ଏମ୍‌ସ ସହଯୋଗରେ ଖୋଲିଲା ମେଡିକାଲ ଏବଂ ରେଡିଏସନ୍‌ ଫିଜିକ୍ସ ପାଠ୍ୟକ୍ରମ

ରେଡିଓଥେରାପି କେନ୍ଦ୍ର ପାଇଁ ହେବେ ସମ୍ବଳ

ଭୁବନେଶ୍ବର: ଏମ୍ସ ସହଯୋଗରେ ନାଇଜର୍‌ ଭୁବନେଶ୍ବରରେ ଖୋଲିଲା ମେଡିକାଲ ଏବଂ ରେଡିଏସନ୍‌ ଫିଜିକ୍ସର ୩ ବର୍ଷିଆ ପାଠ୍ୟକ୍ରମ। ଭାବା ଆଟୋମିକ ରିସର୍ଚ ସେଣ୍ଟର ପକ୍ଷରୁ ଏହାର ପ୍ରବେଶିକା ପରୀକ୍ଷା ହେବ। ସେଥିରୁ କୃତକାର୍ଯ୍ୟ ୧୦ଜଣ ଏହି ପାଠ୍ୟକ୍ରମରେ ପଢ଼ିପାରିବେ। ଏମ୍ସ ଡାକ୍ତର ସରୋଜ ମଜୁମଦାର, ଡାକ୍ତର କହ୍ନେୟା ଅଗ୍ରୱାଲ ଏହି ପାଠ୍ୟକ୍ରମର ସଂଯୋଜକ ଅଛନ୍ତି। ଆବଶ୍ୟକସ୍ଥଳେ ଅନ୍ୟ ଫାକଲଟିମାନେ ମଧ୍ୟ ପିଲାଙ୍କୁ ପଢ଼ାଇ ପାରିବେ। ଏମ୍ସ ଆନାଟୋମି ବିଭାଗର ଅତିରିକ୍ତ ପ୍ରଫେସର ପ୍ରଭାସ ତ୍ରିପାଠୀ କହିଛନ୍ତି, ଦୁଇ ତୃତୀୟାଂଶ କର୍କଟ ରୋଗୀଙ୍କୁ ରେଡିଓଥେରାପି ଆବଶ୍ୟକ।

ବର୍ତ୍ତମାନ ରାଜ୍ୟରେ ଯେଉଁଭଳି କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଆଗାମୀ ଦିନରେ ଅଧିକ ସଂଖ୍ୟକ ରେଡିଓଥେରାପି ସେଣ୍ଟର ଖୋଲିବାର ଆବଶ୍ୟକତା ରହିଛି। ଏଥିପାଇଁ ହେଲା ମେସିନ୍‌, ସାଇମୋଲେସନ ମେସିନ, ବ୍ରାକି ଥେରାପି ଭଳି ଉଚ୍ଚମାନର ମେସିନ୍‌ ଚଳାଇବା ପାଇଁ ଡାକ୍ତରଙ୍କ ବ୍ୟତୀତ ରେଡିଏସନ୍‌ ଥେରାପିଷ୍ଟ, ବିକିରଣ ଥେରାପିଷ୍ଟ, ରେଡିଏସନ୍‌ ଫିଜିସିଷ୍ଟଙ୍କ ଆବଶ୍ୟକତା ରହିଛି। ମେଡିକାଲ ଏବଂ ରେଡିଏସନ ଫିଜିକ୍ସ ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ବ୍ୟକ୍ତି ହିଁ ଏହି କାର୍ଯ୍ୟ କରିପାରନ୍ତି। ବର୍ତ୍ତମାନ ଭାବା ଆଟୋମିକ୍‌ ରିସର୍ଚ ସେଣ୍ଟର୍‌, ଆର୍ଣ୍ଣା ଇନଷ୍ଟିଚ୍ୟୁଟ୍‌ ସମେତ ସୀମିତ ସଂଖ୍ୟକ ପ୍ରତିଷ୍ଠାନ ପକ୍ଷରୁ ହିଁ କେବଳ ଏହି ମେସିନ୍‌ ଚଳାଇବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରତିଷ୍ଠାନରୁ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କ ଆବଶ୍ୟକତା ଅଧିକ କିନ୍ତୁ ସେମାନଙ୍କ ସଂଖ୍ୟା କମ୍‌ ଥାଏ।

ଅଧିକାଂଶ ସମୟରେ ବିଦେଶରେ ଥିବା ବଡ଼ ସେଣ୍ଟରଗୁଡ଼ିକ ଅଧିକ ଦରମା ଦେଇ ଏହି ବିଦ୍ୟାର୍ଥୀଙ୍କୁ ନିଜ ସଂସ୍ଥାରେ ନିଯୁକ୍ତି ଦିଅନ୍ତି। ଏଥିଯୋଗୁଁ ଭାରତ ବିଶେଷକରି ଓଡ଼ିଶାରେ ପ୍ରଶିକ୍ଷଣପ୍ରାପ୍ତ ବିଶେଷଜ୍ଞ ମିଳିପାରନ୍ତି ନାହିଁ। ତେଣୁ ଏହି ସଙ୍କଟର ସମାଧାନ ପାଇଁ ଏମ୍ସ ପକ୍ଷରୁ ଏଭଳି ଗୁରୁତ୍ବପୂର୍ଣ୍ଣ ପାଠ୍ୟକ୍ରମ ଖୋଲାଯାଇଛି। ନାଇଜର ପକ୍ଷରୁ ପଦାର୍ଥ ବିଜ୍ଞାନ ପାଠ, ଏମ୍ସ ପକ୍ଷରୁ ଏହାର ଉପଯୋଗିତା ସମ୍ପର୍କିତ ପାଠ୍ୟକ୍ରମ ପଢ଼ାଯିବ।

ସମ୍ବନ୍ଧିତ ଖବର