ଲୁଟେରାଙ୍କୁ ସୁରକ୍ଷା ଦେଉଛି କମିସନରେଟ ପୁଲିସ! ଲୁଟ୍‌ ମାମଲାରେ ଲଗାଉଛି ଚୋରି ଦଫା

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଚୋର ଓ ଲୁଟେରା। ଏମିତି କୌଣସି ଦିନ ନାହିଁ ଯେଉଁଦିନ ଚୋରି, ଲୁଟ୍ ସାମ୍ନାକୁ ଆସୁନାହିଁ। ରାସ୍ତାଘାଟଠୁ ନେଇ ଗଳିକନ୍ଦି ଯାଏ ସବୁଠି ଲୁଟେରାଙ୍କ ଆତଙ୍କ ଦେଖିବାକୁ ମିଳିଛି। ଲୁଟେରାଙ୍କ ମନରେ ସାମାନ୍ୟତମ ଭୟ ସୃଷ୍ଟି କରିପାରୁ ନ ଥିବା କମିସନରେଟ ପୁଲିସର କୋହଳ ମନୋଭାବ ଏବେ ସାମ୍ନାକୁ ଆସିଛି। ଗୋଟିଏ କି ଦୁଇଟି ଘଟଣା ନୁହେଁ; ଏକାଧିକ ଲୁଟ୍ ମାମଲାରେ ଚୋରି ଦଫା ଲଗାଇ ନିଜର ଭାବମୂର୍ତ୍ତି ରକ୍ଷା କରିବାକୁ ଚେଷ୍ଟା କରୁଛି ପୁଲିସ। ଯେଉଁଥିରେ ଲୁଟେରାଙ୍କୁ ମାମଲାରେ ଫାଇଦା ମିଳିବ ବୋଲି କୁହାଯାଉଛି।

କ୍ୟାପିଟାଲ ଥାନା ପୁଲିସର ଦୁଇଟି ଘଟଣା ଏବେ ସାମ୍ନାକୁ ଆସିଛି। ଗୋଟିଏ ହେଲା କଡ଼ା ସୁରକ୍ଷା ବଳୟରେ ଥିବା ରାଜଭବନ-ଏଜି ରାସ୍ତାରେ ଗତ ୧୭ ତାରିଖରେ ଲୁଟର ଶିକାର ହୋଇଛନ୍ତି ସ୍ପନ୍ଦନ କୁମାର ଭଞ୍ଜଦେଓ। ସ୍ପନ୍ଦନ ଏକ ଭଡ଼ା ସ୍କୁଟିରେ ବସି ଆସୁଥିଲେ ଭୁବନେଶ୍ବର ରେଳ ଷ୍ଟେସନ ଆସୁଥିଲେ। ଦୁଇ ଜଣ ଲୁଟେରା ଏକ କଳା ଓ ନାଲି ରଙ୍ଗର ପଲସର ବାଇକ୍‌ରେ ଆସି ରାଜଭବନ-ଏଜି ରାସ୍ତାରେ ତାଙ୍କର ମୋବାଇଲ ଫୋନ୍ ଝାମ୍ପି ନେଇଥିଲେ। ବାଇକ୍‌ ପଛରେ ବସିଥିବା ଲୁଟେରା ନାଲି ରଙ୍ଗର ରେନ୍‌କୋର୍ଟ ପିନ୍ଧିଥିଲା। ଏ ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଏହା ଏକ ଲୁଟ୍ ଘଟଣା ହୋଇଥିବା ବେଳେ ପୁଲିସ କିନ୍ତୁ ଚୋରି ଦଫା(୩୭୯/୩୪)ରେ ମାମଲା ରୁଜୁ କରିଛି।

ସେହିପରି ଅନ୍ୟ ଏକ ମାମଲାରେ ମଧ୍ୟ ସେହି ସମାନ କଥା ଦେଖିବାକୁ ମିଳିଛି। ଅଶୋକନଗରସ୍ଥିତ ସନ୍ତୋଷୀ ମା’ ମନ୍ଦିର ପୂଜକ ଅଭିଯୋଗ କରିଛନ୍ତି ତାଙ୍କ ପତ୍ନୀଙ୍କଠାରୁ ଘର ଆଗରେ ଲୁଟେରା ମୋବାଇଲ ଫୋନ୍ ଛଡ଼ାଇ ନେଇଛନ୍ତି। ଏହା ଏକ ଲୁଟ୍ ଘଟଣା ହୋଇଥିଲେ ମଧ୍ୟ ପୁଲିସ ଚୋରି ଦଫାରେ ମାମଲା ରୁଜୁ କରିଛି। ଯାହା ପୁଲିସର କାର୍ଯ୍ୟଶୈଳୀ ଉପରେ ସନ୍ଦେହ ସୃଷ୍ଟି କରିଛି। ଏଠାରେ ପ୍ରଶ୍ନ ଉଠୁଛି ବରିଷ୍ଠ ଅଧିକାରୀଙ୍କ କଡ଼ା ନିର୍ଦ୍ଦେଶ ସତ୍ତ୍ବେ କାହିଁକି ଦଫା ବଦଳାଉଛି ପୁଲିସ? ଅନେକ ସମୟରେ ରାଜଧାନୀର ବିଭିନ୍ନ ଥାନାରେ ପୁଲିସ ବିରୋଧରେ ଦଫା ବଦଳାଇବାର ଅଭିଯୋଗ ମଧ୍ୟ ଆସିଛି।

ଆଇନଜୀବୀ ସିଦ୍ଧାର୍ଥ ଦାସଙ୍କ କହିବା ଅନୁସାରେ, ଚୋରି ଠାରୁ ଲୁଟ୍ ହେଉଛି ଅଧିକ ସଙ୍ଗିନ ଅପରାଧ। ଚୋରି ଦଫା(୩୭୯)ରେ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି। କିନ୍ତୁ ଲୁଟ୍, ଛିନ୍‌ତାଇ ଦଫା(୩୯୨)ରେ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ଦଣ୍ଡର ବ୍ୟବସ୍ଥା ଅଛି। କିନ୍ତୁ ପୁଲିସ ନିଜର ଭାବମୂର୍ତ୍ତି ରକ୍ଷା କରିବା ପାଇଁ ଏଭଳି ଦଫା ବଦଳାଉଛି। କାରଣ ଅପରାଧ ରେକର୍ଡ ବ୍ୟୁରୋରେ ଏହାର ହିସାବ ରହେ। ଲୁଟ୍ ସଂଖ୍ୟା ଅଧିକ ହେଲେ ପୁଲିସର ଛବି ମଳିନ ପଡ଼ିଥାଏ। ଏହାକୁ ଲୁଚାଇବାକୁ ଯାଇ ଲୁଟ୍ ଘଟଣାରେ ଚୋରି ଦଫା ଲଗାଉଛି ପୁଲିସ। ଏ ସଂକ୍ରାନ୍ତରେ କ୍ୟାପିଟାଲ ଥାନା ପୁଲିସ ସହ ଯୋଗାଯୋଗ କରା ଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର