ଲୁଟେରାଙ୍କ ଉତ୍ପାତ ସୀମା ଟପି ଗଲାଣି, ବନ୍ଧୁକ ମୁନରେ ଗର୍ଭବତୀଙ୍କୁ ଲୁଟିଲେ

କାନ ଛିଣ୍ଡାଇ ଦେଲେ, କାଢ଼ିନେଲେ ୨ ଲକ୍ଷ ଟଙ୍କାର ଗହଣା

ବାଲିଅନ୍ତା: ବାଲିପାଟଣା ଓ ବାଲିଅନ୍ତା ଅଞ୍ଚଳରେ ଛିନ୍‌ତାଇ କରି ଆତଙ୍କ ଖେଳାଇ ଦେଇଥିବା ଲୁଟେରାଙ୍କ ଉତ୍ପାତ ପୁଣି ଆଜି ଦେଖିବାକୁ ମିଳିଛି। କିଛି ଦିନର ନିରବତା ପରେ ସେମାନେ ପୁଣି ଏକ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ବନ୍ଧୁକ ମୁନରେ ଜଣେ ଗର୍ଭବତୀ ମହିଳାଙ୍କଠାରୁ ପ୍ରାୟ ୨ଲକ୍ଷ ଟଙ୍କା ଗହଣା ଲୁଟି ନେଇଛନ୍ତି। ଆଜି ଅପରାହ୍‌ଣ ପ୍ରାୟ ୧ଟାରେ ହଂସପାଳ-ଅଭୟମୁଖୀ ରାସ୍ତା ରାମଚନ୍ଦ୍ରପୁର କେନାଲ ବ୍ରିଜ ନିକଟରେ ଏହି ଚାଞ୍ଚଲ୍ୟକର ଲୁଟ୍‌ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ଦମ୍ପତି ହେଲେ, ଆଲୋକ କୁମାର ଜେନା ଓ ତାଙ୍କ ସ୍ତ୍ରୀ ସୁଲୋଚନା। ଦୁର୍ବୃତ୍ତମାନେ ସ୍ବାମୀ-ସ୍ତ୍ରୀଙ୍କ ଦୁଇଟି ମୁଦି, ମହିଳାଙ୍କ ସୁନାଚେନ୍‌, ଦୁଇଟି ମୋବାଇଲ, ମଙ୍ଗଳସୂତ୍ର, କାନପେଣ୍ଡିଫୁଲ ଓ ପର୍ସରେ ଥିବା ନଗଦ ୮୦୦୦ଟଙ୍କା ଲୁଟି ନେଇଥିଲେ। ଲୁଟ୍‌ ଗହଣାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି। ଏ ସଂପର୍କରେ ଆଜି ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି।

ସୂଚନାନୁସାରେ, ଧାନମଣ୍ଡଳ ଅଞ୍ଚଳର ଏହି ଦମ୍ପତି ‌ଓଲଟପୁର ଥାନା ଦାମୋଦରପୁର ଅଞ୍ଚଳରେ ରୁହନ୍ତି। ଆଲୋକ ଜଣେ ମେକାନିକ୍‌। ତାଙ୍କର ଦାମୋଦରପୁର ବଜାରରେ ଏକ ଗ୍ୟାରେଜ୍‌ ଅଛି। ଆଜି ସେମାନେ ଭୁବନେଶ୍ବର ବିଏମ୍‌ସି ହସ୍ପିଟାଲରୁ ସ୍ବାସ୍ଥ୍ୟ ପରୀକ୍ଷା କରି ଘରକୁ ଫେରୁଥିଲେ। ବାଟରେ ଏକ ନିଛାଟିଆ ସ୍ଥାନରେ ବାଇକ୍‌ରେ ଥିବା ୩ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ। ଜ‌ଣେ ଦୁର୍ବୃତ୍ତ ଆଲୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ରଖିଥିଲା ଓ ସୁଲୋଚନାଙ୍କୁ ଲକ୍ଷ୍ୟ କରି ଧମକ ଦେଉଥିଲା। ସୁଲୋଚନା ନିଜର ଅସୁସ୍ଥତାକୁ ନେଇ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ଦୁର୍ବୃତ୍ତମାନେ କିଛି ଶୁଣିନଥିଲେ। ସେମାନେ ଗହଣା ବାହାର କରିବାକୁ ତାଙ୍କୁ ବାଧ୍ୟ କରିଥିଲେ ଓ ନହେଲେ ଆଲୋକକୁ ଗୁଳି କରିଦେବେ ବୋଲି ଧମକ ଦେଇଥିଲେ। ତଥାପି ସୁଲୋଚନା ଟିକିଏ ବିଳମ୍ବ କରିବାରୁ ଜଣେ ଦୁର୍ବୃତ୍ତ ଆଲୋକଙ୍କୁ ମାଡ଼ ମାରିଥିଲା ଓ ଅନ୍ୟ ଜଣେ ସୁଲୋଚନାଙ୍କ କାନରୁ ପେଣ୍ଡିଫୁଲ ଟାଣି ନେଇଥିଲା। ଫଳରେ ତାଙ୍କ କାନ ଛିଣ୍ତି ପ୍ରଚୁର ରକ୍ତ ବାହାରିଥିଲା। ଏହା ପରେ ଭୟରେ ସୁଲୋଚନା ନିଜ ହାତରେ ସବୁ ଗହଣା ବାହାରି କରି ସେମାନଙ୍କ ହାତକୁ ବଢ଼ାଇ ଦେଇଥିଲେ। ଏହା ପରେ ମଧ୍ୟ ଲୁଟେରାମାନେ ସେମାନଙ୍କ ପର୍ସ ଭିତରୁ ଏଟିଏମ କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ ଓ ସୁଲୋଚନାଙ୍କ ପ୍ରେସ୍‌କ୍ରିପ୍‌ସନ ନେଇଯାଇଥିଲେ। ପ୍ରମାଣପତ୍ର ଓ ପ୍ରେସ୍‌କ୍ରିପ୍‌ସନ ଫେରାଇ ଦେବାକୁ ସେମାନେ ଯେତେ କାକୁତିମିନତି ହୋଇଥିଲେ ମଧ୍ୟ ଦୁର୍ବୃତ୍ତମାନେ ଶୁଣିନଥିଲେ।

ମୋବାଇଲ୍‌ ଝାମ୍ପିନେଲେ
ଚନ୍ଦ୍ରଶେଖରପୁର: ପୁଣି ମାତିଲେଣି ଲୁଟେରା। ଦିନ ଦି’ପ୍ରହରରେ ଝାମ୍ପି ନେଲେ ମୋବାଇଲ୍‌। ଆଜି ମଞ୍ଚେଶ୍ବର ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଛି। ମଧ୍ୟାହ୍ନ ସମୟରେ ମଞ୍ଚେଶ୍ବର ‌ରେଳ ଷ୍ଟେସନ ଓ ମଞ୍ଚେଶ୍ବର ରେଳଡ଼ବା ମରାମତି କାରଖାନା ରାସ୍ତାରେ ଯାଉଥିବା ଜଣେ ରେଳ କର୍ମଚାରୀ ଲୁଟ୍‌ର ଶିକାର ହୋଇଛନ୍ତି। ରେଳ କର୍ମଚାରୀ ଚାଲି ଚାଲି କାର୍ଯ୍ୟାଳୟକୁ ଯାଉଥିଲେ। ଯିବା ସମୟରେ ସମ୍ପୃକ୍ତ କର୍ମଚାରୀ ଜଣକ ଫୋନ୍‌ରେ କଥା ହେଉଥିଲେ। ଏହାର ସୁଯୋଗ ନେଇ ବ୍ଲାକ୍‌ ପଲ୍‌ସରରେ ଆସିଥିବା ଦୁଇ ଜଣ ଯୁବକ ତାଙ୍କ ହାତରୁ ମୋବାଇଲ୍‌ ଝାମ୍ପି ନେଇଥିଲେ। କର୍ମଚାରୀ ଜଣକ ପାଟି କରି ଚିଲାଇବା ବେଳେ ଯୁବକ ଦୁଇ ଜଣ ବାଇକ୍‌‌ ଯୋଗେ ପଳାଇ ଯାଇଥିଲେ।ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ ନିୟମିତ ବ୍ୟବଧାନରେ ଏହି ରାସ୍ତାରେ ଲୁଟ୍‌ ହେଉଛି। ପୂର୍ବରୁ ମଧ୍ୟ ଏକାଥର ଥର ଏଭଳି ଘଟଣା ନଜରକୁ ଆସିଛି। ପୁଲିସ ନିକଟରେ ଅଭିଯୋଗ ହୋଇଛି। ତା’ପରେ ବି କିଛି ସୁଫଳ ମିଳୁନି। ନିଛାଟିଆ ରାସ୍ତା ହୋଇଥିବାରୁ ଲୁଟେରାମାନେ ରାସ୍ତାରେ ଆତଙ୍କ ଖେଳା‌ଉଛନ୍ତି। ମଧ୍ୟାହ୍ନ ଓ ସନ୍ଧ୍ୟା ସମୟରେ ଲୋକଙ୍କ ଚଳପ୍ରଚଳ ସାମାନ୍ୟ କମିବା ପରେ ଲୁଟେରାମାନେ ପଥଚାରୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଏହି ସମୟରେ ପୁଲିସ ପେଟ୍ରୋଲିଂ ବଢ଼ାଇବାର ଆବଶ୍ୟକତା ରହିଛି।

 

ସମ୍ବନ୍ଧିତ ଖବର