ଭୁବନେଶ୍ବର: ମଣିଷ ପୃଥିବୀର ସବୁଠାରୁ ବଳଶାଳୀ ପ୍ରାଣୀ ନୁହେଁ। କିନ୍ତୁ, ମହାବଳ ବାଘଠାରୁ ମହୁମାଛି ପର୍ଯ୍ୟନ୍ତ; ସମସ୍ତଙ୍କଠାରୁ ସେମାନଙ୍କ କୌଶଳ ଶିଖିପାରିଛି ବୋଲି ସେ ଶ୍ରେଷ୍ଠ ହୋଇଛି। ଏହି ଗୁଣ ତା’ର ଦକ୍ଷତା ବୃଦ୍ଧିରେ ସହାୟକ ହୋଇଛି। ସେହିପରି, ସବୁ ବିଭାଗରେ ଦକ୍ଷ ହୋଇପାରିଲେ, ଜଣେ ସଫଳ ସାମ୍ବାଦିକଟିଏ ହୋଇପାରିବ। ଯେପରି ସକାଳୁ ଉଠିଲେ ଆମେ ଆମ ଚେହେରାକୁ ଆଗ ଆଇନାରେ ଦେଖନ୍ତି, ସେହିଭଳି ଆମ ସମାଜ ଦେଖୁଥିବା ଆଇନାଟି ହେଲା ଗଣମାଧ୍ୟମ। ଏଥିରେ ସମ୍ବାଦପତ୍ର ଅନ୍ତର୍ଭୁକ୍ତ। ଖବରକାଗଜରୁ ଆମେ ଗୋଟିଏ ଦେଶ ବା ରାଜ୍ୟର ରାଜନୈତିକ, ସାଂସ୍କୃତିକ ଏବଂ ଅର୍ଥନୈତିକ ଚେହେରା ଜାଣିପାରିବା। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ପକ୍ଷରୁ ଆୟୋଜିତ ‘ଦକ୍ଷତା ବର୍ଦ୍ଧନ ସଂପାନ’ରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ (ଫିଚର) ଗୌରହରି ଦାସ ଏଭଳି ମତ ରଖିଛନ୍ତି।
‘ଗଣଯୋଗାଯୋଗ, ସମ୍ବାଦ ପ୍ରସ୍ତୁତି ଓ ସ୍ତମ୍ଭ ରଚନା’ ବିଷୟରେ ମତ ରଖି ସେ ଆହୁରି କହିଲେ, ସତେଜତା ଖବରର ସବଳତା। ଅଳ୍ପକ୍ଷଣରେ ଅଲୋଡ଼ା ଓ ଅଦରକାରୀ ପାଲଟିଯିବା ଏହାର ଦୁର୍ବଳତା। ସମାଜର ପରିବର୍ତ୍ତନ ନିମନ୍ତେ ଉପଯୋଗୀ ସବୁ ଆୟୁଧ ଭିତରୁ ଗଣମାଧ୍ୟମ ଶକ୍ତିଶାଳୀ ମାଧ୍ୟମ। ସେଥିପାଇଁ ସାମ୍ବାଦିକଙ୍କୁ ତଥ୍ୟ ସଂଗ୍ରହ କରିବାକୁ ପଡ଼ିବ, ଲେଖିବାର କଳା ଆୟତ୍ତ କରିବାକୁ ହେବ ଏବଂ ମଣିଷର ହୃଦୟକୁ ସ୍ପର୍ଶ କଲା ଭଳି ଭାଷାରେ ତାହା ପ୍ରକାଶ କରିବାକୁ ହେବ। ଅଧ୍ୟୟନ, ପର୍ଯ୍ୟବେକ୍ଷଣ, ଭ୍ରମଣ, ସହାନୁଭୂତି; ଏସବୁ ଜୀବନର ପ୍ରତି କ୍ଷେତ୍ରରେ ସଫଳତା ପାଇଁ ଆବଶ୍ୟକ। ପ୍ରତି ଖବର ତରବରରେ ଲେଖା ହୋଇଥିବା ଏକ ସାହିତ୍ୟ। ଯେଉଁଠି ୫ ଡବ୍ଲୁ ୧ ଏଚ୍ରେ ସବୁ ଖବର ଦେବାକୁ ହୋଇଥାଏ। ହେଲେ ସେହି ଘଟଣାର ସତ୍ୟତା, ତଥ୍ୟର ସଠିକତା ଶବ୍ଦ ଓ ଅନୁଭବ କରି ଲେଖିପାରିଲେ ତାହା ସାହିତ୍ୟ ହୋଇଯାଏ।
କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଚଣ୍ଡୀଚରଣ ରଥ ଓଡ଼ିଆ ଭାଷା ମାଧ୍ୟମରେ ପ୍ରତ୍ୟେକ ବିଷୟକୁ ସର୍ବସାଧାରଣରେ ପହଞ୍ଚାଇବାର ବୌଦ୍ଧିକ କୌଶଳକୁ ଉଚ୍ଚ ପ୍ରଶଂସା କରିଥିଲେ। ଓଡ଼ିଆ ଭାଷା, ସାହିତ୍ୟ ବିଭାଗ ମୁଖ୍ୟ ସଂଘମିତ୍ରା ଭଞ୍ଜ କହିଲେ, ଦକ୍ଷତା ବର୍ଦ୍ଧକ ପାଠ୍ୟକ୍ରମ କେବଳ କଳା ବିଭାଗ ଛାତ୍ରୀଙ୍କ ପାଇଁ ନୁହେଁ, ବାଣିଜ୍ୟ, ବିଜ୍ଞାନ ତଥା ସମସ୍ତ ବିଭାଗରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହେବ ବୋଲି କହିଥିଲେ। ଅଧ୍ୟାପକ ସ୍ମୃତି ରଞ୍ଜନ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅଧ୍ୟାପିକା ପୁଷ୍ପିତା ଶୁକ୍ଳା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଛାତ୍ରୀମାନେ ମୁଖ୍ୟବକ୍ତା ଶ୍ରୀ ଦାସଙ୍କ ସହ ପ୍ରଶ୍ନୋତ୍ତର ମାଧ୍ୟମରେ ଅନେକ ସଂଶୟର ସମାଧାନ କରିଥିଲେ। କୁଳପତି ପ୍ରଫେସର୍ ଅପରାଜିତା ଚୌଧୁରୀଙ୍କ ଅନୁମତିକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର୍ ସାୟନ୍ତନି ବେହୁରା, ଓଡ଼ିଆ ବିଭାଗର ଭିଜିଟିଂ ପ୍ରଫେସର ଚୌଧୁରୀ ପ୍ରଦୀପ୍ତ କୁମାର ଦାସ ପ୍ରମୁଖ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/5gj65ggjgjgjg.jpg)