କଳାକାରଙ୍କୁ ଉତ୍ସାହ ଦେବା ପାଇଁ ନୃତ୍ୟଶିଳ୍ପୀଙ୍କ ବାର୍ତ୍ତା, ୨ ମିନିଟର ଭିଡିଓରେ ୧୦ ଶିଳ୍ପୀଙ୍କ ନୃତ୍ୟ ଓ ସଂଳାପ

ଭୁବନେଶ୍ବର: କରୋନାର ଘନ କଳାମେଘ ଭିତରୁ ପୁଣି ନୂତନ ସୂର୍ଯ୍ୟ ଉଇଁବ। ନିରାଶାର ଘନ ଅନ୍ଧକାରରୁ ଆଶାର କିରଣ ଚିହିଙ୍କି ଉଠିବ। ମଉଳି ଯାଇଥିବା ଫୁଲ ପୁଣି ‌ଖିଲିଖିଲି ହୋଇ ହସିବ। ନିରବି ଯାଇଥିବା ପ୍ରେକ୍ଷାଳୟରେ ପୁଣି ଘୁଙ୍ଗୁରର ରୁଣୁଝୁଣ ଧ୍ବନି ବାଜି ଉଠିବ। କଳାକାରକୁ ପାଇ ପୁଣି ମଞ୍ଚ ଦେହରେ ଜୀବନ ସଞ୍ଚରି ଉଠିବ। ମଉଳି ଯାଉଥିବା କଳାକାରର ସମସ୍ତ ଆଶା ଓ ଭରସାକୁ ପୁଣି ଥରେ ଜୀବନ ଭରିବା ଆଶାରେ କିଛି ନୃତ୍ୟଶିଳ୍ପୀ ମିଶି ଏଭଳି ଏକ ଭିଡିଓ ତିଆରି କରିଛନ୍ତି, ଯାହାକି କଳାକାର ମନରେ ‌ଧୈର୍ଯ୍ୟ ଓ ପ୍ରେରଣା ଭରିଦେବାରେ ବେଶ୍‌ ସାହାଯ୍ୟ କରିଛି।

ଏହି ୨ ମିନିଟ୍‌ର ଭିଡିଓ‌ରେ ୧୦ଜଣ ନୃତ୍ୟଶିଳ୍ପୀ ନିଜ ନୃତ୍ୟ ଓ ସଂଳାପ ମାଧ୍ୟମରେ କଳାକାରଙ୍କୁ ଧୈର୍ଯ୍ୟର ସହ ଆସନ୍ତା‌କାଲିର ଅପେକ୍ଷା କରିବାକୁ ବାର୍ତ୍ତା ହେଇଛନ୍ତି। ଭିଡିଓର ବିଷୟବସ୍ତୁ ଓ ସଂଳାପ ନୃତ୍ୟଶିଳ୍ପୀ ଶ୍ରୀନିବାସ ଘଟୁଆରୀ ଲେଖିଥିବା ବେଳେ ପଦ୍ମଶ୍ରୀ ଅରୁଣା ମହାନ୍ତି, ନୃତ୍ୟଶିଳ୍ପୀ ପ୍ରଭାତ କୁମାର ସ୍ବାଇଁ, କଥକ ନୃତ୍ୟଶିଳ୍ପୀ ତରିତ୍‌ ସରକାର, ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ ଅତନୁ ଦାସ, ମଣିପୁରୀ ନୃତ୍ୟଶିଳ୍ପୀ ନମ୍ରତା, କଥକ ନୃତ୍ୟଶିଳ୍ପୀ ଦେବଜ୍ୟୋତି, ଓଡ଼ିଶୀ ନୃତ୍ୟଶିଳ୍ପୀ ଜୀବିକା, ହରେକ୍ରିଷ୍ଣା ଓ ପିଣାତା ପ୍ରମୁଖ ନୃତ୍ୟାଭିନୟ କରିଛନ୍ତି।

ଶ୍ରୀ ଘଟୁଆରୀ କହିଛନ୍ତି, କରୋନା ଲକ୍‌ଡାଉନ୍‌ରେ ସବୁ ବନ୍ଦ ପଡ଼ିଥିବା ବେଳେ ଏସବୁ କେବେ ପୂର୍ବ ଅବସ୍ଥାକୁ ଫେରିବ, କାହାକୁ ଜଣାନାହିଁ। ଏଭଳି ପରିସ୍ଥିତିରେ କେବେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଦିଆଯିବ ସେ ନେଇ କଳାକାରମାନେ ଭାଙ୍ଗି ପଡ଼ିଲେଣି। ସେମାନଙ୍କ ମନରେ ଆଶା ଭରିବା ଉଦ୍ଦେଶ୍ୟରେ ସେ ଏହି ଭିଡିଓ ପ୍ରସ୍ତୁତ କରିଛନ୍ତି। ସେ ଏଥିରେ ଦର୍ଶାଇଛନ୍ତି, ମଞ୍ଚ ସିନା ନିରବି ଯାଇଛି, ନିରବିନି ନୁପୂର। ସୁପ୍ତ ସିନା ପ୍ରେକ୍ଷାଳୟ ସଞ୍ଜୀବିତ ଘୁଙ୍ଗୁର।

ସମ୍ବନ୍ଧିତ ଖବର