ବାରଙ୍ଗ: ରାଜଧାନୀ ଉପକଣ୍ଠ କଲ୍ୟାଣପୁର ଗ୍ରାମସ୍ଥିତ ସ୍ବସ୍ତି ବନରେ ଧୂମ୍ଧାମରେ ରଜ ମହୋତ୍ସବ ଉଦ୍ଘାଟିତ ହୋଇଯାଇଛି। ତିନି ଦିନିଆ ଏହି ମହୋତ୍ସବରେ ପହିଲି ରଜ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ସମ୍ମାନିତ ଅତିଥି ବିଧାୟକ ସୁଶାନ୍ତ ରାଉତ ଓ କର୍ପୋରେଟର ମୋନାଲିସା ବେହେରା ପ୍ରମୁଖ ଦୋଳି ଖେଳି ଆୟୋଜକଙ୍କୁ ଉତ୍ସାହିତ କରିଥିଲେ।
ସମ୍ପ୍ରତି ଗାଁ ଓ ସହରରେ ବଡ଼ ଜାକଜମକରେ ଆୟୋଜିତ ହେଉଥିବା ରଜ ପର୍ବ ଓଡ଼ିଆ ଘରର ପରମ୍ପରାକୁ ବଞ୍ଚାଇବା ସହ ପ୍ରଚାର ପ୍ରସାର କରୁଛି ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା କହିଥିଲେ। ଉତ୍ତର ନିର୍ବାଚନ ମଣ୍ଡଳୀରେ ସବୁଆଡ଼େ ଏହି ପର୍ବ ପାଳନ ବଡ଼ ସୁନ୍ଦର ଭାବେ ହେଉଥିବାରୁ ବିଧାୟକ ଶ୍ରୀ ରାଉତ ଆୟୋଜନମାନଙ୍କୁ ପ୍ରଶଂସା କରିଥିଲେ।
କଲ୍ୟାଣପୁର ଗ୍ରାମବାସୀଙ୍କୁ ସେ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଝିଅମାନେ ଦୋଳି ଖେଳିବା ସହିତ ପରସ୍ପରକୁ ପାନ ଓ ପିଠା ଖୁଆଇଥିଲେ। ସେହିଭଳି ଆୟୋଜନ କରାଯାଇଥିବା ନୃତ୍ୟ, ଗୀତ, ପ୍ରଶ୍ନୋତ୍ତର, ଝୋଟି, ମ୍ୟୁଜିକ୍ ଚେୟାର୍ ଭଳି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଝିଅମାନେ ମଜା ଉଠାଇଥିଲେ। ଆଜିର ଅନ୍ୟତମ ଅତିଥିମାନଙ୍କ ମଧ୍ୟରେ ବିଜେଡି ମୋ’ ପରିବାରର ରାଜ୍ୟ ସମ୍ପାଦକ ସୁବାସ ଚନ୍ଦ୍ର ପାତ୍ର, ବିଜୁ ଯୁବ ଜନତା ଦଳ ନେତା ନିର୍ମଳ ରାଉତ, କଲ୍ୟାଣପୁର ସରପଞ୍ଚ ଦେବ ଭୋଇ, ସମିତି ସଭ୍ୟ ଭୁବନାନନ୍ଦ ଦାସ, ପୂର୍ବତନ ସରପଞ୍ଚ ସନ୍ତୋଷ କୁମାର ନାଥ, ନୃସିଂହ ଚରଣ ଖାଡ଼ଙ୍ଗା, ବସନ୍ତ କୁମାର ରଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ସନତ ସ୍ବାଇଁ ଓ କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/42-9.jpg)