପରେ ଗ୍ରାହକଙ୍କ ତଥ୍ୟ ଦାଖଲ କରିବା ଲାଗି ପୁଲିସ କମିସନର ଅନୁରୋଧ କରିଥିଲେ। କିନ୍ତୁ ଅଧିକାଂଶ ଏହି ନିୟମକୁ ଫାଙ୍କି ଚାଲିଛନ୍ତି। ଯାହା ଆଗକୁ ବିପଦ ଡାକିବା ସହ ବଡ଼ ବଡ଼ ଅପରାଧ ଘଟିବାର ସମ୍ଭାବନା ରହିଛି। କେବଳ ଅନୁରୋଧ କରି ପୁଲିସ ନିଜ କାମ ସାରି ଦେଇଛି। କିନ୍ତୁ ନିୟମ ଖିଲାପ ସମ୍ପର୍କରେ ପୁଲିସ ହାତ ଟେକି ଦେଇଛି।

ଅନ୍ୟ ଏକ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଅଧିକାଂଶ ପ୍ରେମୀଯୁଗଳ, ଯୁବକଯୁବତୀ ଲଜ୍ ଓ ଗେଷ୍ଟ ହାଉସରେ ଲୁଚି ଲୁଚି ରହୁଛନ୍ତି। କାଳେ ପରିବାର ଲୋକ ଖବର ପାଇଯିବେ ସେଥିପାଇଁ କେତେକ ଲଜ୍ ଓ ଗେଷ୍ଟ ହାଉସ ନିଜ ବ୍ୟବସାୟ ପ୍ରଭାବିତ ହେବା ନେଇ ତଥ୍ୟ ଦେଉ ନାହାନ୍ତି। କୌଣସି କଡ଼ା ଆଇନ ନ ଥିବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିପାରୁ ନାହିଁ। ଏ ସମ୍ପର୍କରେ ଡିସିପି ଉମାଶଙ୍କର ଦାଶ କହିଛନ୍ତି ସମସ୍ତଙ୍କୁ ଗ୍ରାହକଙ୍କ ତଥ୍ୟ ଦେବା ପାଇଁ କୁହାଯାଇଛି।

ସମ୍ବନ୍ଧିତ ଖବର