କ୍ଷୁଦ୍ର ଚଳଚ୍ଚିତ୍ର ‘ଦି ମ୍ୟାନ୍‌ ଅନ୍‌ ଏ ମିସନ୍‌’ ପାଇଁ ଚର୍ଚ୍ଚାରେ ଦିବ୍ୟାଙ୍ଗ ଜିତେନ୍ଦ୍ର

ରାଜଦୀପ ସରଦେଶାଇଙ୍କଠୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରଶଂସା

ଭୁବନେଶ୍ବର: ‌ସମାଜ ଆଖିରେ ସେ ଦିବ୍ୟାଙ୍ଗ। ଅଟୋମେଟିକ୍‌ ହ୍ବିଲ୍‌ ଚେୟାର ବିନା ନା ସେ ବୁଲି ପାରନ୍ତି ନା କିଛି କରିପାରନ୍ତି। ମାତ୍ର ଏହି ଦିବ୍ୟାଙ୍ଗ ଶବ୍ଦ ତାଙ୍କ ପାଇଁ କିଛି ଅର୍ଥ ରଖେନା। କ୍ବାଡ୍ରିପ୍ଲେଜିକ୍‌ ଆକ୍ରାନ୍ତ ଜିତେନ୍ଦ୍ର ବିଶ୍ବାଳ ସିନା ଚାଲିପାରନ୍ତି ନାହିଁ କି ଅଙ୍ଗପ୍ରତ୍ୟଙ୍ଗ ଗତିଶୀଳ କରିପାରନ୍ତି ନାହିଁ କିନ୍ତୁ ‘ଦି ଡିଜାୟାର’ ଭଳି ଫିଲ୍ମରେ ଅଭିନୟ ତାଙ୍କୁ ଚର୍ଚ୍ଚିତ କରିଦେଇଥିଲା। ଏବେ ପୁଣି ଏକ ଘଟଣା ପାଇଁ ସେ ଚର୍ଚ୍ଚାକୁ ଆସିଛନ୍ତି। ଚେନ୍ନାଇର ‘ଏବିଲିଟି ଫାଉଣ୍ଡେସନ’ ଜିତେନ୍ଦ୍ରଙ୍କ ଜୀବନକୁ ନେଇ ପ୍ରସ୍ତୁତ କରିଥିବା କ୍ଷୁଦ୍ର ଚଳଚ୍ଚିତ୍ର ‘ଦି ମ୍ୟାନ ଅନ୍‌ ଏ ମିସନ୍‌’ ଏବେ ଜାତୀୟ ସ୍ତରରେ ଖୁବ୍‌ ପ୍ରଶଂସା ସାଉଁଟିଛି। ବିଶିଷ୍ଟ ସାମ୍ବାଦିକ ରାଜଦୀପ ସରଦେଶାଇ, ନିଧି ରାଜଦାନ, ତହସିନ ପୁନାୱାଲାଙ୍କ ସମେତ ମନ୍ତ୍ରୀ କ୍ୟାପ୍‌ଟେନ ଦିବ୍ୟଶଙ୍କର ମିଶ୍ର, ପ୍ରଶାସକ ଅରବିନ୍ଦ ପାଢ଼ୀ ଜିତେନ୍ଦ୍ରଙ୍କର ଭୂରି ପ୍ରଶଂସା କରିଛନ୍ତି।

ଜିତେନ୍ଦ୍ର କେବଳ ଜଣେ ରାଜ୍ୟ ପୁରସ୍କାରପ୍ରାପ୍ତ କଳାକାର ନୁହନ୍ତି, ସେ ଜଣେ ପ୍ରେରଣାଦାୟୀ ପରାମର୍ଶଦାତା ଓ ସାମାଜିକ କର୍ମୀ। ନିକଟରେ ‘ଗନ୍‌ କେଶ୍‌’ ଫିଲ୍ମରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ସେ ଦିବ୍ୟାଙ୍ଗମାନଙ୍କ ପାଇଁ ବିଭିନ୍ନ ସମୟରେ ସ୍ବର ମଧ୍ୟ ଉତ୍ତୋଳନ କରି ଆସିଛନ୍ତି। ଚାଲି ବୁଲି ପାରୁନଥିବା ବ୍ୟକ୍ତିଟିଏ ଯେ ନିଜ ସ୍ବପ୍ନକୁ ଛୁଇଁବାର ଆଶା ଛାଡ଼ି ନପାରେ ତାହା ହିଁ ତାଙ୍କ ଜୀବନରୁ ସବୁଠୁ ବଡ଼ ପ୍ରେରଣା। ଜିତେନ୍ଦ୍ରଙ୍କ ଏହି ଭିଡିଓ ଦେଖିବା ପରେ ରାଜଦୀପ ସରଦେଶାଇ ଖୁବ ପ୍ରଶଂସା କରିବା ସହ ଏହାକୁ ସେୟାର କରି ଲେଖିଛନ୍ତି, ୱାଓ..। ଅନ୍ୟମାନେ ଏହାକୁ ଦେଖିବା ପାଇଁ ମଧ୍ୟ ସେ କହିଛନ୍ତି। ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଲେଖିଛନ୍ତି, ତୁ‌ମେ ଜଣେ ଯୋଦ୍ଧା। ତୁମେ ଜଣେ ହିରୋ। ତୁମେ ମୋ ସମେତ ଅନେକଙ୍କ ପାଇଁ ପ୍ରେରଣା ବୋଲି ସେ ଏହି ଫିଲ୍ମ ଦେଖିବା ପରେ ପ୍ରତିକ୍ରିୟା ରଖିଛନ୍ତି। ଅରବିନ୍ଦ ପାଢ଼ୀ ତାଙ୍କର କାମକୁ ପ୍ରଶଂସା କରିବା ସହ ଲୋକମାନଙ୍କର ଦିବ୍ୟାଙ୍ଗମାନଙ୍କ ପ୍ରତି ଦୃଷ୍ଟିଭଙ୍ଗୀ ବଦଳିବା ଆବଶ୍ୟକ ବୋଲି କହିଛନ୍ତି। ୟୁ-ଟ୍ୟୁବରେ ଏହି କ୍ଷୁଦ୍ର ଚଳଚ୍ଚିତ୍ରଟି ବେଶ୍ ପ୍ରଶଂସିତ ହୋଇଛି।

ସମ୍ବନ୍ଧିତ ଖବର