ଭୁବନେଶ୍ବର: ଦୀର୍ଘ ପଥ ଅତିକ୍ରମ କରିବା ପରେ ଦେହ ବିଶ୍ରାମ ଖୋଜୁଥିଲା। କିନ୍ତୁ ଆଖି ବୁଜିବାକୁ ମନ ଯେମିତି ଅନୁମତି ଦେଉନଥିଲା। ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କୁ ଜଳଲାଗି କରିବେ ବୋଲି ଭାବ ଭକ୍ତିରେ ରାତି ଉଜାଗର ରହି ଅପେକ୍ଷା କରିଥିଲେ ହଜାର ହଜାର କାଉଡ଼ିଆ। ଶରୀରକୁ ଭୀଷଣ କଷ୍ଟ ଓ ଯନ୍ତ୍ରଣା ହେଲେ ମଧ୍ୟ ରାତି ଅଧରୁ ଧାଡ଼ିରେ ରହିଥିଲେ। ଭୋର ୩ଟାରେ ମନ୍ଦିର ଖୋଲିଥିଲା। ହର୍ ହର୍ ମହାଦେବ... ଜୟ ପ୍ରଭୁ ଲିଙ୍ଗରାଜ... ଓଁ ନମଃ ଶିବାୟ ଧ୍ବନିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା। ନୀତିକାନ୍ତି ପରେ କାଉଡ଼ିଆମାନେ ଧାଡ଼ିରେ ଯାଇ ପ୍ରଭୁ ଲିଙ୍ଗରାଜଙ୍କୁ ଜଳଲାଗି କରିଥିଲେ। ଆଜି ଶ୍ରାବଣ ମାସ ପ୍ରଥମ ସୋମବାରରେ ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର କାଉଡ଼ିଆ ପ୍ରଭୁ ଲିଙ୍ଗରାଜଙ୍କୁ ଜଳଲାଗି କରିଥିଲେ।
ଗତକାଲି ଅପରାହ୍ନରୁ କାଉଡ଼ିଆମାନେ ଏକାମ୍ରକ୍ଷେତ୍ରରେ ପହଞ୍ଚିଥିଲେ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ମନ୍ଦିର ସମ୍ମୁଖରେ ଲୁହା ବ୍ୟାରିକେଡ୍ ସହ କାଉଡ଼ିଆଙ୍କ ବିଶ୍ରାମ ପାଇଁ ବ୍ୟବସ୍ଥା କରାଯାଇଥିଲା। ରାତି ପ୍ରାୟ ୧ଟାରୁ କାଉଡ଼ିଆମାନେ ଧାଡ଼ିରେ ରହିଥିଲେ। ମଙ୍ଗଳଆଳତି ଓ ଅବକାଶ ନୀତି ପରେ ଭୋର ୪ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। କାଉଡ଼ିଆମାନେ ଧାଡ଼ିରେ ଆସି ଆଡ଼କାଠ ନିକଟରେ ତମ୍ୱାପାତ୍ରରେ ତୀର୍ଥ ଜଳ ଢାଳିଥିଲେ। ସେହି ଜଳ ସିଧା ଯାଇ ଠାକୁରଙ୍କ ଶକ୍ତି ଉପରେ ପଡ଼ିଥିଲା। ଏହାପରେ କାଉଡ଼ିଆଙ୍କୁ ଗର୍ଭଗୃହ ଭିତରେ ଦର୍ଶନ କରିବାର ସୌଭାଗ୍ୟ ମିଳିଥିଲା। କାଉଡ଼ିଆଙ୍କ ସମେତ ସାଧାରଣ ଦର୍ଶନ ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଅନ୍ୟ ଦିନମାନଙ୍କରେ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ କରାଯାଉଥିଲେ ହେଁ ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ଜାରି ରହିଥିଲା। ତେବେ ସକାଳ ୧୦ଟା ସୁଦ୍ଧା ପ୍ରାୟ ସମସ୍ତ କାଉଡ଼ିଆ ଜଳଲାଗି କରି ସାରିଥିଲେ। କିନ୍ତୁ ଲିଙ୍ଗରାଜଙ୍କ ଦର୍ଶନ ପାଇଁ ଦିନ ୨ଟା ପର୍ଯ୍ୟନ୍ତ ମନ୍ଦିରରେ ପ୍ରବଳ ଗହଳି ଲାଗି ରହିଥିଲା।
ସାଧାରଣ ଦର୍ଶନ ବନ୍ଦ ପରେ ପ୍ରଭୁ ଲିଙ୍ଗରାଜଙ୍କ ଛାମୁ ପରିଷ୍କାର କରାଯାଇ ମହାସ୍ନାନ କରାଯାଇଥିଲ। ଆଜି ଅପରାହ୍ନରେ ମଧ୍ୟ ଭକ୍ତଙ୍କ ସମାଗମ ହୋଇଥିଲା। ରାତି ୮ଟାରୁ ୯ଟା ପର୍ଯ୍ୟନ୍ତ ପୁନର୍ବାର ସାହାଣମେଲା ଦର୍ଶନ କରାଯାଇଥିଲା। ଆଜି ପ୍ରଭୁ ଲିଙ୍ଗରାଜଙ୍କ ସମେତ କପିଳେଶ୍ବର, ବ୍ରହ୍ମେଶ୍ବର, ମୁକ୍ତେଶ୍ବର ଆଦି ଅଧିକାଂଶ ଶିବମନ୍ଦିରରେ ସାଧାରଣ ଦର୍ଶନ ଓ ଜଳଲାଗି ପାଇଁ ଭିଡ଼ ହୋଇଥିଲା।
‘ଓଁ ନମଃ ଶିବାୟ’ ଧ୍ବନିରେ କମ୍ପିଲା ଏକାମ୍ରକ୍ଷେତ୍ର
ଦୀର୍ଘ ପଥ ଅତିକ୍ରମ କରିବା ପରେ ଦେହ ବିଶ୍ରାମ ଖୋଜୁଥିଲା। କିନ୍ତୁ ଆଖି ବୁଜିବାକୁ ମନ ଯେମିତି ଅନୁମତି ଦେଉନଥିଲା। ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କୁ ଜଳଲାଗି କରିବେ ବୋଲି ଭାବ ଭକ୍ତିରେ ରାତି ଉଜାଗର ରହି ଅପେକ୍ଷା କରିଥିଲେ ହଜାର ହଜାର...
/sambad/media/media_files/2025/07/15/puqgqbh-2025-07-15-07-06-53.jpg)