ମାର୍କେଟ୍‌ କମ୍ପ୍ଲେକ୍ସ ଆଗରୁ ହଟିଲା ଜବରଦଖଲ

ବାଲିଅନ୍ତା: ବାଳକାଟି ପ୍ରତାପଶାସନ ପଞ୍ଚାୟତ ଅଧୀନ ସାପ୍ତାହିକ ହାଟ ସଂଲଗ୍ନ ମାର୍କେଟ୍‌ କମ୍ପ୍ଲେକ୍ସ ସମ୍ମୁଖ ଅଂଶ ଆଜି ଜବରଦଖଲମୁକ୍ତ ହୋଇଛି। ବାଲିଅନ୍ତା ତହସିଲଦାର ସରୋଜ କୁମାର ପଣ୍ଡା ଓ ବିଡିଓ ଆଦିକନ୍ଦ ବେହେରାଙ୍କ ଉପସ୍ଥିତିରେ ଜେସିବି ସାହାଯ୍ୟରେ ବେଆଇନ ଭାବେ ନିର୍ମିତ ୯ଟି ଦୋକାନ ଘରକୁ ମାଟିରେ ମିଶାଇ ଦିଆଯାଇଥିଲା।

ଉଲ୍ଲେଖଯୋଗ୍ୟ, ମାର୍କେଟ୍‌ କମ୍ପ୍ଲେକ୍ସ‌ରେ ଥିବା ୧୮ଟି ଦୋକାନ ଘର ପଞ୍ଚାୟତ ରିଜୋଲ୍ୟୁସନ୍‌ ଅନୁଯାୟୀ ଯୋଗ୍ୟବିବେଚିତ ବ୍ୟବସାୟୀମାନଙ୍କୁ ଆବଣ୍ଟନ ସରିଛି। ହେଲେ ସାମନା ପାର୍ଶ୍ବ ଅବରୋଧ ହୋଇ ରହିବା ଫଳରେ ଏହି ମାର୍କେଟ୍‌ କମ୍ପ୍ଲେକ୍ସ କାର୍ଯ୍ୟକ୍ଷମ ହେବାରେ ସମସ୍ୟା ଦେଖାଦେଇଥିଲା। ଅନ୍ୟପକ୍ଷରେ ଜବରଦଖଲ ଯୋଗୁଁ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ିବା ସହ ଯାତାୟାତ କରିବା କ୍ଷେତ୍ରରେ ମଧ୍ୟ ସମସ୍ୟା ଉପୁଜୁଥିଲା। ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟୁଥିଲା। ଏହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ପ୍ରଥମ ପର୍ଯ୍ୟାୟରେ ମାର୍କେଟ୍‌ କମ୍ପ୍ଲେକ୍ସ ଆଗରୁ ଜବରଦଖଲ ଉଚ୍ଛେଦ କରାଯାଇଥିବା ବେଳେ ସପ୍ତାହକ ଭିତରେ ପୂରା ବଜାର ଜବରଦଖଲମୁକ୍ତ ହେବ ବୋଲି ତହସିଲଦାର କହିଛନ୍ତି। ସର୍ବସାଧାରଣଙ୍କ ସ୍ବାର୍ଥ ଦୃଷ୍ଟିରୁ ପୁରୁଣା ଫାଣ୍ଡି ଛକରୁ ସ୍ଥାନୀୟ ଭାର୍ଗବୀ ବ୍ରିଜ୍‌ ପର୍ଯ୍ୟନ୍ତ ସବୁ ବେଆଇନ ନିର୍ମାଣ କାର୍ଯ୍ୟ ହଟିବା ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପ୍ରତାପଶାସନ ସରପଞ୍ଚ ଭାଗ୍ୟଧର ନନ୍ଦୀ ଉପସ୍ଥତି ଥିଲେ। ଉଚ୍ଛେଦ ବେଳେ କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ନ ଉପୁଜିବ, ସେଥିପାଇଁ ଜୋନ୍‌-୪ ଏସିପି ରଜତ ରାୟ ଓ ଫାଣ୍ଡି ଅଧିକାରୀ ମମତାଜ ଅଲ୍ଲୀଙ୍କ ନେତୃତ୍ବରେ ଏକ ପ୍ଲାଟୁନ୍ ପୁଲିସ୍‌ ଫୋର୍ସ ନିୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର