ଦଲାଲ ହାବୁଡ଼ରେ ପଡ଼ିବା ପୂର୍ବରୁ ରକ୍ଷା ପାଇଗଲେ, ନିଖୋଜ ଯୁବତୀ ଭୁବନେଶ୍ବର ଫେରିଲେ

ଅନ୍‌ଲାଇନରେ ଫସି ଯାଇଥିଲେ

ଭୁବନେଶ୍ବର: ଆଉ ମାତ୍ର ୭ ଘଣ୍ଟା ପରେ ଯୁବତୀଙ୍କ ସହ କ’ଣ ଘଟିଥାନ୍ତା ତାହା କଳନା କରିବା ମୁସ୍କିଲ। କିନ୍ତୁ କମିସନରେଟ ପୁଲିସର ଠିକଣା ସମୟରେ ପଦକ୍ଷେପ ଯୁବତୀଙ୍କ ଜୀବନ ବଞ୍ଚାଇ ଦେଇଛି। ଭୁବନେଶ୍ବରରୁ ନିଖୋଜ ହୋଇଥିବା ଯୁବତୀ ଉତ୍ତରପ୍ରଦେଶ କାନପୁରରୁ ଉଦ୍ଧାର ହେବା ପରେ ଆଜି ପରିବାରଲୋକଙ୍କ ସହ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଏହା ପରେ ଯୁବତୀଙ୍କୁ ଧରି ପରିବାରଲୋକ ମଞ୍ଚେଶ୍ବର ଥାନାରେ ହାଜର ହୋଇଛନ୍ତି। ଯୁବତୀ ଯେଉଁ ବୟାନ ଦେଇଛନ୍ତି, ସେଥିରୁ ସେ ଏକ ନିଶ୍ଚିତ ବିପଦରୁ ରକ୍ଷା ପାଇ ଯାଇଥିବା ଜଣାପଡ଼ିଛି।

ଯୁବତୀଙ୍କ ମା’ ନ ଥିବା ବେଳେ ବାପା ଦ୍ବିତୀୟ ବିବାହ କରି ଦିଲ୍ଲୀରେ ରହୁଛନ୍ତି। ଯୁବତୀ ମାମୁ ଘର ଲୋକଙ୍କ ସହ ସୈନିକ ସ୍କୁଲ ନିକଟ ଆଦିମାତା କଲୋନିରେ ରୁହନ୍ତି। ଗତ ୮ ତାରିଖରେ ଅନଲାଇନ୍ ସପିଂ ସାଇଟ୍ ଦେଖୁଥିବା ବେଳେ ଏକ ଲିଙ୍କ୍‌ ଆସିଥିଲା। ସେହି ଲିଙ୍କ୍‌କୁ ଖୋଲି ନିଜର ନମ୍ବର, ମେଲ୍ ଆଇଡି ଦେବା ପରେ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରିଥିବା ଯୁବକ ନିଜକୁ କୋଟି କୋଟି ଟଙ୍କାର ମାଲିକ ଦର୍ଶାଇ ଯୁବତୀଙ୍କୁ ଜାଲରେ ଫସାଇଥିଲା। ଯୁବତୀଙ୍କ ପରିବାର ସମ୍ପର୍କରେ ଜାଣିବା ପରେ ତାଙ୍କ ପାଖକୁ ଚାଲି ଆସିବା ପାଇଁ ପ୍ରବର୍ତାଇଥିଲା। ଦିଲ୍ଲୀ ରେଳ ଷ୍ଟେସନରେ ପହଞ୍ଚିବା ପରେ ଯୁବକ ଜଣକ ତାଙ୍କୁ ସାଙ୍ଗରେ ନେଇ ଯିବ ବୋଲି କହିଥିଲା। ଏପରିକି ବିଶ୍ବାସ ଜନ୍ମାଇବା ଲାଗି ଯୁବକ ଜଣକ ଯୁବତୀଙ୍କୁ କିଛି ଟଙ୍କା ମଧ୍ୟ ପଠାଇଥିଲା। ଟଙ୍କା ପାଇବା ପରେ ଗତ ୯ ତାରିଖରେ ଯୁବତୀ ପୁରୁଷୋତ୍ତମ ଏକ୍ସପ୍ରେସରେ ଯାଇଥିଲେ। ମାମୁଘର ଲୋକ ଯୁବତୀଙ୍କୁ ନ ପାଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଯୁବତୀଙ୍କ ଫୋନ୍ ଟ୍ରାକିଂ କରି କାନପୁର ଷ୍ଟେସନ ଆରପିଏଫ୍ ପୁଲିସକୁ ସୂଚନା ଦେଇଥିଲା। ଗତ ୧୦ ତାରିଖରେ କାନପୁର ଆରପିଏଫ୍ ପୁଲିସ ଯୁବତୀଙ୍କୁ ଉଦ୍ଧାର କରି ଜିଆରପି ଥାନା ଜିମା ଦେଇଥିଲା। ମହିଳା ଥାନା ପୁଲିସ ସହାୟତାରେ ଯୁବତୀଙ୍କୁ ଏକ ସର୍ଟ ଷ୍ଟେ ହୋମରେ ରଖା ଯାଇଥିଲା। ପ୍ରଶ୍ନ ଉଠୁଛି, ଯୁବକ ଜଣଙ୍କ କିଏ? ଯୁବତୀଙ୍କୁ ନିଜ ଜାଲରେ ଫସାଇ କି ଉଦ୍ଦେଶ୍ୟ ସାଧିତ କରିବାକୁ ଲକ୍ଷ୍ୟ ରଖିଥିଲା ଯୁବକ? ପୁଲିସ ସମ୍ପୃକ୍ତ ଯୁବକକୁ ଗିରଫ କଲେ ଏକ ବଡ଼ ରୢାକେଟର ପର୍ଦାଫାସ ହୋଇ ପାରିବ ବୋଲି ଉଦ୍ଧାର ଯୁବତୀଙ୍କ ସମ୍ପର୍କୀୟ କହିଛନ୍ତି।

ସମ୍ବନ୍ଧିତ ଖବର