ପରକୀୟା ପ୍ରୀତିର ଭୟଙ୍କର ପରିଣତି, ବିଷ ପିଇ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା‌

ଭୁବନେଶ୍ବର: ରାଜଧାନୀରେ ପୁଣି ଏକ ପରକୀୟା ପ୍ରୀତିର କରୁଣ ପରିଣତି ଦେଖିବାକୁ ମିଳିଛି। ପ୍ରେମୀଯୁଗଳ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମୃତକମାନେ ହେଲେ ସୋମନାଥ ସାହୁ ଓ ସୁଲୋଚନା ନାୟକ। ଘଟଣା ଘଟିଛି ଭରତପୁର ଥାନା ଅଧୀନ ଫୁଲେଶ୍ବରୀ ବସ୍ତିରେ। ପୁଲିସ ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ଲାଗି ଭୁବନେଶ୍ବର ଏମ୍‌ସକୁ ପଠାଇଛି।

ସୂଚନାନୁସାରେ ନୟାଗଡ଼ର ସୋମନାଥ ଗତ କିଛି ବର୍ଷ ହେଲା ନିଜ ପରିବାର(ସ୍ତ୍ରୀ ଓ ଦୁଇ ପିଲା) ସହିତ ଫୁଲେଶ୍ବରୀ ବସ୍ତିରେ ରହୁଥିଲେ। କିନ୍ତୁ ୪/୫ ଦିନ ତଳେ ହଠାତ୍ ସେ ଢେଙ୍କାନାଳ ରାସୋଳ ଅଞ୍ଚଳର ସୁଲୋଚନାଙ୍କୁ ଆଣି ପାଖରେ ରଖିଥିଲେ। ସୁଲୋଚନା ବିବାହିତା ଓ ତାଙ୍କର ମଧ୍ୟ ପିଲାଛୁଆ ଥିବା ଜଣାପଡ଼ିଥିଲା। ସୋମନାଥଙ୍କ ଭଉଣୀ ଓ ସ୍ତ୍ରୀ ଏହାକୁ ଘୋର୍‌ ବିରୋଧ‌ କରିଥିଲେ। ଘରକୁ ସଉତୁଣୀ ଆସିବା ପରେ ସ୍ବାଭାବିକ ଭାବେ ଘରେ ଖୁବ୍‌ ପାଟିତୁଣ୍ଡ ହୋଇଥିଲା। ଶେଷରେ କଥା ସୋମନାଥଙ୍କ ଗାଁ ପର୍ଯ୍ୟନ୍ତ ଯାଇଥିଲା। ଗାଁରୁ ଭଦ୍ରଲୋକମାନେ ଆସି ଏହି ମାମଲାର ସମାଧାନ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏତେ ସବୁ ସତ୍ତ୍ବେ ଦୁହେଁ ଦୁହିଁଙ୍କୁ ଛାଡ଼ିବେ ନାହିଁ ବୋଲି ସଫାସଫା ଜଣାଇଦେଇଥିଲେ। ତେବେ ଗତକାଲି ସଂଧ୍ୟାରେ ଦୁହେଁ କୀଟନାଶକ ପିଇ ଆତ୍ମହତ୍ୟା କରିଥିଲେ। ସୋମନାଥଙ୍କ ସହିତ ସୁଲୋଚନାଙ୍କ ପରିଚୟ କିଭଳି ହୋଇଥିଲା, ତାହା ଏଯାଏ ସ୍ପଷ୍ଟ ହୋଇନାହିଁ। ପୁଲିସ ଏ ସବୁ ଦିଗକୁ ନେଇ ତଦନ୍ତ ଚଳାଇଛି। ପୁଲିସ ସୁଲୋଚନା ଓ ସୋମନାଥଙ୍କ ପରିବାର ଲୋକଙ୍କୁ ଥାନାକୁ ଡକାଇଛି। ଉଭୟ ପରିବାରକୁ ପଚରାଉଚରା କରାଯିବା ପରେ ଘଟଣା ଉପରୁ ରହସ୍ୟ ଉଠିପାରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର