ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ମନ୍ତ୍ରୀ: ଲିଙ୍ଗିପୁରରେ ପ୍ରାର୍ଥୀ ଦେଇଛି ଆପ୍‌

ଭୁବନେଶ୍ବର: ଆଜି ସକାଳ ୧୦ଟାରେ ଇଟିପୁର ଗ୍ରାମପଞ୍ଚାୟତର କୁକୁଡ଼ାଘାଇ ପାଟଣାରୁ ବିଜୁ ଜନତା ଦଳର ୨୯ ନଂ ଜୋନ୍‌ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁବାସ କୁମାର ସୁନ୍ଦରାୟଙ୍କ ନିର୍ବାଚନ ପ୍ରଚାରକୁ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଶୁଭାରମ୍ଭ କରିଛନ୍ତି। ଏହି ପ୍ରଚାରରେ ଓଡ଼ିଶା ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀ, ଜିଲ୍ଲା ବିଜେଡି ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ଯୁବ ସଭାପତି ସମରେଶ ବେଉରିଆ, ବରିଷ୍ଠ ନେତା ଦୁଃଶାସନ ସ୍ୱାଇଁ, ମହାମାୟା ସ୍ୱାଇଁ, ରାଜେନ୍ଦ୍ର ସମର୍ଥା, ବିରଞ୍ଚି ନାରାୟଣ ମହାସୁପକାର, ରୁନୁ ଜେନା, ସୁରେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ପୁରୁଣା ଭୁବନେଶ୍ବର: ଭୁବନେଶ୍ବର ବ୍ଲକ ଲିଙ୍ଗିପୁର ପଞ୍ଚାୟତରେ ନିର୍ବାଚନ ପ୍ରଚାର ଜୋର୍‌ଦାର ହେଉଛି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସହ ଏଥର ମଇଦା‌ନରେ ଆମ୍ ଆଦମୀ ପାର୍ଟି(ଆପ୍‌) ମଧ୍ୟ ପ୍ରତିଦ୍ବନ୍ଦ୍ବିତା କରୁଛି। ଆପ୍‌ ପକ୍ଷରୁ ଅନ୍ୟ ସବୁ ପ୍ରମୁଖ ଦଳ ଭଳି ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ପ୍ରାର୍ଥୀ ଦିଆଯାଇଛି। ପ୍ରଚାରରେ ବିଜେଡି, ବିଜେପି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀମାନେ ଆଗୁଆ ଥିଲେ ବି ଆପ୍‌ ମଧ୍ୟ କିଛି କମ୍ ନାହିଁ ବୋଲି କୁହାଯାଉଛି।

ଏବେ ଏହି ପଞ୍ଚାୟତର ଗାଁ ଗାଁରେ ଗଳିକନ୍ଦି ଓ ସାହିରେ ପୋଷ୍ଟର ବ୍ୟାନର୍‌ ଛାଉଣି ହୋଇଯାଇଛି। ଗାଁମାନଙ୍କରେ ପ୍ରାର୍ଥୀଙ୍କ କର୍ମୀମାନେ କସରତ ଚଳାଇଛନ୍ତି। ଦିନରେ ଖୋଲା ପ୍ରଚାର ଚାଲିଥିବା ବେଳେ ରାତିରେ ଚାଲିଛି ଲୁଚାଛପା ଅଭିଯାନ। ପ୍ରାର୍ଥୀମାନେ ଘରଘର ବୁଲି ଭୋଟ ଭିକ୍ଷା କରୁଥିବା ବେଳେ ଛାମୁଆ କର୍ମୀ ବାଟରେ ଘାଟରେ ଛକି ରହୁଛନ୍ତି। ଏହି ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗିପୁର, ନାଥସାହି, ରଘୁନାଥନଗର, ଇନ୍ଦରା ‌କଲୋନି, ବିଜୟବିହାର, ଗଙ୍ଗୋତ୍ରୀନଗରରେ ଲାଗିଛି ପ୍ରଚାର ଭିଡ଼। ସରପଞ୍ଚ ଓ ସମିତି ସଭ୍ୟମାନେ ବ୍ୟାନ୍‌ର ଓ ପୋଷ୍ଟରରେ କେନ୍ଦ୍ରୀୟ ତଥା ରାଜ୍ୟ ସ୍ତରୀୟ ନେତାଙ୍କ ଫଟୋ ଲଗାଇଛନ୍ତି। ଏହି ପଞ୍ଚାୟତରେ ସରପଞ୍ଚ ପଦ ପାଇଁ ୫ଜଣ ପ୍ରାର୍ଥୀ ଥିବା ବେଳେ ସମିତି ସଭ୍ୟ ପାଇଁ ୪ ଜଣ ନିର୍ବାଚନ ଲଢ଼ୁଛନ୍ତି। ସରପଞ୍ଚ ପଦ ପାଇଁ ଲଢ଼ୁଥିବା ଅଜୟ ସାମନ୍ତରାୟ ବିଜେପିର ସମର୍ଥକ ବୋଲି କୁହାଯାଉଥିବା ବେଳେ ରାଜେନ୍ଦ୍ର ସାହୁ ଓ କ୍ଷୀରୋଧ ପ୍ରଧାନ(ଭୀମ)ଙ୍କୁ ବିଜେଡି ସମର୍ଥିତ ପ୍ରାର୍ଥୀ ବୋଲି କୁହାଯାଉଛି। ସେହିପରି ନବ କିଶୋର ବେହେରାଙ୍କ ଆପ୍‌ ସମର୍ଥିତ ଓ ଇଶ୍ବରୀଦତ୍ତ ଶାସ୍ତ୍ରୀଙ୍କୁ ସ୍ବାଧୀନ ପ୍ରାର୍ଥୀ କୁହାଯାଉଛି। ସେହିପରି ସମିତି ସଭ୍ୟ ପଦରେ ଲଢ଼ୁଥିବା ଅକ୍ଷୟ ସ୍ବାଇଁ ଓ ପ୍ରକାଶ ଚନ୍ଦ୍ର ସାହୁ ବିଜେଡି ସମର୍ଥିତ ବୋଲି ଚର୍ଚ୍ଚା ହେଉଥିବା ବେଳେ ସନ୍ଦିପ ଭୋଇଙ୍କୁ ଆପ୍‌ ଓ ସନ୍ତୋଷ କୁମାର ସ୍ବାଇଁଙ୍କୁ ବିଜେପି ସମର୍ଥିତ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର