ମିଳିଲାନି ଲିଖିତ ପ୍ରତିଶ୍ରୁତି, ଲଗାତାର ଦୁଇଦିନ ମାର୍କେଟ୍‌ ବିଲ୍ଡିଂ ବନ୍ଦ: ଆଜି ବିଏମ୍‌ସି ଅଫିସ୍‌ ଘେରିବ ବ୍ୟବସାୟୀ ସଂଘ

ଭୁବନେଶ୍ବର: ମାର୍କେଟ୍‌ ବିଲ୍ଡିଂରେ ଲାଗିରହିଥିବା ଅଚଳା‌ବସ୍ଥା ଦୂର ହେଉ ନାହିଁ। ଗତକାଲି ବିଏମ୍‌ସି ସହ ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିଏସନର ହୋଇଥିବା ଆଲୋଚନା ଫଳପ୍ରଦ ହୋଇ ପାରିନାହିଁ। ମାର୍କେଟ୍‌ ବିଲ୍ଡିଂ ଭିତରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରିବାକୁ ବିଏମ୍‌ସି ମୌଖିକ ଭାବେ ପ୍ରତିଶ୍ରୁତି ଦେବା ସହ ପବ୍ଲିକ ଆଡ୍ରେସ୍‌ ସିଷ୍ଟମ୍‌ ଜରିଆରେ ଘୋଷଣା କରିଥିଲେ ମଧ୍ୟ ଲିଖିତ ପ୍ରତିଶ୍ରୁତି ଦେବା ପାଇଁ ସଂଘ ଅଡ଼ି ବସିଛି। ଫଳରେ ଲଗାତାର ଦୁଇଦିନ ଧରି ମାର୍କେଟ୍‌ ବିଲ୍ଡିଂ ବନ୍ଦ ରହିଛି। ଲିଖିତ ପ୍ରତିଶ୍ରୁତି ନ ମିଳିବା ଯାଏ ସମସ୍ତ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ବ୍ୟବସାୟୀ ସଂଘ। ଯଦି ଆସନ୍ତାକାଲି ବିଏମ୍‌ସି ଲିଖିତ ପ୍ରତିଶ୍ରୁତି ନ ଦିଏ ତେବେ ସଂଘ ବିଏମ୍‌ସି ଅଫିସ୍‌ ଘେରଉ କରିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ସେଣ୍ଟ୍ରାଲ ମାର୍କେଟ୍‌ ଆସୋସିସନ ସଭାପତି ପ୍ରଦ୍ୟୁମ୍ନ ଜେନା।

ସଂଘର ଅଭିଯୋଗ ମୁତାବକ, ଉଠା ଦୋକାନୀ ମାର୍କେଟ ବିଲ୍ଡିଂ ଭିତରେ ବସି ରାସ୍ତା ଅବରୋଧ କରିବା ସହ ମାର୍କେଟ ବିଲ୍ଡିଂର ସୌନ୍ଦର୍ଯ୍ୟ ନଷ୍ଟ କରୁଛନ୍ତି। ରାସ୍ତା ଉପରେ ବସି ରହୁଥିବାରୁ ଗ୍ରାହକମାନେ ଆସିବା ପାଇଁ ସମସ୍ୟା ଭୋଗୁଛନ୍ତି। ଦୀର୍ଘ ଦିନ ହେବ ଏହି ଉଠା ଦୋକାନୀମାନେ ଏଭଳି ସମସ୍ୟା କରି ଆସୁଥିଲେ। ଗତ ବର୍ଷ କରୋନା କାଳରେ ଏହି ଉଠାଦୋକାନୀମାନେ ଭିଡ଼ କରିବାରୁ ବିଏମ୍‌ସି ସମସ୍ତ ମାର୍କେଟ୍‌କୁ ସିଲ୍‌ କରିଦେଇଥିଲା। ସେତେବେଳେ ଏମାନଙ୍କୁ ଉଚ୍ଛେଦ କରିବାକୁ ସଂଘ ଅଭିଯୋଗ କରିଥିଲେ ମଧ୍ୟ ବିଏମ୍‌ସି ଉଚ୍ଛେଦ କରିନଥିଲା। ଏଣୁ ଏଥର ମଧ୍ୟ ପ୍ରତିଶ୍ରୁତି ଦେଇ ଖସି ଯାଉଛି। ଥରେ ମାର୍କେଟ୍‌ ବିଲ୍ଡିଂ ଖୋଲିଗଲେ ବିଏମ୍‌ସି ଆଉ ଦେଖା ଦେବନି। ଏଣୁ ସଂଘ କଠୋର ନିଷ୍ପତ୍ତି ନେଇଥିବା କହିଛି।

ଉଲ୍ଲେଖଯୋଗ୍ୟ, ଜଣେ ଉଠାଦୋକାନୀ ଏଠାରେ ବସିବାକୁ ନେଇ ବିବାଦ ଲାଗି ରହିଥିଲା। ଦୁଇ ଉଠାଦୋକାନୀଙ୍କ ମଧ୍ୟରେ ଲାଗିଥିବା ବିବାଦରେ ଜଣେ ସ୍ଥାୟୀ ଦୋକାନୀଙ୍କ ଗାଡ଼ି ଭାଙ୍ଗି ଯିବାରୁ ବିବାଦ ଉଗ୍ରରୂପ ନେଇଥିଲା। କୌଣସି ଉଠା ଦୋକାନୀଙ୍କୁ ଏଠାରେ ବସାଇ ନଦେବା ପାଇଁ ବ୍ୟବସାୟୀ ସଂଘ ଜିଦ୍‌ କରି ମାର୍କେଟ୍‌ ବିଲ୍ଡିଂକୁ ବନ୍ଦ କରିଦେଇଥିଲା। ମଙ୍ଗଳବାର ଅପରାହ୍ନରୁ ଏହି ମାର୍କେଟ୍‌ ବିଲ୍ଡିଂ ବନ୍ଦ ରହିଛି। ଏଣେ ଉଠା ଦୋକାନୀଙ୍କୁ ବିଏମ୍‌ସି ଉଚ୍ଛେଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଲିଖିତ ପ୍ରତିଶ୍ରୁତି ଦେଇନଥିବାରୁ ସଂଘ ଅଡ଼ି ବସିଛି।

ସମ୍ବନ୍ଧିତ ଖବର