ଭୁବନେଶ୍ବର: ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଲ ପ୍ରଭୁପାଦଙ୍କ ମାର୍ଗଦର୍ଶନରେ ଶ୍ରୀ ଗୌରଗୋବିନ୍ଦ ସ୍ୱାମୀଙ୍କ ନେତୃତ୍ବରେ ୧୯୭୫ ମସିହାରେ ଭୁବନେଶ୍ବରରେ ଇସ୍କନ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶ୍ରୀଲ ପ୍ରଭୁପାଦଙ୍କ ଦ୍ବାରା ପ୍ରତିଷ୍ଠିତ ୧୦୮ତମ ତଥା ଶେଷ ମନ୍ଦିର ହେଉଛି ‘ଭୁବନେଶ୍ବର ଇସ୍କନ ମନ୍ଦିର’। ଏହି ମନ୍ଦିର ନିର୍ମାଣ ପାଇଁ ୧୭ ବର୍ଷ ଲାଗିଯାଇଥିବା ବେଳେ ୧୯୯୧ ମସିହାରେ ଏହା ଶ୍ରୀ ନିତ୍ୟାନନ୍ଦ ପ୍ରଭୁଙ୍କ ଉପସ୍ଥିତିରେ ପ୍ରତିଷ୍ଠା ହୋଇଥିଲା। ଇସ୍କନ ମନ୍ଦିର ଭୁବନେଶ୍ବରର ରାଜ୍ୟ ଲୋକସମ୍ପର୍କ ଅଧିକାରୀ ରାଧାକାନ୍ତ ଦାସ କହିଛନ୍ତି, ମନ୍ଦିର ନିର୍ମାଣ ପାଇଁ ଦେଶ, ବିଦେଶର କୃଷ୍ଣଭକ୍ତମାନଙ୍କ ଦାନ,  ବମ୍ବେ ଇସ୍କନରୁ ଦେଢ଼କୋଟି ଟଙ୍କା ଋଣ ସୂତ୍ରରେ ଅଣାଯାଇଥିଲା। ଏଥିସହ କୋଲକାତାରେ ରହୁଥିବା ଭକ୍ତ ଛବି କାନୁନ୍‌ଗୋ ନୂଆପଲ୍ଲୀଏକ ଏକର ଜମି ଇସ୍କନ ମନ୍ଦିର ପ୍ରତିଷ୍ଠା ପାଇଁ ଦାନ ସୂତ୍ରରେ ଦେଇଥିଲେ। ଏଥି ସହ ଇସ୍କନର ଜଗନ୍ନାଥପୁରରେ ଥିବା ଜମିକୁ ବିକି ଏଠାରେ ଅଧ ଏକରରୁ ଅଧିକ ଜମି କିଣାଯାଇଥିଲା। ଏବେ ଇସ୍କନ ମନ୍ଦିର ୨ ଏକର ଜମିରେ ଅବସ୍ଥାପିତ। ମନ୍ଦିର ନିର୍ମାଣ ପାଇଁ ବି ସେତେବେଳେ ପାଖାପାଖି ୩ କୋଟି ଖର୍ଚ୍ଚ ହୋଇଥିଲା। 
ଏହି ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣ ସମ୍ପୂର୍ଣ୍ଣ ହିନ୍ଦୁମନ୍ଦିର ଶୈଳୀରେ ହୋଇଥିବା ବେଳେ ଫୁଟୁଥିବା ପଦ୍ମପାଖୁଡ଼ା ଭଳି ମନ୍ଦିରର ପ୍ରବେଶପଥ ହୋଇଛି। ଯାହା ଭକ୍ତଙ୍କୁ ଆକର୍ଷିତ କରିଥାଏ। ହିନ୍ଦୁ ମନ୍ଦିର ନିର୍ମାଣଶୈଳୀ ଭଳି ଏଥିରେ ରହିଛି ଜଗତି, ଅର୍ଦ୍ଧମଣ୍ଡପ, ମହାମଣ୍ଡପ, ଗର୍ଭଗୃହ, ଶିଖର, ଅମଳକ ଓ କଳସ।  ଏହି ମନ୍ଦିରକୁ ଶ୍ରୀକୃଷ୍ଣ, ବଳରାମ ମନ୍ଦିର ବି କୁହାଯାଏ। ଶ୍ରୀ ଗୌରଗୋବିନ୍ଦ ସ୍ୱାମୀଙ୍କ ଦ୍ୱାରା ନିର୍ମିତ ଏହି ପବିତ୍ର ସ୍ଥାନ ଆଧ୍ୟାତ୍ମିକ ଶିକ୍ଷା ଓ ଚର୍ଚ୍ଚାର ଏକ ଗୁରୁତ୍ବପୂର୍ଣ୍ଣ କେନ୍ଦ୍ର। ଏହି ବିସ୍ତୀର୍ଣ୍ଣ ମନ୍ଦିର ପରିସରରେ ଏକ ପଦ୍ମମନ୍ଦିର ରହିଛି, ଯେଉଁଠା‌ରେ ଶ୍ରୀରାଧାଗୋପୀନାଥ ଓ ଶ୍ରୀଗୌରଙ୍ଗ ମହାପ୍ରଭୁଙ୍କର ମୂର୍ତ୍ତି ପୂଜା ପାଉଛନ୍ତି। ମନ୍ଦିରରେ ଶ୍ରୀକୃଷ୍ଣ-ଶ୍ରୀବଳରାମ, ଶ୍ରୀ ଗୌରନିତାଇ ଓ ଶ୍ରୀ ଜଗଗନ୍ନାଥ, ଶ୍ରୀବଳରାମ ଓ ସୁଭଦ୍ରା ଦେବୀଙ୍କର ତିନିଟି ମନ୍ଦିର ମଧ୍ୟ ଅଛି। ମନ୍ଦିରରେ ଶ୍ରୀଲ (ସ୍ୱାମୀ) ପ୍ରଭୁପାଦଙ୍କର ‘ଭଜନ କୁଟୀର’ ଓ ଶ୍ରୀ ଗୌର ଗୋବିନ୍ଦ ସ୍ୱାମୀଙ୍କ ‘ସମାଧି ମନ୍ଦିର’ ଓ ‘ସ୍ମୃତି ମନ୍ଦିର’ ମଧ୍ୟ ଅଛି। ମନ୍ଦିର ପରିସରରେ ‘ବ୍ରହ୍ମଚାରୀ’ ଆଶ୍ରମ କମ୍ପ୍ଲେକ୍ସ ରହିଛି। ଯେଉଁଠାରେ ୧୫୦ ଜଣ ବ୍ରହ୍ମଚାରୀ ଏକା ସମୟରେ ରହିବାର ବ୍ୟବସ୍ଥା କରାଯାଇଛି। ଏହି ଆଶ୍ରମ କମ୍ପ୍ଲେକ୍ସରେ ଏକ କାର୍ଯ୍ୟାଳୟ, ୩୦୦ ଭକ୍ତଙ୍କ ପାଇଁ ‘ପ୍ରସାଦ ହଲ୍’, ୧୫୦ ଭକ୍ତଙ୍କ ପାଇଁ ଏକ ସମ୍ମିଳନୀ କକ୍ଷ, ଏକ ଗ୍ରନ୍ଥାଗାର ଓ ସନ୍ନ୍ୟାସୀମାନଙ୍କ ପାଇଁ ୪ଟି ପ୍ରକୋଷ୍ଠ ରହିଛି। ମନ୍ଦିର ପରିସରରେ ତିନିଟି ବ୍ୟଞ୍ଜନଶାଳା ରହିଛି। ଗୋଟିଏ ବ୍ୟଞ୍ଜନଶାଳାରେ ଭଗବାନଙ୍କ ପାଇଁ ପ୍ରସାଦ ରନ୍ଧାଯାଉଥିବା ବେଳେ ଗୋଟିଏରେ ଭକ୍ତମାନଙ୍କ ପାଇଁ ରୋଷେଇ ହୁଏ ଏବଂ ଅନ୍ୟଟିରେ ‘ଗୋବିନ୍ଦ ପ୍ରସାଦ’ ରେସ୍ତୋରାଁ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ ବୋଲି ଶ୍ରୀ ଦାସ କହିଛନ୍ତି।