ଭୁବନେଶ୍ୱର: ଆଜି ଥିଲା ପବିତ୍ର କାର୍ତ୍ତିକ ମାସର ପ୍ରଥମ ସୋମବାର। ତେଣୁ ସ୍ବାଭାବିକ ଭାବେ ଏକାମ୍ର କ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଏକାମ୍ର କ୍ଷେତ୍ରାଧିପତି ପ୍ରଭୁ ଲିଙ୍ଗରାଜଙ୍କ ସମେତ ସମସ୍ତ ଅନ୍ୟ ଶୈବପୀଠରେ ଶ୍ରଦ୍ଧାଳୁ ସକାଳୁ ସନ୍ଧ୍ୟା ଯାଏ ହଜାର ହଜାର ଶ୍ରଦ୍ଧାଳୁ ଭୋଳାନାଥଙ୍କୁ ଦର୍ଶନ କରିଥିଲେ। ସନ୍ଧ୍ୟାରେ ପ୍ରଭୁ ଲିଙ୍ଗରାଜଙ୍କ ଅପୂର୍ବ ରାଈ ଦାମୋଦର ବେଶ ଦର୍ଶନ ପାଇଁ ମନ୍ଦିରରେ ନାହିଁ ନ ଥିବା ଭିଡ଼ ଦେଖିବାକୁ ମିଳିଥିଲା। 

Advertisment

ସବୁଦିନ ପରି ଆଜି ସକାଳ ୬ଟାର ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଖୋଲିଥିଲା। ମଙ୍ଗଳଆଳତି, ସୂର୍ଯ୍ୟପୂଜା ଇତ୍ୟାଦି ପରେ ସକାଳ ସାଢ଼େ ୬ଟାରୁ ସାହାଣମେଲା ଦର୍ଶନ ଆରମ୍ଭ ହୋଇଥିଲା। ପ୍ରାୟ ସାଢ଼େ ୯ଟା ପର୍ଯ୍ୟନ୍ତ ୩ ଘଣ୍ଟା ଧରି ସାହାଣମେଲା ଦର୍ଶନ କରିଥିଲେ ଶ୍ରଦ୍ଧାଳୁ। ଦର୍ଶନ ପାଇଁ ମନ୍ଦିର ଭିତରୁ ବାହାର ପର୍ଯ୍ୟନ୍ତ ଲମ୍ବାଧାଡ଼ି ଲାଗିଥିଲା। ସାହାଣମେଲା ଦର୍ଶନ ପରେ ଛାମୁ ପରିସ୍କାର କରାଯାଇ ଦିନ ୧୦ଟା ବେଳକୁ ମାଘସ୍ନାନ କରାଯାଇଥିଲା। ୧୨ଟା ୨୦ରେ ସକାଳ ଧୂପନୀତି ଅନୁଷ୍ଠିତ ହୋଇଥିଲା। ଭୋଗ ମଣ୍ଡପ ପୂଜା ସରିବା ପରେ ପୁଣି ଅପରାହ୍ନ ୩ଟାରୁ ପ୍ରାୟ ୨ ଘଣ୍ଟା ସାହାଣମେଲା ଦର୍ଶନ ହୋଇଥିଲା। 

ସନ୍ଧ୍ୟାରେ ପ୍ରଭୁ ଲିଙ୍ଗରାଜ ରାଈ ଦାମୋଦର ବେଶରେ ଦର୍ଶନ ଦେଇଥିଲେ। ସନ୍ଧ୍ୟାଧୂପ ପରେ ପାଳିଆ ବଡ଼ୁ ସେବକମାନେ ଠାକୁରଙ୍କୁ ରାଈ ଦାମୋଦର ବେଶରେ ସଜେଇ ଥିଲେ। ମହାସୁଆରଙ୍କ ଦ୍ବାରା ‘ଠା’ ବା ଯୋଗାଡ଼ କରାଯାଇ ପୂଜାପଣ୍ଡା ସନ୍ଧ୍ୟାଧୂପ ପୂଜା କରିଥିଲେ। ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ବାହାରୁ ଆସିଥିବା ଭକ୍ତଙ୍କ ସମେତ ପୁରୁଣା ଭୁବନେଶ୍ବର ବାସିନ୍ଦାଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା।