ରାଜଧାନୀରେ ରାଖୀ ପସରା‌: କରୋନା କାରୁଣ୍ୟକୁ ଦୂରେଇବ ସୁରକ୍ଷା ଡୋରି

ଚାହିଦାରେ କାଠ ଖୋଦେଇ ରାଖୀ, ମନ କିଣୁଛି ମନୀଷାଙ୍କ ପରିବେଶ ଅନୁକୂଳ ରାଖୀ ପୁଟୁଳି

ରେଶମି ଡୋରି ଓ ସେନେହ ‌ସୂତାରେ ଗୁନ୍ଥି ହେଉଛି ମମତା ମାଳି। ଭାଇ ହାତରେ ରକ୍ଷାର ପ୍ରତିଶ୍ରୁତି ବନ୍ଧନ ବାନ୍ଧିବାକୁ ପ୍ରସ୍ତୁତ ହେଉଛି ଭଉଣୀ। ଭାଇ ବି ଉପହାରଟିଏ କିଣିବାକୁ ଯୋଜନା କରୁଛି। ଗତବର୍ଷ ଲକ୍‌ଡାଉନ୍‌ ଭିତରେ ରାଖୀ ସମ୍ପୂର୍ଣ୍ଣ ଫିକା ପଡ଼ିଥିଲା। ଚଳିତ ବର୍ଷ କରୋନା କାରୁଣ୍ୟକୁ ଦୂରେଇବା ପାଇଁ ଏହି ସୁରକ୍ଷା ଡୋରିି ବନ୍ଧନ ଉତ୍ସବ ସୁଯୋଗ ଆଣିଛି। ତେଣୁ ଦୂରରେ ଥିବା ଭାଇ ପାଖକୁ ଏବେଠାରୁ ରାଖୀ ପୁଟୁଳି ପଠା ଆରମ୍ଭ ହୋଇଯାଇଛି। ଅନ୍‌ଲାଇନ୍‌ ଓ ସାଧାରଣ ବଜାରରେ ଭିନ୍ନ ଭିନ୍ନ ରକମର ଓ ଗ୍ରାହକଙ୍କ ଚାହିଦା ଓ ପସନ୍ଦ ଅନୁଯାୟୀ ରାଖୀ ଉପଲବ୍‌ଧ ହେଉଛି। ଛୁଆଙ୍କ ପାଇଁ ଟେଡ୍ଡି ରାଖୀ, ତୁଳା ରାଖୀ ଓ କାର୍ଟୁନ୍‌ ରାଖୀ ମିଳୁଥିବା ବେଳେ ବଡ଼ମାନଙ୍କ ପାଇଁ ରହିଛି ମେଟାଲା ରାଖୀ, ଷ୍ଟୋନ୍‌, ଫ୍ୟାନ୍‌ସି ଓ ସଲ୍‌ମାନ୍‌ ଖାନ୍‌ ରାଖୀ। ଆସନ୍ତା ୨ ଦିନ ସଟ୍‌ଡାଉନ୍‌ ଥିବାରୁ ଓ ରାଖୀର ଦିନେ ପୂର୍ବରୁ ସଟ୍‌ଡାଉନ୍‌ ଥିବାରୁ ଏବେଠାରୁ ରାଖୀ ବଜାର ସରଗରମ୍‌ ହୋଇ ଉଠିଛି।

ମନ କିଣୁଛି ମନୀଷାଙ୍କ ପରିବେଶ ଅନୁକୂଳ ରାଖୀ ପୁଟୁଳି
ମହାମାରୀ କରୋନା ପାଇଁ ଭାଇ, ଭଉଣୀଙ୍କ ମଧ୍ୟରେ ଦେଖା ହେବାର ସମ୍ଭାବନା କମି ଯାଇଛି। ଦୂରରେ ରହୁଥିବା କାରଣରୁ ଭାଇ ଘରକୁ ଆସି ପାରୁନି। ଏପରି ସମୟରେ ଅନ୍‌ଲାଇନ୍ ରାଖୀ ବ୍ୟବସାୟର ଚାହିଦା ବଢ଼ିଯାଇଛି। ଏହି ସମୟରେ ନିଜର ଲୁକ୍କାୟିତ ପ୍ରତିଭାକୁ ବାହାରକୁ ଆଣିବା ସହିତ ବାହାରେ ରହୁଥିବା ଭାଇ ପାଖରେ ଭଉଣୀର ସ୍ନେହ ସମ୍ମାନ ପହଞ୍ଚାଇବା ପାଇଁ ଏକ ଅଭିନବ ପ୍ରୟାସ କରିଛନ୍ତି କମ୍ପ୍ୟୁଟର ଇଂଜିନିୟର ମନୀଷା ସାମଲ। ମନୀଷା ପେସାରେ ଜଣେ ଆଇଟି ଇଂଜିନିୟର। କଳିଙ୍ଗବିହାରସ୍ଥିତ ନିଜ ଘରେ ସେ ପ୍ରସ୍ତୁତ କରୁଛନ୍ତି ପରିବେଶ ଅନୁକୂଳ ‘ରାଖୀ ପୁଟୁଳି’। କୌଣସି ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ନକରି ସେ ଝୋଟ, ସୁତୁଲି, କାଠ, ସବାଇ ଘାସ ଓ କପଡ଼ାରେ ପ୍ରସ୍ତୁତ କରିଛନ୍ତି ଏହି ସ୍ବତନ୍ତ୍ର ରାଖୀ। କେବଳ ରାଖୀ ନୁହେଁ, ତା’ ସହିତ ଅନ୍ୟ ଆବଶ୍ୟକ ସାମଗ୍ରୀ ଚନ୍ଦନ, ଅରୁଆ ଚାଉଳ ଓ ସିନ୍ଦୂର ମଧ୍ୟ ଏହି ପୁଟୁଳିରେ ରହିଛି। ସାଥୀରେ ରହିଛି ଭାଇ ପାଇଁ ହାତ ଲେଖା ଏକ ସୁନ୍ଦର ଗ୍ରିଟିଂସ୍‌ କାର୍ଡ। କେବଳ ସେତିକି ନୁହେଁ, ରାଖୀକୁ ଏକ ସୁନ୍ଦର ପୁଟୁଳି ଓ ସମସ୍ତ ସାମଗ୍ରୀକୁ କାଗଜ ଓ କପଡ଼ାରେ ପ୍ରସ୍ତୁତ ବାକ୍ସରେ ପ୍ୟାକ୍ କରାଯାଇଛି। ଏହାକୁ ଅନ୍‌ଲାଇନ୍‌ରେ ଅର୍ଡର କରାଯାଉଥିବା ବେଳେ ଡେଲିଭରି ପାଇଁ କୌଣସି ଖର୍ଚ୍ଚ ଦେବାକୁ ପଡ଼ୁନାହିଁ।
ମନିଷା କହିଛନ୍ତି, ଚାକିରି ଜୀବନର ବ୍ୟସ୍ତତା ପାଇଁ ଭାଇକୁ ଦେଖା କରି ରାଖୀ ବାନ୍ଧିବା ସମ୍ଭବ ହେଉନାହିଁ। ତେଣୁ ସେ ଏପରି ଏକ ‘ପୁଟୁଳି’ର ପରିକଳ୍ପନା କଲେ। ସେଥିରେ ପରିବେଶ ସୁରକ୍ଷିତ ରହିବା ଭଳି ସାମଗ୍ରୀ ଥିବା ନେଇ ଚିନ୍ତା କଲେ। ସେ ତାଙ୍କ ସାଙ୍ଗ ଆରତୀ ସାହୁଙ୍କ ସହ ମିଶି ଏହାକୁ ତିଆରି କରିଛନ୍ତି। ଅଦ୍ୟାବଧି ୫୦ ଟି ବରାଦ ବିଭିନ୍ନ ରାଜ୍ୟରୁ ଆସିଥିବା କଥା ମନୀଷା କହିଛନ୍ତି। ରାଖୀ ଅର୍ଡର ପାଇଁ କାନଭାସ୍ ସଟ୍‌ ସାଇଡ୍‌ରେ ଲୋକେ ଅର୍ଡର ଦେଇପାରିବେ। ଏହାସହ ଇନ୍‌ଷ୍ଟାଗ୍ରାମ ଆଇଡି କାନ୍‌ଭାସ୍‌ ସଟ୍ସରେ ଅର୍ଡର ଦେଇପାରିବେ ବୋଲି ମନିଷା କହିଛନ୍ତି।

ରାଖୀ ପାଇଁ ପଟ୍ଟଚିତ୍ର ରାଖୀ, ୫୦୦ଟଙ୍କା ଯାଏ ରହିଛି ରାଖୀ
ରାଖୀରେ ଦଶବତାରଠାରୁ ଆରମ୍ଭ କରି ଭଗବାନ ଗଣେଶଙ୍କ ପ୍ରତିକୃତି ରହିଛି। କୃଷ୍ଣଙ୍କଠାରୁ ଆରମ୍ଭ କରି ସାଧବ ପୁଅ ଓ ନୌବାଣିଜ୍ୟ କାହାଣୀ ରହିଛି। ରାଜ୍ୟରେ ତଥା ରାଜ୍ୟଧାନୀରେ ହସ୍ତତନ୍ତ ଓ ହସ୍ତଶିଳ୍ପର ଏକ ଆନ୍ଦୋଳନ ସୃଷ୍ଟି ହୋଇଥିବ‌ା ବେଳେ ରାଖୀ ବଜାରରେ ଏଥର ପ୍ରବେଶ କରିଛି ପଟ୍ଟଚିତ୍ର ରାଖୀ। ଆଉ ପଟ୍ଟଚିତ୍ର ମାଧ୍ୟମରେ ବିଭିନ୍ନ ଦେବୀ ଦେବତାଙ୍କଠାରୁ ଆରମ୍ଭ କରି ପରମ୍ପରାକୁ ‌ଆଙ୍କି ଦେଉଛନ୍ତି ପଟ୍ଟଚିତ୍ର ଶିଳ୍ପୀ ଆଶିଷ ଦାସ। ପଟ୍ଟଚିତ୍ରରେ ରାଖୀ ତିଆରି କରି ସେ ରାଜଧାନୀରେ ବିକ୍ରି କରୁଛନ୍ତି। ପ୍ରାକୃତିକ ରଙ୍ଗକୁ ବ୍ୟବହାର କରି ପେପର ବୋର୍ଡ ଉପରେ ପଟ୍ଟଚିତ୍ର ଆଙ୍କି ସେ ରାଖୀ ବନାଉଛନ୍ତି ଓ ପରେ ଏହାକୁ ଲାମିନେସନ ମଧ୍ୟ କରାଯାଉଛି। ଏହି ରାଖୀକୁ କିଣିବା ପାଇଁ ଗ୍ରାହକମାନଙ୍କର ଚାହିଦା ମଧ୍ୟ ରହୁଛି। ବିଶେଷକରି ଏହି ରାଖୀ ମାଧ୍ୟମରେ ପଟ୍ଟଚିତ୍ରକୁ ପ୍ରସାରିତ କରାଯାଉଛି। ଆକାର ଓ ଚିତ୍ରକୁ ନେଇ ଏହି ରାଖୀର ଦାମ୍‌ ରହିଛି। ୧୦୦ ଟଙ୍କାରୁ ଆରମ୍ଭ କରି ୫୦୦ଟଙ୍କା ଯାଏ ଏହାର ଦାମ୍‌ ରହିଛି। ଆଶିଷ ଏହାକୁ ନିଜର ସୋସିଆଲ୍‌ ମିଡିଆରେ ପ୍ରଚାର କରି ବିକ୍ରି କରୁଛନ୍ତି। ଆଶିଷ କୁହନ୍ତି, କରୋନା ପାଇଁ ପଟ୍ଟଚିତ୍ରରେ ଏତେଟା ବ୍ୟବସାୟ ହେଉନି। ଏଥିରେ ପୁଣି ଆମ ବେପାର ମାନ୍ଦାରେ ଚାଲିଛି। ସେଥିଲାଗି ରାଖୀ ପୂର୍ଣ୍ଣିମା ଆସୁଥିବାରୁ ପଟ୍ଟଚିତ୍ରରେ ରାଖୀ ତିଆରି କରି କିଛି ଟଙ୍କା ରୋଜଗାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ବୋଲି ଆଶିଷ କହିଛନ୍ତି।

ଚାହିଦାରେ କାଠ ଖୋଦେଇ ରାଖୀ
ରାଜଧାନୀର ପ୍ରତିଟି ଗଳିକନ୍ଦିରେ ଖୋଲିଛି ରାଖୀ ପସରା। ଗତବର୍ଷ ବେପାର ଭଲ ହୋଇନଥିବାରୁ ଚଳିତ ବର୍ଷ ଗ୍ରାହକଙ୍କୁ ଆ‌କର୍ଷିତ କରିବାକୁ ରାଖୀ ବଜାରରେ ଚାଲିଛି ଜୋର୍‌ଦାର୍‌ ପ୍ରତିଯୋଗିତା। ଭିନ୍ନ ଭିନ୍ନ ରାଖୀକୁ ନେଇ ବଜାର ସରଗରମ ହୋଇଥିବା ବେଳେ ଆକର୍ଷଣରେ ରହିଛି କାଠ ଖୋଦେଇ ରାଖୀ। ଧୀରେଧୀରେ ରାଜଧାନୀବାସୀ ସଚେତନ ହେଉଥିବାରୁ ଏହି ପରିବେଶ ଅନୁକୂଳ ରାଖୀର ଚାହିଦା ବଢ଼ିଛି। କାଠରେ ଖୋଦେଇ ବିଭିନ୍ନ ଭଗବାନ ଯଥା, କୃଷ୍ଣ, କୁନି ଗଣେଶ, ହନୁମାନ, ମା’ ଲକ୍ଷୀ, କାଠ ତିଆରି ରୁଦ୍ରାକ୍ଷ, ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଭାଇ ଲେଖା ରାଖୀ, ପଦ୍ମ ଫୁଲ, ସ୍ବସ୍ତିକ ଓ ଏମ୍‌ ଲେଖା ରାଖୀ ଆଦିର ବେଶ୍‌ ଚାହିଦା ରହିଛି। ଏଥିସହ ବଡ଼ମାନଙ୍କ ଭିତରେ ମେଟାଲ୍‌ ରାଖୀ ଅଧିକ ଚାହିଦାରେ ରହିଛି। ଛୁଆଙ୍କ ପାଇଁ ଗତବର୍ଷ ଭଳି ଟେଡ୍ଡି ରାଖୀ ଓ କାଠ ଖୋଦେଇ ରାଖୀ ରହିଛି। ୟୁନିଟ୍‌-୧ ହାଟର ଅସ୍ଥାୟୀ ରାଖୀ ଦୋକାନୀ ସର୍ବେଶ୍ବର ସାହୁ କହିଛନ୍ତି, ଗତବର୍ଷ ରାଖୀ ପାଇଁ ନୂଆ ମାଲ୍‌ ଆସିନଥିଲା କି ଆମେ କିଣି ବି ନଥିଲୁ। ପୂର୍ବ ବର୍ଷର ଷ୍ଟକ୍‌ ବିକ୍ରି କରି କିଛି ଲାଭ କରିଥିଲୁ। କରୋନା ପାଇଁ ରାଖୀ ବେପାର ଏବେ ଅନ୍‌ଲାଇନ୍‌ରେ ବେଶ୍‌ ଅଧିକ ବଢ଼ିଯାଇଛି। ତଥାପି ଚଳିତ ବର୍ଷ ଏ ପର୍ଯ୍ୟନ୍ତ ରାଖୀକୁ ନେଇ ଭଲ ବେପାର ବି ହେଉଛି। କାଠରେ ତିଆରି ରାଖୀ ଚାହିଦା ଅଧିକ ରହୁଥିବାରୁ ଆହୁରି ମାଲ୍‌ ମଗାଇଛି। ଆଉ ସପ୍ତାହେ ଭଲ ବେପାର ହେବ। ଲକ୍‌ଡାଉନ୍‌ ଖୋଲିଥିବା‌ରୁ ବେପାର ଭଲ ଜମୁଛି ବୋଲି ସେ କହିଛନ୍ତି।

ଅନ୍‌ଲାଇନ୍‌ରେ ରାଖୀ ପୁଟୁଳି
କରୋନା ଅନ୍‌ଲାଇନ୍‌ ବଜାରକୁ ଅଧିକ ଇନ୍ଧନ ଯୋଗାଇଛି। ଗ୍ରାହକଙ୍କୁ ଅନ୍‌ଲାଇନ୍‌ ସପିଂ ପାଇଁ ଆକର୍ଷିତ କରିବାକୁ କମ୍ପାନିଗୁଡ଼ିକ ନୂଆ ନୂଆ ଚିନ୍ତା ନେଇ ବଜାରକୁ ଆସିଛନ୍ତି। ଚଳିତ ବର୍ଷ ବି ଅନ୍‌ଲାଇନ୍‌ ରାଖୀ ପୁଟୁଳି ଭଉଣୀକୁ ଆକୃଷ୍ଟ କରିଛି। ରାଖୀ ସହିତ ମିଠା, ଡ୍ରାଏ ଫ୍ରୁଟ୍‌, ଚକୋଲେଟ୍‌ ଓ ଭାଇର ବନ୍ଦାଣ ପାଇଁ ଚାଉଳ, ସିନ୍ଦୂର, ଚନ୍ଦନ, ମିଶ୍ରି, ମହମ ଦୀପ ଆଦି ଏହି ପୁଟୁଳିରେ ରହୁଛି। ଖାଲି ସେତିକି ନୁହେଁ, ଭାଇକୁ ଉପହାର ସ୍ବରୂପ କିଛି ଦେବା ପାଇଁ କଫି ମଗ୍‌, ଫଟୋ ଫ୍ରେମ୍‌, କୁସନ୍‌, ଗ୍ରିଟିଂ କାର୍ଡ, ରୂପା ମୁଦ୍ରା, ପେନ୍‌ ଷ୍ଟାଣ୍ଡ, ୱାଲେଟ୍‌, ଚାବି ରିଙ୍ଗ୍‌ ଆଦି ଭିନ୍ନ ଭିନ୍ନ ରକମର ଉପହାର ମଧ୍ୟ ଏହି ପୁଟୁଳିରେ ରହୁଛି। ଏସବୁ ଉପହାର ଅନୁଯାୟୀ ଦାମ୍‌ ୧୯୯ ଟଙ୍କାରୁ ଆରମ୍ଭ କରି ୧୫୯୯ ଓ ୧୯୯୯ ଟଙ୍କା ପର୍ଯ୍ୟନ୍ତ ରହୁଛି।

ସମ୍ବନ୍ଧିତ ଖବର