ଭୁବନେଶ୍ବର: ମେଟ୍ରୋରେଳ ପାଇଁ ଏୟାରପୋର୍ଟରୁ ପଟିଆ ପର୍ଯ୍ୟନ୍ତ ରାସ୍ତାର ମେଡିଆନ୍ ଓ କଡ଼ରୁ ବିଦ୍ୟୁତ ଖୁଣ୍ଟ ହଟିବ। ଜନପଥରୁ ସ୍ମାର୍ଟ ସିଟି ହଟାଇବ। ଏୟାରପୋର୍ଟରୁ ଶିଶୁଭବନ ଓ ଜୟଦେବବିହାରରୁ ପଟିଆ ପର୍ଯ୍ୟନ୍ତ ରାସ୍ତାରୁ ବିଏମ୍ସି ହଟାଇବ। ଏଥିପାଇଁ ଖର୍ଚ୍ଚ ହେବ ୮ କୋଟି। ଏହା ସହିତ ରାସ୍ତାରୁ ଗଛ ମଧ୍ୟ କଟାହେବ। ବଡ଼କଥା ହେଉଛି, ମାତ୍ର ୩ ବର୍ଷ ତଳେ ୧୦୦ କୋଟି ଟଙ୍କା ଖର୍ଚ୍ଚରେ ପ୍ରସ୍ତୁତ ହୋଇଥିବା ସ୍ମାର୍ଟ ଜନପଥ ମଧ୍ୟ ତା’ର ଅସ୍ତିତ୍ବ ହରାଇବ। ରାସ୍ତା କଡ଼ରେ ହୋଇଥିବା ପବ୍ଲିକ୍ ପ୍ଲାଜା ତଡ଼ାଯିବ। ସୁନ୍ଦର ଦିଶୁଥିବା ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ହଟାଯିବ। ମେଡିଆନ୍ରେ ଥିବା ବାଉଁଶ ବାଡ଼ ମଧ୍ୟ ହଟାଯିବ। ଜନପଥକୁ ନିର୍ମାଣ ସହ ମରାମତି କରିବାକୁ ଠିକା ନେଇଥିବା ସଂସ୍ଥାର ଆଉ ୨ ବର୍ଷ ମରାମତି କରିବାକୁ ଚୁକ୍ତିନାମା ଥିବା ବେଳେ ଏହାକୁ ତଡ଼ାଯିବାକୁ ନିଷ୍ପତ୍ତି ହୋଇଛି। ବହୁ ପ୍ରତୀକ୍ଷିତ ମେଟ୍ରୋ ରେଳ ପ୍ରକଳ୍ପ ଧାର୍ଯ୍ୟ ଅବଧିରେ ସାରିବା ପାଇଁ ଲାଗିପଡ଼ିଛି ଭୁବନେଶ୍ବର ମେଟ୍ରୋ ରେଳ କର୍ପୋରେସନ(ବିଏମ୍ଆରସି)। ଧାରଣା ପାଇଁ ଖୁମ୍ବ ପୋତିବାକୁ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ରାସ୍ତାର ୫୦ ପ୍ରତିଶତ ପ୍ରଭାବିତ ହେବ। ରାସ୍ତାର ଉଭୟପାର୍ଶ୍ବରୁ ୨ରୁ ୩ ମିଟର ପର୍ଯ୍ୟନ୍ତ ଚଉଡ଼ା ହେବ। ଜନପଥ ଛଡ଼ା ଅନ୍ୟ ସମସ୍ତ ରାସ୍ତାରେ ଏହି ଚଉଡ଼ା ହେବାକୁ ସୁଯୋଗ ରହିଛି। କେବଳ ଗଛ କାଟିବା ଓ ଖୁଣ୍ଟ ଉଠାଇବା ପରେ ଏହି କାମ ଆରମ୍ଭ ହେବ। ବିଏମ୍ସି ଖୁଣ୍ଟ ଉଠାଇବା ପାଇଁ ଏକ ଠିକା ସଂସ୍ଥା ନିୟୋଜିତ କରିବ। ଏଥିପାଇଁ ହେବାକୁ ଥିବା ୪ କୋଟି୧୦ ଲକ୍ଷ ଟଙ୍କା ଭୁବନେଶ୍ବର ମେଟ୍ରୋ ରେଳ ନିଗମ(ବିଏମ୍ଆର୍ସି) ପୈଠ କରିବ।
ହଟିବ ବିଦ୍ୟୁତ୍ଖୁଣ୍ଟ
ଖର୍ଚ୍ଚ ହେବ ୮ କୋଟି
ସେହଭଳି ଜନପଥରେ ବିଦ୍ୟୁତ୍ଖୁଣ୍ଟ ସହ ଅନ୍ୟାନ୍ୟ ‘ୟୁଟିଲିଟି’ ସ୍ଥାନାନ୍ତର ପାଇଁ ୪କୋଟି ଖର୍ଚ୍ଚ ହେବ। ଏଥିପାଇଁ ସ୍ମାର୍ଟ ସିଟି ମଧ୍ୟ ଠିକା ସଂସ୍ଥା ଚୟନ କରିବ। ଏହି ଅର୍ଥ ମଧ୍ୟ ମେଟ୍ରୋ ରେଳ କର୍ପୋରେସନ ପୈଠ କରିବ। ତେବେ ବଡ଼ କଥା ହେଉଛି ଏହି ଜନପଥକୁ ଶହେ କୋଟି ଖର୍ଚ୍ଚ କରି ସ୍ମାର୍ଟ ସିଟି ଲିମିଟେଡ୍ ତିଆରି କରିଥିଲା। ୨୦୨୧ ମସିହାରେ ପ୍ରସ୍ତୁତ ହୋଇଥିବା ଏହି ରାସ୍ତା ସାରା ରାଜ୍ୟ ପାଇଁ ଆଦର୍ଶ ହୋଇଥିଲା। ପୂର୍ବର ସରକାର ଏଭଳି ରାସ୍ତା ପ୍ରତ୍ୟେକ ପୌରସଂସ୍ଥାରେ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହି ରାସ୍ତା ଏବେ ତାହାର ସ୍ଥିତି ହରାଇବାକୁ ଯାଉଛି। ରାସ୍ତା କଡ଼ରେ ହୋଇଥିବା ପବ୍ଲିକ୍ ପ୍ଲାଜା, ସିମେଣ୍ଟ ଚେୟାର ସବୁ ହଟିବାକୁ ଯାଉଛି। ମାଟି ତଳେ ଥିବା ସମସ୍ତ ୟୁଟିଲିଟି ହଟାଇବା ପାଇଁ ମଧ୍ୟ ରାସ୍ତାକୁ ଖୋଳିଦେବାକୁ ନିଷ୍ପତ୍ତି ହୋଇଛି। ଶହେ କୋଟି ଖର୍ଚ୍ଚରେ ନିର୍ମାଣ ହୋଇଥିଲା, ଏବେ ୪ କୋଟି ବ୍ୟୟରେ ତଡ଼ାଯିବ। ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ପର୍ଯ୍ୟନ୍ତ ହୋଇଥିବା ବାଉଁଶ ବାଡ଼ ମଧ୍ୟ ହଟିବାକୁ ଯାଉଛି। ଏ ସବୁର ୱାରେଣ୍ଟି ଅବଧି ମଧ୍ୟ ସରିନାହିଁ। ଆଉ ଦୁଇ ବର୍ଷ ଅଛି। ୱାରେଣ୍ଟି ପାଇଁ ସଂସ୍ଥା ନେଇଥିବା ଅର୍ଥ ମଧ୍ୟ ବୁଡ଼ିବାକୁ ଯାଉଛି। ଦାୟିତ୍ବରେ ଥିବା ବଡ଼ବାବୁମାନଙ୍କର ଅଦୂରଦର୍ଶିତା ଯୋଗୁ ଏଭଳି କ୍ଷତି ହେବାକୁ ଯାଉଛି। ଆଉ ଏକ ବଡ଼ କଥା ହେଉଛି, ପ୍ରାୟ ୨୬ କିମି ଦୀର୍ଘ ରାସ୍ତାରୁ ୧୧ଶହରୁ ଊର୍ଦ୍ଧ୍ବ ଗଛ କଟାଯିବାକୁ ଯୋଜନା ହୋଇଛି। ପୂର୍ବରୁ ଜନପଥ ନିର୍ମାଣ ପାଇଁ ଗଛ କଟାଯାଇଥିବା ବେଳେ ରାଜମହଲ ଫ୍ଲାଏଓଭର ବେଳେ ମଧ୍ୟ ଗଛ କଟାଯାଇଥିଲା। ଜନପଥରେ ନୂଆ କରି ଲାଗିଥିବା ଗଛ ବଡ଼ ହୋଇ ଆସୁଥିବା ବେଳେ ଏହି ସବୁ ଗଛକୁ ଏବେ କଟାଯିବ। ତା ସହିତ ଅନ୍ୟରାସ୍ତାରେ ଥିବା ପୁରୁଣା ଗଛ ମଧ୍ୟ ଏଥିରେ ବଳିପଡ଼ିବ। ଯାହା ଭୁବାନେଶ୍ବର ଜଳବାୟୂକୁ ତୀବ୍ରମାତ୍ରାରେ ପ୍ରଭାବିତ କରିବ ବୋଲି ପରିବେଶବିତ୍ ଆଶଙ୍କା କରିଛନ୍ତି।
ସୂଚନାଯୋଗ୍ୟ, ବିଭିନ୍ନ ସେବାପାଇଁ ରାସ୍ତାକଡ଼ ଓ ମାଟି ତଳେ ଥିବା ଭିତ୍ତିଭୂମି ସ୍ଥାନାନ୍ତର କରିବାକୁ ବିଭିନ୍ନ ସଂସ୍ଥା ପକ୍ଷରୁ ସର୍ଭେ ସରିବା ସହ ବିଏମ୍ଆର୍ସିରେ ରିପୋର୍ଟ ଦାଖଲ ହୋଇଥିଲା। ସେହି ଆଧାରରେ ଖର୍ଚ୍ଚ ଅଟକଳ(୮କୋଟି) କରାଯାଇଛି। ୨୦୨୭ ମସିହା ଡିସେମ୍ବର ସୁଦ୍ଧା ମେଟ୍ରୋ ରେଳ ପ୍ରକଳ୍ପ (ପ୍ରଥମ ପର୍ଯ୍ୟାୟ) କାମ ସାରିବା ପାଇଁ ଧାର୍ଯ୍ୟ ହୋଇଛି। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଜାରି ରଖିଛି ବିଏମ୍ଆର୍ସି।