‘ମାରୋ’ ଓ ‘ଡାମ୍ପସ୍‌’ ଆପ୍‌ ସହାୟକ ହେଲା : ସର୍ବଭାରତୀୟ ଏମ୍‌ସ-ପିଜି ପ୍ରବେଶିକା ଟପ୍ପର ଡା. ଭିନିଥା

ସର୍ବଭାରତୀୟ ଏମ୍‌ସ-ପିଜି ପ୍ରବେଶିକା ପରୀକ୍ଷାରେ ବାଜି ମାରିଛନ୍ତି ଭୁବନେଶ୍ବର ଏମ୍‌ସର ଛାତ୍ରୀ ଡା. ଭିନିଥା କେ। ଆନ୍ଧ୍ରପ୍ରଦେଶ ଗୁଣ୍ଟୁର ନିବାସୀ କେ ଭେଙ୍କଟେଶ୍ବର ରାଓ ଓ ଟି ମାଧବୀଲତାଙ୍କ ଝିଅ ଭିନିଥା ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଭୁବନେଶ୍ବର ଏମ୍‌ସରେ ଏମ୍‌ବିବିଏସ୍‌ ପଢ଼ିଥିଲେ। ୨୦୧୯ ଡିସେମ୍ବରରେ ପାଠପଢ଼ା ଶେଷ ହେବା ପରେ ଏମ୍‌ସ-ପିଜି ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ ହୋଇଥିଲେ। ଆଉ ଏବେ ହଜାର ହଜାର ଛାତ୍ରଛାତ୍ରୀଙ୍କୁ ପଛରେ ପକାଇ ସେ ସାରା ଦେଶରେ ଟପର୍‌ ହୋଇଛନ୍ତି। ଶ୍ରେଷ୍ଠ ହଜାରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୁବନେଶ୍ବର ଏମ୍‌ସରୁ କେବଳ ୩୧ ଜଣ ରହିଛନ୍ତି, ଯାହାକି ଏକ ରେକର୍ଡ। ତା’ସାଙ୍ଗକୁ ଭିନିଥାଙ୍କ ଏଭଳି ସଫଳତା କରୋନା ଭୟ ଭିତରେ ଭୁବନେଶ୍ବର ଏମ୍‌ସରେ ଖୁସିର ଲହରୀ ଖେଳାଇ ଦେଇଛି। ତାଙ୍କର ଏଭଳି ସଫଳତା ପଛର ରହସ୍ୟ ଜାଣିବାକୁ ଉଦ୍ୟମ ‘ସମ୍ବାଦ’ ପକ୍ଷରୁ ତାଙ୍କୁ ଭେଟିଥିଲେ କେଶବ ଚନ୍ଦ୍ର ପାଣି।

ଆପଣଙ୍କ ସଫଳତା ପଛର ରହସ୍ୟ କ’ଣ?
ସେମିତି କିଛି ନାହିଁ। ପାଠପଢ଼ା ଉପରେ ସବୁବେଳେ ଧ୍ୟାନ ଦିଏ। ପରୀକ୍ଷା ଫଳ କ’ଣ ହେବ, ସେଥିପାଇଁ କେବେ ବି ଚିନ୍ତା କରେନି। ପରୀକ୍ଷା ଭଲ ହୋଇଥିଲା। ସର୍ବଭାରତୀୟସ୍ତରରେ ଟପର୍‌ ହେବି ବୋଲି କେବେ ଭାବି ନ ଥିଲି। ଅଭିଭାବକଙ୍କ ଉତ୍ସାହ ଓ ସହାୟତା ଲାଗି ଏଭଳି ସଫଳତା ମିଳିଛି। ଏମ୍‌ସ ଭୁବନେଶ୍ବରର ସମସ୍ତ ଅଧ୍ୟାପକଙ୍କ ସହଯୋଗ ମଧ୍ୟ ରହିଛି। ସମସ୍ତ ଅଧ୍ୟାପକଙ୍କ କ୍ଲାସରେ ଯୋଗ ଦେଉଥିଲି। ହସ୍ପିଟାଲରେ ବହୁତ କିଛି ଶିଖିବାକୁ ମିଳିଥିଲା। ସେମାନଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ତେବେ ‘ମାରୋ’ ଓ ‘ଡାମ୍ପସ୍‌’ ଆପ୍‌ ବ୍ୟବହାର କରି ପ୍ରବେଶିକା ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିଲି।
ମେଡିକାଲ ଶିକ୍ଷା କଷ୍ଟକର କି?
ନା। ଆଗ୍ରହ, ନିଷ୍ଠା ଓ ଏକାଗ୍ରତାର ରହିଲେ ମେଡିକାଲ ପାଠ୍ୟକ୍ରମ କଷ୍ଟ ଲାଗିବ ନାହିଁ। ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମର ତୁଳନା କରିପାରିବି ନାହିଁ। ତେବେ ଲୋକଙ୍କ ମଧ୍ୟରେ ଗୋଟିଏ ଧାରଣା ରହିଛି କି ମେଡିକାଲ ଶିକ୍ଷା ବହୁ ବର୍ଷ ଧରି ପଢ଼ିବାକୁ ପଡ଼ିବ। ବହୁତ କଷ୍ଟକର। ଯଦି ନିଜ ଭିତରେ ମେଡିକାଲ ଶିକ୍ଷା ଗ୍ରହଣ କରିବାକୁ ଆଗ୍ରହ ରହିଛି, ତେ‌ବେ କଷ୍ଟ ଲାଗିବ ନାହିଁ। ଯେଉଁମାନେ ମେଡିକାଲ ଶିକ୍ଷା ଗ୍ରହଣ କରୁଛନ୍ତି, ସେମାନଙ୍କୁ କହିବାକୁ ଚାହେଁ ଯେ ପରୀକ୍ଷା ସମ୍ପର୍କରେ କେବେ ବି ଚିନ୍ତା କରନ୍ତୁ ନାହିଁ। ପଢ଼ିବା ସମୟରେ ବେଳେବେଳେ ଟେନସନ୍‌ ନେବାକୁ ପଡ଼େ। ମନ ଭିତରେ ଡର ରହିଥାଏ। ତେବେ ଏହି ସମୟରେ କଠିନ କରିଶ୍ରମ କରି ଆଗକୁ ବଢ଼ିବାକୁ ହେବ।
ଓଡ଼ିଶାରେ ୫ ବର୍ଷ ଶିକ୍ଷାର ଅନୁଭୂତି କ’ଣ କହିବେ?
ପ୍ରଥମେ ଭାଷା ସମସ୍ୟା ସୃଷ୍ଟି କରିଥିଲା। ଏମ୍‌ସ ହସ୍ପିଟାଲରେ ରୋଗୀଙ୍କ ସହ କଥାବାର୍ତା ସମୟରେ ଅସୁବିଧାର ସମ୍ମୁଖୀନ ହୋଇଥିଲି। ତେବେ ଧୀରେଧୀରେ ଅଳ୍ପ ବହୁତେ ଶିଖିଗଲି। ଖାଦ୍ୟ ସମସ୍ୟା ବି ରହିଥିଲା। ଦକ୍ଷିଣ ଭାରତୀୟ ହୋଇଥିବାରୁ ଖାଦ୍ୟ ଭଲ ଲାଗୁ ନ ଥିଲା। ଆଡଜଷ୍ଟ କରିବାକୁ ପଡ଼ିଲା।
ଆଗକୁ କେଉଁଠି ପଢ଼ିବେ? ଓ କେମିତି ସେବା କରିବେ?
ଆଗକୁ ନୂଆଦିଲ୍ଲୀ ଏମ୍‌ସରେ ଜେନେ‌ରାଲ ମେଡିସିନ୍‌ ଉପରେ ଶିକ୍ଷା ଗ୍ରହଣ କରିବି। ଏମ୍‌ସ ପରି ଦେଶର ସରକାରୀ ଶିକ୍ଷାନୁଷ୍ଠାନରେ ଗରିବ ରୋଗୀଙ୍କ ସେବା କରିବାକୁ ପ୍ରାଥମିକତା ଦେବି। ସେଠାରେ ସବୁ ଲୋକଙ୍କୁ ସେବା ଯୋଗାଇ ଦେବାକୁ ଉଦ୍ୟମ କରିବି।
ମେଡ଼ିକାଲ ପଢ଼ିବାକୁ ଆଗ୍ରହ ଥିବା ଛାତ୍ରଛାତ୍ରୀଙ୍କୁ ଆପଣଙ୍କ ବାର୍ତା କ’ଣ?
ସେମାନେ ରୢାଙ୍କ କି ଗ୍ରେଡ୍‌, ମାର୍କ ପାଇବା ପଛ‌ରେ ଗୋଡ଼ାନ୍ତୁ ନାହିଁ। ବରଂ ପାଠ ପଢ଼ିବା ଉପରେ ଗୁରୁତ୍ବ ଦିଅନ୍ତୁ। ଏହା କରିପାରିଲେ ସଫଳତା ଆପଣାଛାଏଁ ହାତ ମୁଠାରେ ପହଞ୍ଚିବ। ରୢାଙ୍କ ଆପେ ଆପେ ଆସିଯିବ।

ସମ୍ବନ୍ଧିତ ଖବର