ବୋଝର ପାହାଡ଼ ମୁଣ୍ଡାଇଛନ୍ତି ମଧ୍ୟବିତ୍ତ ବ୍ୟବସାୟୀ: ଘରଭଡ଼ା, ବ୍ୟାଙ୍କଋଣ ଓ କର୍ମଚାରୀଙ୍କ ଦରମା ଚିନ୍ତା

ଭୁବନେଶ୍ବର: କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ୍‌ ଏବେ ରାଜଧାନୀର ହଜାର ହଜାର ମଧ୍ୟବିତ୍ତ ବ୍ୟବସାୟୀଙ୍କୁ ଘୋର ମାନସିକ ଅବସାଦ ଭିତରକୁ ଠେଲି ଦେଇଛି। ଘରଭଡ଼ା, ଦୋକାନ ଭଡ଼ା, ବ୍ୟାଙ୍କ ଋଣ ଓ କର୍ମଚାରୀମାନଙ୍କ ଦରମା ସହିତ ନିଜ ପରିବାରର ଖର୍ଚ୍ଚ ଏ‌ବେ ସେମାନଙ୍କ ମୁଣ୍ଡରେ ପାହାଡ଼ ସଦୃଶ ଲଦି ହୋଇରହିଛି। ଦୋକାନ ବନ୍ଦ ଯୋଗୁଁ ପଇସାଟିଏ ଆୟ ନଥିବା ବେଳେ ମାସକୁ ଲକ୍ଷ ଲକ୍ଷ ଟଙ୍କାର ବୋଝ ସେମାନଙ୍କୁ ଭାରାକ୍ରାନ୍ତ କରି ରଖିଛି। ଏଭଳି ଅବସ୍ଥା ଅଧିକ ଦିନ ଲାଗି ରହିଲେ, ସେମାନେ ତଳିତଳାନ୍ତ ହୋଇଯିବା ନିଶ୍ଚିତ ବୋଲି କହିଛନ୍ତି। ରାଜଧାନୀର ବାପୁଜୀନଗର, ମାର୍କେଟ୍‌ ବିଲ୍ଡିଂ, ଅଶୋକନଗର, ସହିଦନଗର, ଇନ୍ଦ୍ରଧନୁ ମାର୍କେଟ୍‌, ପ୍ରିୟଦର୍ଶିନୀ ମାର୍କେଟ୍‌ ଭଳି ଅଞ୍ଚଳରେ ହଜାର ହଜାର ସଂଖ୍ୟାରେ ମଧ୍ୟମ ବର୍ଗର ବ୍ୟବସାୟୀ ଅଛନ୍ତି। ମୋବାଇଲ୍‌ ଫୋନ୍‌, ଗିଫ୍ଟ ଆଇଟମ୍‌, ପୋଷାକପତ୍ର, ଷ୍ଟେସ୍‌ନାରି ଭଳି ବ୍ୟବସାୟରେ ବେପାରୀମାନେ ଲକ୍ଷାଧିକ ଟଙ୍କା ବିନିଯୋଗ କରିଛନ୍ତି।

ସେଭଳି ମାର୍କେଟ୍‌ରେ ଦୋକାନଘର ପାଇଁ ଭଡ଼ା ବାବଦରେ ୩୦ ହଜାରରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଗଣିବାକୁ ପଡ଼ିଥାଏ। ସେହିଭଳି ପୁଞ୍ଜି ପାଇଁ ବ୍ୟାଙ୍କ ଋଣ କରିବାକୁ ପଡ଼ିଥାଏ। ଦୋକାନରେ ଦୁଇ ଚାରିଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେବାକୁ ହୋଇଥାଏ। ଅଶୋକନଗରରେ ଗାର୍ମେଟ୍‌ ସୋ’ରୁମ୍‌ କରିଥିବା ରାଧାଶ୍ୟାମ ସୁବୁଦ୍ଧିଙ୍କ କହିବା କଥା ଲକ୍‌ଡାଉନ୍‌ ଯୋଗୁଁ ତାଙ୍କ ଭଳି ବ୍ୟବସାୟୀମାନେ ବିପୁଳ କ୍ଷତି ସହୁଛନ୍ତି। ମୁଣ୍ଡ ଉପରେ ୫୦ ଲକ୍ଷ ଟଙ୍କାର ଋଣ ଓ ଋଣ ପରିଶୋଧ ପାଇଁ ମାସିକ ୯୦ ହଜାର ଟଙ୍କା ଦରକାର। ଘର ଭଡ଼ା ବାବଦରେ ମାସକୁ ୪୧ ହଜାର ଟଙ୍କା ଓ ଦୋକାନରେ କାମ କରୁଥିବା ୭ କର୍ମଚାରୀଙ୍କ କଥା। ଦୋକାନ ବନ୍ଦ। ପଇସାଟିଏ ଆୟ ନାହିଁ। ଠେଲିପେଲି ଘରଭଡ଼ାକୁ ଗୋଟିଏ ମାସ ଗଡ଼ାଇ ହେଲା। କର୍ମଚାରୀଙ୍କୁ କହିପୋଛି ଅଧା ଦରମା ଦେଇଛି। ସେମାନଙ୍କ ପରିସ୍ଥିତି ଆହୁରି ଶୋଚନୀୟ। ତେଣୁ ପରିସ୍ଥିତି ଏମିତି ହେଲାଣି ଯେ ବ୍ୟବସାୟ ଭାଙ୍ଗି ଦେବାକୁ ମନ ହେଉଛି।

ସେହିଭଳି ଖଣ୍ଡଗିରି ଅଞ୍ଚଳରେ ଗିଫ୍ଟି ଆଇଟମ୍ ଦୋକାନ କରିଥିବା ଲୋକନାଥ ପାତ୍ର କୁହନ୍ତି ଯେ, ଲଗାତର ଦୁଇ ବର୍ଷ ହୋଇଥିବା ଲକ୍‌ଡାଉନ୍‌ ତାଙ୍କୁ ବଡ଼ଦାଣ୍ଡକୁ ନେବାକୁ ବସିଛି। ଦୀର୍ଘ ଦିନ ହେବ ବେପାର ନାହିଁ। କରୋନା କଟକଣା ପାଇଁ ବାହାଘର ସିଜିନ୍‌ ମାନ୍ଦା। ତେଣୁ ଦୁଇ ବର୍ଷ ହେଲା ବିପୁଳ କ୍ଷତିରେ ବେପାର ଚାଲିଛି। ମାଲ୍‌ ଯୋଗାଉଥିବା ମହାଜନଙ୍କ ପଇସା ପରିଶୋଧ କରି ପାରୁନି। ଘରଭଡ଼ା ଦେଇପାରୁନି ବୋଲି ଘର ମାଲିକ ସବୁ ଦିନ ଫୋନ୍‌ କରି ଦି’ପଦ ଶୁଣାଉଛି। ଘର ଛାଡ଼ିବାକୁ ଧମକ ମିଳୁଛି। ଦୋକାନରେ ଥିବା ଦୁଇ ପିଲାଙ୍କୁ ମଧ୍ୟ ଦରମା ଦେଇପାରୁନି। ଏହା ସବୁଠାରୁ ବଡ଼ ଦୁଃଖ। କିନ୍ତୁ ମୁଁ ନାଚାର। ନିଜ ଘର ଖର୍ଚ୍ଚ ଯୋଗାଡ଼ କରିପାରୁନି ‌ଯେତେବେଳେ ପିଲାଙ୍କୁ କେଉଁଠୁ ଦେବି ବୋଲି ସେ କହିଛନ୍ତି। ଅବସ୍ଥା ଯାହା ହେଲାଣି ସେ ଅନ୍ୟ କେଉଁଠି କାମ ନ କଲେ ପରିବାର ଚଳାଇବା କଷ୍ଟ ହେବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର