ଭୁବନେଶ୍ବର: ନକଲି ଆଧାର କାର୍ଡ ପ୍ରସ୍ତୁତ କରି ୧୬ ବର୍ଷର ନାବାଳିକାକୁ ୨୧ ବର୍ଷର ଯୁବତୀ ଦର୍ଶାଇ ପରିବାର ଲୋକେ ବାହାଘର କରୁଥିଲେ। କିନ୍ତୁ ଖବର ପାଇ ସିଡିପିଓ ସନ୍ଧ୍ୟାରାଣୀ ଦେବୀ, ଖଣ୍ଡଗିରି ଥାନା ପୁଲିସ ଓ ଚାଇଲ୍ଡଲାଇନ୍ କର୍ତୃପକ୍ଷ ଚଢ଼ଉ କରି ନାବାଳିକାକୁ ଉଦ୍ଧାର କରିଛନ୍ତି। ନାବାଳିକାକୁ ଚାଇଲ୍ଡଲାଇନ୍କୁ ହସ୍ତାନ୍ତର କରାଯାଇଛି। ଆସନ୍ତାକାଲି ଅତିରିକ୍ତ ସିଡବ୍ଲୁସିଙ୍କ କୋର୍ଟରେ ହାଜର କରାଯିବ। ପରେ ତାକୁ ବିଶ୍ବଜୀବନ ସେବା ସଂଘ ଗୃହକୁ ସ୍ଥାନାନ୍ତର କରାଯିବା ବୋଲି ଜଣାପଡ଼ିଛି। ଏନେଇ ଆଜି ସିଡିପିଓ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଚାଇଲ୍ଡ ମ୍ୟାରେଜ୍ ଆକ୍ଟ ଅନୁସାରେ ଏକ ମାମଲା ରୁଜୁ କରିଛି।
ଗତକାଲି ଡୁମୁଡୁମା ହାଉସିଂବୋର୍ଡ କଲୋନି ମୁନ୍ ମଣ୍ଡପରେ ଜଣେ ନାବାଳିକାର ବାହାଘର ହେଉଥିବା ଚାଇଲ୍ଡ ଲାଇନ୍ କର୍ତ୍ତୃପକ୍ଷ ଖବର ପାଇଥିଲେ। ପରେ କର୍ତ୍ତୃପକ୍ଷ ସିଡିପିଓ ଓ ଖଣ୍ଡଗିରି ଥାନା ପୁଲିସକୁ ନେଇ ଘଟଣାସ୍ଥଳରେ ଚଢ଼ଉ କରିଥିଲା। ପୁଲିସ ନାବାଳିକାର ଆଧାରକାର୍ଡ ଯାଞ୍ଚ କରିବାରୁ ସେଥିରେ ଜନ୍ମବର୍ଷ ୨୦୦୦ ମସିହା ଉଲ୍ଲେଖ ଥିଲା। ମାତ୍ର ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିଥିଲା। ବାସ୍ତବରେ ନାବାଳିକାର ଜନ୍ମବର୍ଷ ୨୦୦୫ ଏବଂ ପରିବାରଲୋକେ ଜାଲିଆତି କରି ଏକ ନକଲି ଆଧାର କାର୍ଡ ତିଆରି କରିଥିଲେ ବୋଲି ଜଣାପଡ଼ିଥିଲେ। ସିଡିପିଓଙ୍କ ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ ଚଳାଇଛି।
ବାହା ବେଦିରୁ ଉଦ୍ଧାର ହେଲା ନାବାଳିକା, ନକଲି ଆଧାର କାର୍ଡରେ ବାହାଘର
/sambad/media/post_attachments/wp-content/uploads/2022/02/54adg654g654gad65gdagd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)