ଭୁବନେଶ୍ୱର: ପ୍ରତି ୱାର୍ଡରେ ଆମିଷବଜାର ନିର୍ମାଣ ହେବା ସହ ଏହି ବ୍ୟବସାୟକୁ ବ୍ୟବସ୍ଥିତ କରାଯିବ ବୋଲି ଅଢ଼େଇ ବର୍ଷ ତଳେ ବିଏମ୍ସି ପ୍ରତିଶ୍ରୁତି ଦେଇଥିଲା। ହେଲେ ଏବେସୁଦ୍ଧା ହାତ ଗଣତି ବଜାରକୁ ଛାଡ଼ି ଦେଲେ ଆଉ କୌଣସି ସ୍ଥାନରେ ଏହି ଆମିଷବଜାର ହୋଇପାରିଲା ନାହିଁ। ଫଳସ୍ୱରୁପ ରାଜଧାନୀର ପ୍ରମୁଖ ଛକ ଓ ଗଳି ରାସ୍ତାରେ ଆମିଷ ବିକ୍ରି ପୂର୍ବଭଳି ଚାଲୁରହିଛି। ଏଥିଯୋଗୁ ଏଠାରେ ଗାଡ଼ିମଟର ଭିଡ଼ ହେଉଥିବାରୁ ସେହି ରାସ୍ତା ଦେଇ ଯାତାୟାତ କରିବା କଷ୍ଟକର ହେଉଛି। ଏପରିକି ଯେଉଁ ସ୍ଥାନରେ ବିଏମ୍ସି ପକ୍ଷରୁ ଆମିଷବଜାର ତିଆରି ହୋଇଛି ତାହା ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି।
ୟୁନିଟ୍-୮ ସ୍ଥିତ ଆମିଷବଜାରକୁ ଜନବସତି ମଝିରେ ନିର୍ମାଣ କରାଯାଇଛି। ତା’ପୁଣି ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ନିକଟରେ ରହିଛି। ଫଳରେ ଦୁର୍ଗନ୍ଧରେ ସ୍ଥାନୀୟ ଅଞ୍ଚଳ ଫାଟି ପଡ଼ୁଛି। ପୁଣି ୨୦୧୩ ଅଗଷ୍ଟରେ ପ୍ରତିଷ୍ଠା ହୋଇଥିବା ଏହି ମାର୍କେଟରେ ଏଯାଏଁ ମୌଳିକ ସୁବିଧା ଉପଲବ୍ଧ ନାହିଁ। ବ୍ୟବସାୟୀଙ୍କ ପାଇଁ ନିର୍ମାଣ ହୋଇଥିବା ଦୁଇଟି ଶୌଚାଳୟ ମଧ୍ୟରୁ ଗୋଟିଏ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ଅନ୍ୟଟି ବ୍ୟବହାର ଉପଯୋଗୀ ନୁହେଁ। ଏହି ମାର୍କେଟରେ ୬୫ଟି ପିଣ୍ଡି ଥିଲେ ମଧ୍ୟ ପ୍ରାୟ ୩୦ଟି ନିୟମିତ ଅନ୍ତରାଳରେ ଖୋଲୁଛି।
ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ସୌନ୍ଦର୍ଯୀକରଣ ଦ୍ବାହି ଦେଇ ଷ୍ଟୁଆର୍ଟ ଛକରୁ ଏଠାକୁ ଆମକୁ ନେଇଆସିଲେ, ହେଲେ ରାସ୍ତାକଡ଼ ଦୋକାନଗୁଡ଼ିକୁ ବନ୍ଦ କରା ନଯିବାରୁ ଗ୍ରାହକ ଆମ ପାଖକୁ ଆସିଲେନି। ତେଣୁ ବହୁ ବେପାରୀ ପୁଣି ରାସ୍ତାକଡ଼କୁ ଫେରିଗଲେଣି। ତେବେ ଏନେଇ କର୍ପୋରେଟର୍ ସମିତା ମହାନ୍ତି କହିଛନ୍ତି, ଶୌଚାଳୟ ପାଇଁ ଟେଣ୍ଡର୍ ହୋଇଛି। ଖୁବ୍ ଶୀଘ୍ର କାମ ହୋଇଯିବ। ତେବେ ଏହା ଉପରେ ଓଡ଼ିଶା ଆମିଷ ବ୍ୟବସାୟୀ ସଂଘର ସଭାପତି ଶେଖ୍ ମୁନ୍ତାକିମ୍ ବକ୍ସ କହିଛନ୍ତି, ୨୦୨୨ ମସିହାରେ ବିଏମ୍ସି ପକ୍ଷରୁ ଲିଖିତ ଆକାରରେ ପ୍ରତ୍ୟେକ ଵାର୍ଡରେ ଆମିଷବଜାର ହେବ ବୋଲି କୁହାଯାଇଥିଲା। ହେଲେ ଏଯାଏଁ କିଛି କରାଗଲା ନାହିଁ। ପ୍ରତି ଵାର୍ଡରେ ଗୋଟିଏ ଆମିଷବଜାର ନିହାତି ହେବା ଆବଶ୍ୟକ। ଏହାଦ୍ୱାରା ସରକାରଙ୍କ ରାଜସ୍ୱ ବଢ଼ିବ। ଏ ବିଷୟରେ ଆମେ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/14/cfZQODclkPM7SZhXRLlA.jpg)