ମନ କିଣୁଛି ସୁଦର୍ଶନଙ୍କ ପ୍ରାଚୀନ ବାସନ ସଂଗ୍ରହାଳୟ

ଆଜି ବିଶ୍ୱ ସଂଗ୍ରହାଳୟ ଦିବସ

ପୁରୁଣା ଭୁବନେଶ୍ବର: ଖଣ୍ଡଗିରି ଜାଗମରା ତୁଳସୀବିହାରରେ ଗବେଷକ ସୁଦର୍ଶନ ସାହୁଙ୍କ ସଂଗ୍ରହାଳୟ ରହିଛି। ଏହାର ନାଁ ହେଉଛି ‘ଗୋପୀନାଥ ହେରିଟେଜ୍‌ ମ୍ୟୁଜିୟମ୍ ଅଫ୍ ବ୍ରାସ୍‌ ଆଣ୍ଡ ବେଲ୍‌ ମେଟାଲ୍‌ କ୍ରାଫ୍ଟ ଆଣ୍ଡ ନେଗ୍‌ଲେକ୍ଟ‌େଡ୍‌ ଆର୍ଟସ୍’। ବ୍ୟକ୍ତିଗତ ଭାବେ ସେ ଗଢ଼ିଥିବା ଏହି ସଂଗ୍ରହାଳୟରେ ୪ ହଜାରରୁ ଊର୍ଧ୍ବ ପ୍ରାଚୀନ କଂସାବାସନ ରହିଛି। ଏଥିସହିତ ଆଦିବାସୀ ଜନଜାତିଙ୍କ ପ୍ରାୟ ଏକ ହଜାର ପ୍ରକାରର ଅଳଙ୍କାର ଓ ଗୃହୋପକରଣ ସାଇତା ହୋଇଛି। ଏହି ମିନି ସଂଗ୍ରହାଳୟକୁ ଦେଖିବା ପାଇଁ ବହୁ ସମୟରେ ଦର୍ଶକ ତଥା ଗବେଷକମାନେ ସୁଦର୍ଶନଙ୍କ ଘରେ ଅତିଥି ହେଉଛନ୍ତି।

ସୁଦର୍ଶନଙ୍କ ସୂଚନାନୁସାରେ ତାଙ୍କ ବାପା ଗୋପୀନାଥ ଥିଲେ ପ୍ରସିଦ୍ଧ କଂସା କାରିଗର। ତାଙ୍କ ହାତଗଢ଼ା ସାମଗ୍ରୀ ସବୁକୁ ସାଇତି ରଖିବା ବାପାଙ୍କ ଇଚ୍ଛା ଥିଲା। ସେଥିପାଇଁ କଣ୍ଟିଲୋ, ଖଳିସାହି, ବାଳକାଟି, ଜଗମୋହନ, ମଥୁରା, ଦେବଭୂମି ଭଳି ୬୨ଟି କଂସାରୀ ଗାଁରୁ ସେ ପ୍ରାୟ ୨ ଶହ ବର୍ଷର ପୁରୁଣା ବାସନକୁସନ ସଂଗ୍ରହ କରିଛନ୍ତି। ସେଥିରେ ରାଜରାଜୁଡ଼ା ଅମଳର ବାସନ ଉପକରଣ ରହିଛି। ୩୦ ବର୍ଷ ଧରି ସୁଦର୍ଶନ ଏହି କାମରେ ଲାଗିଛନ୍ତି। ସେ ସାଇତିଥିବା ବାସନକୁସନ ମଧ୍ୟରେ ରହିଛି ୨୫ ପ୍ରକାର ଗିଲାସ, ୨୮ପ୍ରକାର ଢାଳ, ଚିଲମ ୫୫ ପ୍ରକାର, ୨୪ ପ୍ରକାରର କଂସା ବେଲା, ୨୭ ପ୍ରକାରର କଂସା ଥାଳି। ସେହିଭଳି ୮୦ ପ୍ରକାରର ଡିବିରି, ୧୮ ପ୍ରକାରର ଚୂନ ଖାଇ ମଧ୍ୟ ରହିଛି।

ସେହିଭଳି ସେ ୩୫ ପ୍ରକାରର ଆଦିବାସୀଙ୍କ ତାମ୍ବି, ମାଣ, ଅଧୁରିକିଆ, ବୋଡା, ସୋଲା, ପାଇ ସଂଗ୍ରହ କରିଛନ୍ତି। ଆଦିବାସୀ ମହିଳାମାନେ ବ୍ୟବହାର କରୁଥିବା ୩୦ ପ୍ରକାରର ଅଣ୍ଟାସୁତା, ୪୦ ପ୍ରକାରର ମୁଣ୍ଡ କଣ୍ଟା, ୪୦ ପ୍ରକାରର ବେକ ମାଳ ସେ ସାଇତିଛନ୍ତି। ବଡ଼ କଥା ହେଉଛି ପଶ୍ଚିମବଙ୍ଗର ପ୍ରାଚୀନ କଂସା ଓ ପିତ୍ତଳ ସାମଗ୍ରୀ ମଧ୍ୟ ସେ ସଂଗ୍ରହ କରିଛନ୍ତି। ସେଣ୍ଟ୍ରାଲ୍‌ ବ୍ୟାଙ୍କ ମୁଖ୍ୟ ପ୍ରବନ୍ଧକ ପଦବିରୁ ଅବସର ନେବା ପରେ ୨୦୧୪ ମସିହାରୁ ସେ ଉକ୍ତ କଂସା ଓ ପିତ୍ତଳ ସାମଗ୍ରୀ ଉପରେ ଗବେଷଣା କରୁଛନ୍ତି।

ରେଳ ସଂଗ୍ରହାଳୟ‌ରେ ଖୋଲିବ କୋଚ୍‌ ରେସ୍ତୋରାଁ

କଳିଙ୍ଗ ରେଳ ସଂଗ୍ରହାଳୟ‌ରେ କୋଚ୍‌ ରେଷ୍ଟୁରାଣ୍ଟ କାଫ୍‌ଟେରିଆ, ସୋଭେନିୟର କାଉଣ୍ଟର ଖୋଲିବ। ଛୋଟ ପିଲାଙ୍କୁ ଆକୃଷ୍ଟ କରିବାକୁ ଏଭଳି ଲକ୍ଷ୍ୟ ରଖାଯାଇଛି ବୋଲି ପୂର୍ବତଟ ରେଳପଥ ଜନ ସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି କହିଛନ୍ତି। ୨୦୨୧ ମସିହାରେ ଚନ୍ଦ୍ରଶେଖରପୁରରେ ପ୍ରତିଷ୍ଠା ହୋଇଥିବା ଏହି ରେଳ ସଂଗ୍ରହାଳୟ ଦେଶର ରେଳସେବାର ଇତିହାସ ବଖାଣିଆସୁଛି। ପୁରାତନ ରେଳ ଉପକରଣ, ଯନ୍ତ୍ର ସବୁ ଏଠାରେ ସ୍ଥାନ ପାଇଛି। ବ୍ରିଟିଶ ଶାସନାଧୀନ ଭାରତରେ ‌ରେଳସେବାର ଚିତ୍ର ପର୍ଯ୍ୟଟକଙ୍କୁ ଆକର୍ଷଣ କରିଥାଏ।

ସମ୍ବନ୍ଧିତ ଖବର