ଭୁବନେଶ୍ବର: ପ୍ରେମ ପାଇଁ ଝୁଲିପଡ଼ିଲେ ପ୍ରେମୀଯୁଗଳ। ଘଟଣାଟି ଘଟିଛି ନୂଆପଲ୍ଲୀ ଥାନା ସାଲିଆସାହି ଶ୍ରୀରାମନଗର ଅଞ୍ଚଳରେ। ମୃତକଦ୍ବୟ ହେଲେ, ସାଲିଆସାହି ଅଞ୍ଚଳର ପି. ବର୍ଷା ରେଡ୍ଡୀ ଓ ଗଞ୍ଜାମ ଜିଲ୍ଲା ନୂଆଗାଁ ଥାନା ନାରାୟଣପୁର ଅଞ୍ଚଳର ଚିତ୍ରସେଣ ଗୌଡ଼ା(୨୦)। ଏ ସଂପର୍କରେ ନୂଆପଲ୍ଲୀ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବଦୁଇଟିକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି।
ସୂଚନା ମୁତାବକ, ଚିତ୍ରସେଣ ଓ ବର୍ଷାଙ୍କ ଘର ଗଞ୍ଜାମ ଅଞ୍ଚଳରେ। ଦୀର୍ଘ ଦିନ ହେବ, ପରସ୍ପର ପରସ୍ପରକୁ ଭଲ ପାଉଥିଲେ। ବର୍ଷା ପରିବାର ସହ ରାଜଧାନୀକୁ ଚାଲି ଆସିଥିବା ବେଳେ ଚିତ୍ରସେଣ ଆନ୍ଧ୍ରପ୍ରଦେଶର ବିଜୟୱାଡାରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। କିଛି ଦିନ ତଳେ, ବର୍ଷାଙ୍କ ପରିବାର ଲୋକ ଝିଅ ବାହାଘର ପାଇଁ ପାତ୍ର ଖୋଜିବା ଆରମ୍ଭ କରିଥିଲେ। ଏହାକୁ ନେଇ ପ୍ରେମୀଯୁଗଳ ଚିନ୍ତାରେ ପଡ଼ି ଯାଇଥିଲେ। ଦୁହେଁ ଦୁହିଁଙ୍କ ପରିବାରଲୋକଙ୍କୁ ମଧ୍ୟ ନିଜ ସଂପର୍କ ବିଷୟରେ ଜଣାଇପାରିନଥିଲେ। ଗତ ୪ ତାରିଖ ଦିନ ବର୍ଷାଙ୍କୁ ଭେଟିବା ପାଇଁ ଚିତ୍ରସେଣ ବିଜୟୱାଡ଼ାରୁ ଭୁବନେଶ୍ବର ଚାଲି ଆସିଥିଲେ। ବର୍ଷାଙ୍କ ବାପା- ମା’ ବାହାରକୁ ଯାଇଥିବା ବେଳେ ଚିତ୍ରସେଣ ତାଙ୍କ ଘରକୁ ଯାଇଥିଲେ। ସନ୍ଧ୍ୟାରେ ବାପା ମାଧବ ରେଡ୍ଡୀ ଓ ମା’ ଘରକୁ ଫେରିବା ବେଳକୁ ଦୁହିଁଙ୍କ ଶବ ଫ୍ୟାନ୍ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଖବର ପାଇ ନୂଆପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ପ୍ରେମୀଯୁଗଳଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। ମାଧବଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଉଭୟ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କୌଣସି କାରଣ ରହିଛି, ସେନେଇ ପୁଲିସ୍ ଅଧିକ ତଦନ୍ତ ଚଳାଇଛି।