ଖଣ୍ଡଗିରି: କଳିଙ୍ଗନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଝାଡ଼ାବାନ୍ତି ବ୍ୟାପିବା ପରେ ବିଏମ୍‌ସି ତତ୍ପର ହୋଇଉଠିଛି। ଏହି ପରିପ୍ରେକ୍ଷୀରେ ମେୟର୍‌ ସୁଲୋଚନା ଦାସ ଆଜି ଆପାର୍ଟମେଣ୍ଟ ଗସ୍ତ କରି ସ୍ଥିତି ପରଖିଛନ୍ତି। ଆପାର୍ଟମେଣ୍ଟର ପାଣିପାଇପ୍‌ ପାଖରେ ବିଭିନ୍ନ ବର୍ଜ୍ୟବସ୍ତୁ ରହିଥିବା ଜାଣିବା ପରେ ଏନେଇ ଆପାର୍ଟମେଣ୍ଟ ପରିଚାଳନା କମିଟିକୁ ମେୟର୍‌ ତାଗିଦ୍‌ କରିଛନ୍ତି। ଆପାର୍ଟମେଣ୍ଟ ପରିସରକୁ ସ୍ବଚ୍ଛ ରଖିବା ସହିତ ବିଶୁଦ୍ଧ ପାନୀୟ ଜଳ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି।
ଗତ ୫ ଦିନ ମଧ୍ୟରେଏହି ଆପର୍ଟମେଣ୍ଟରେ ୫୦ରୁ ଅଧିକ ବାସିନ୍ଦା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିଲେ। ଏନେଇ ଆଜି ପୂର୍ବାହ୍ନରେ ମେୟର୍‌ ଶ୍ରୀମତୀ ଦାସଙ୍କ ସହ ଡେପୁଟି ମେୟର ମଞ୍ଜୁଲତା କହଁର, ‌ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାସୂପକାର,   ମହାମାୟର ସ୍ବାଇଁ, ଭାରତୀ ସିଂହ ଓ ଅମରେଶ ଜେନା, ଜୋନାଲ କମିସନର ରାକେଶ ପାତ୍ର  ପ୍ରମୁଖ ଆପାର୍ଟମେଣ୍ଟ ଗସ୍ତ କରି ସମୀକ୍ଷା କରିଥିଲେ। ଆପାର୍ଟମେଣ୍ଟରେ ୫ ହଜାର ଲୋକ ରହୁଥିବା ବେଳେ ଏଠାକୁ ପାଇପ୍‌ଯୋଗେ ଜଳଯୋଗାଣ ହେଉନଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ଏତେ ସଂଖ୍ୟକ ଲୋକ ଥିଲେ ମଧ୍ୟ ପାଣି ପାଇଁ କେବଳ ଭୂତଳ ଜଳ ଉପରେ ନିର୍ଭର କରିବାକୁ ପଡ଼ୁଛି ବୋଲି ଆପାର୍ଟମେଣ୍ଟ ବାସିନ୍ଦା ଅଭିଯୋଗ କରିଥିଲେ। ସେହିପରି ପାଣିପାଣି ନିର୍ମାଣ ହୋଇଥିବା ସମ୍ପ୍‌ ନିକଟରେ ନଳା ରହିଛି। ଏହି ନଳାପାଣି ସମ୍ପ ପାଖରେ ଜମିବା ଦ୍ବାରା ଜଳ ଦୂଷିତ ହେଉଥିବା ଜାଣିବାକୁ ପାଇଥିଲେ। ସେହିପରି ସମ୍ପ ଚାରିପଟେ ପାଣି ଜମିରହି ମଶା ସୃଷ୍ଟି ହେଉଥିବା ମେୟର୍‌ ଦେଖିଥିଲେ। ଏହାକୁ ତୁରନ୍ତ ପରି‌ଷ୍କାର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ।