ବାଲିପାଟଣା: ମହାମାରୀ କରୋନା ଲୋକଙ୍କ ଜୀବନଜୀବିକା ଉପରେ ଘୋର ପ୍ରଭାବ ପକାଇଛି। ପ୍ରାୟ ସବୁବର୍ଗର ଲୋକଙ୍କ ରୋଜଗାର ପ୍ରଭାବିତ ହୋଇଛି। ବିଶେଷକରି ଶ୍ରମିକ ଶ୍ରେଣୀର ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି। କାଁଭାଁ କାମ ମିଳୁଛି। ବ୍ଲକ ପ୍ରଶାସନ ତରଫରୁ ମନରେଗା କାର୍ଯ୍ୟ ହେଉଛି। କିନ୍ତୁ ଶ୍ରମିକଙ୍କ ବଦଳରେ ମେସିନ ଦ୍ୱାରା ରାତିଅଧିଆ କାମ ହେଉଛି। ଜବ୍କାର୍ଡଧାରୀ କେବଳ ମୋହରା ସାଜୁଛନ୍ତି।
ସୂଚନା ଅନୁସାରେ, ବାଲିପାଟଣା ବ୍ଲକରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ସରକାରୀ ନୀତିନିୟମକୁ ଜଳାଞ୍ଜଳି ଦିଆଯାଉଛି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ କାମ ଚାଲିଛି। ଆଳସି ଶାସନ ପଞ୍ଚାୟତର ୮ନମ୍ବର ୱାର୍ଡ ବଦଳାପଡ଼ା ଗ୍ରାମର ମଠସାହିଠାରୁ ମଶାଣି ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ମନରେଗା ଯୋଜନା ଅଧୀନରେ ଟଙ୍କା ମଞ୍ଜୁର ହୋଇଥିଲା। ନିୟମ ଅନୁଯାୟୀ, ଉକ୍ତ କାର୍ଯ୍ୟ ଜବକାର୍ଡଧାରୀଙ୍କ ଦ୍ୱାରା ହେବା କଥା। ମାତ୍ର ସରକାରୀ ନୀତିନିୟମକୁ ଖୋଲା ଉଲ୍ଲଘଂନ କରାଯାଇ ମେସିନରେ କାମ ହେଉଥିବା ଅଭିଯୋଗ ହୋଇଛି। ଉକ୍ତ କାର୍ଯ୍ୟ ପାଇଁ ନିକଟରେ ଥିବା କେନାଲ ଓ ଗୋଚର ଜମିରୁ ଶହ ଶହ ଟ୍ରିପ୍ ମାଟି ଖୋଳା ଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ଆରମ୍ଭରୁ ସାଇନ୍ବୋର୍ଡରେ କାର୍ଯ୍ୟର ବିବରଣୀ ଲେଖିବା ପାଇଁ ସରକାରୀ ଗାଇଡ୍ଲାଇନ୍ ଅଛି। ମାତ୍ର ଏହାକୁ ପାଳନ କରାଯାଉନଥିବା ଦେଖିବାକୁ ମିଳୁଛି।
ଅପରପକ୍ଷରେ କାମ ଆରମ୍ଭ ପୂର୍ବରୁ ବୋର୍ଡ ତିଆରି କରିବା ପାଇଁ ନିୟମ ଅଛି। ଉକ୍ତ ବୋର୍ଡରେ କାମ ଓ ମଞ୍ଜୁର ଅର୍ଥରାଶି ତଥ୍ୟ ସାର୍ବଜନୀନ କରାଯିବା କଥା। ହେଲେ ଏହା କରାଯାଇନାହିଁ। ସବୁଠାରୁ ବଡ଼ କଥା, ସରକାରୀ କର୍ମଚାରୀଙ୍କ ଅନୁପସ୍ଥିତିରେ ରାତିଅଧରେ କାମ ଚାଲିଛି। ଉକ୍ତ କାର୍ଯ୍ୟର ତଦନ୍ତ ହେବ ବୋଲି ବ୍ଲକ ଜିପିଓ ସ୍ମୃତିଶ୍ରୀ ଶତପଥୀ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/5644584fshhhhhhhhhhhhhhhhhhhhhhhhhhhhhhhhhhhhhh.jpg)