ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ ନୂତନ ପ୍ରବେଶ ପଥ ନିର୍ମାଣ ବିଳମ୍ବ ଘଟଣାରେ ଓଡ଼ିଶା ମାନବାଧିକାର କମିସନ୍‌ ହସ୍ତକ୍ଷେପ କରିଛନ୍ତି। କମିସନର ସଦସ୍ୟ ଅସୀମ ଅମିତାଭ ଦାସ ଏନେଇ ଉତ୍କଳ ବିଶ୍ବବିଦ୍ୟାଳୟ କୁଳସଚିବ, ବିଏମ୍‌ସି କମିସନର୍‌, ଟ୍ରାଫିକ୍‌ ଡିସିପି ଓ ଏନ୍‌ଏଚ୍‌ଆଇ ପ୍ରକଳ୍ପ ପ୍ରବନ୍ଧକଙ୍କୁ ଜୁଲାଇ ୫ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ତଥା ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର ପ୍ରବୀର କୁମାର ଦାସ ଏନେଇ ଓଏଚ୍‌ଆର୍‌ସିଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଛାତ୍ରଛାତ୍ରୀମାନେ ପ୍ରତିଦିନ ରଙ୍ଗ ରୁଟ୍‌ରେ ଯାତାୟାତ କରି ବିପଦକୁ ଆମନ୍ତ୍ରଣ କରୁଛନ୍ତି। ଫଳରେ ଏଥିରେ ସେମାନଙ୍କର ମାନବାଧିକାର ଉଲଙ୍ଘନ ହେଉଛି। ତେଣୁ କମିସନ ଗତ ୧୯ ତାରିଖରେ ଏଥିରେ ହସ୍ତକ୍ଷେପ କରି ଆସନ୍ତା ୫ ଜୁଲାଇରେ ପୁଣି ଶୁଣାଣି କରିବା ପାଇଁ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଉତ୍କଳ ବିଶ୍ବବିଦ୍ୟାଳୟ ନୂତନ ଗେଟ୍‌ ନିର୍ମାଣରେ ବିଳମ୍ବ ନେଇ ଗତ ୧୩ ତାରିଖରେ ‘ସମ୍ବାଦ’ରେ ଏକ ଖବର ପ୍ରକାଶ ପାଇଥିଲା। ଯାହାକୁ ଆଧାର କରି ଆଇନଜୀବୀ ଶ୍ରୀ ଦାସ ମାନବାଧିକାର କମିସନ୍‌ର ଦ୍ବାରସ୍ଥ ହୋଇଥିଲେ।