ବାରଙ୍ଗ: ମଞ୍ଚେଶ୍ୱର ଥାନା ବରିମୁଣ୍ଡ ପଞ୍ଚାୟତ ରୋକଟ ଗ୍ରାମର ରଞ୍ଜନ ବେଜ୍(୪୫) ଆଜି ସ୍ଥାନୀୟ ବୁଡୁନଈରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଅଗ୍ନିଶମ ବାହିନୀ, ଓଡ୍ରାଫ୍ ଟିମ୍ ଓ ଗ୍ରାମର କିଛି ଯୁବକ ବହୁ ଖୋଜାଖୋଜି କରିଥିଲେ ବି ରଞ୍ଜନଙ୍କର ପତ୍ତା ମିଳିପାରିନାହିଁ। ସୂଚନାନୁସାରେ ଆଜି ରଞ୍ଜନ ଓ ତାଙ୍କ ସାନ ପୁଅକୁ ନେଇ ଗାଧୋଇବାକୁ ବୁଡ଼ୁ ନଈକୁ ଯାଇଥିଲେ। ବାପ-ପୁଅ ଗାଧୋଉଥିବା ବେଳେ ନଈରେ ଏକ ମୂର୍ତ୍ତିର କାଠ ଛାଞ୍ଚ ଭାସି ଯାଉଥିବା ଦେଖିବାକୁ ମିଳିଥିଲା। ସେହି କାଠକୁ ଆଣିବା ପାଇଁ ରଞ୍ଜନ ନଈ ମଧ୍ୟକୁ ପହଁରି ଯାଇଥିଲେ। କିନ୍ତୁ ମଝି ନଈରେ ଥିବା ଦଳରେ ସେ ଫସି ଯାଇଥିଲେ।
ପହଁରି ନପାରି ସେ ଦୁଇ ତିନି ଥର ବୁଡ଼ିବା ଉଠିବା ପରେ ଆଉ ଉପରକୁ ଉଠି ପାରିନଥିଲେ। ବାପା ପାଣିରେ ବୁଡ଼ିଯିବା ଦେଖି ପୁଅ ପାଟି କରି ନିକଟରେ ଥିବା ଗାଁ ଲୋକଙ୍କୁ ଡାକ ପକାଇଥିଲା। ତୁରନ୍ତ ଏହି ଖବର ଗାଁରେ ପହଞ୍ଚିଥିଲା ଓ ଲୋକେ ନଈରେ ପଶି ରଞ୍ଜନଙ୍କୁ ଖୋଜିଥିଲେ। ଖବର ପାଇ ପୁଲିସ, ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍ ସେଠାରେ ପହଞ୍ଚିଥିଲେ। ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ରଞ୍ଜନ ପାଣି ଭିତରେ ନିଖୋଜ ହୋଇଯାଇଥିଲେ।