ନୂଆ ରୂପ ପାଇବ ମାଷ୍ଟରକ୍ୟାଣ୍ଟିନ୍‌ ଗୋଲେଇ: ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତିର ମରାମତି ଆରମ୍ଭ

ଭୁବନେଶ୍ବର: ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଘୋଡ଼ା ଓ ଯୋଦ୍ଧା ମୂର୍ତ୍ତି ନ ହଟିବା ‌ପାଇଁ ନିଷ୍ପତ୍ତି ହେବା ପରେ ଏହି ଜାଗାକୁ ଏକ ନୂଆ ରୂପ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି ସ୍ମାର୍ଟ ସିଟି ଲିମିଟେଡ୍‌। ଏଥିପାଇଁ ଏକ ସ୍ବତନ୍ତ୍ର ନକ୍ସା ପ୍ରସ୍ତୁତ ହେବା ସହ ସୌନ୍ଦର୍ଯ୍ୟୀକରଣ କାମ ଆଗେଇ ଚାଲିଛି। ଆଜି ବିଡିଏ ଅଧିକ୍ଷଣ ଯନ୍ତ୍ରୀଙ୍କ ସମେତ ବିଏସ୍‌ସିଏଲ୍‌ର ବରିଷ୍ଠ ଅଧିକାରୀ ଓ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଘୋଡ଼ା ଚାରିପାଖରେ ୬ ପାର୍ଶ୍ବ ଯୋଦ୍ଧା ମୂର୍ତ୍ତି ରହିଛି। ଏହିସବୁ ମୂର୍ତ୍ତିର ରକ୍ଷଣାବେକ୍ଷଣ ଲାଗି ଆଜିଠାରୁ ମରାମତି ଆରମ୍ଭ ହୋଇଛି। ପରେ ଏହାକୁ ରଙ୍ଗ ଦିଆଯାଇ ଯଥାସ୍ଥାନରେ ରଖାଯିବ। ସେହିଭଳି ମୂର୍ତ୍ତି ସଂଲଗ୍ନ ଚଟାଣକୁ ସମତୁଲ କରାଯାଉଛି। ଏହାପରେ ଏଠାରେ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ହେବ।

ସେହିଭଳି ଏହି ଛକରେ ଥିବା ତାରିଣୀ ମନ୍ଦିର ଭାଙ୍ଗିବା ପାଇଁ ଯୋଜନା ହୋଇଛି। ପୂର୍ବରୁ ଏହାକୁ ଭାଙ୍ଗିବା ପାଇଁ ଯୋଜନା ହୋଇଥିଲା। ହେଲେ ମାମଲା କୋର୍ଟରେ ପହଞ୍ଚିଥିଲା ସେବେଠାରୁ ଏଠାରେ ସ୍ଥିତାବସ୍ଥା ଜାରି ହୋଇଛି। ଏହାକୁ ଉଚ୍ଛେଦ କରିବାପାଇଁ ସ୍ମାର୍ଟସିଟି କୋର୍ଟରେ ଆବେଦନ କରିବାକୁ ଯାଉଛି। ସ୍ଥିତାବସ୍ଥା କୋହଳ ହେଲେ ଏହାକୁ ଉଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର