ଭୁବନେଶ୍ବର: ଜଟଣୀ ଏଖରଜାତ ମାହଲ ଭୂସଂପତ୍ତିର ମାଲିକାନା ପରିବର୍ତନ ପ୍ରସଙ୍ଗରେ ଆଜି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଭେଟିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ ଓ ନାଗରିକ କମିଟି। ୨୦୧୨ ମସିହାରେ ଜଣେ ‌ବନ୍ଦୋବସ୍ତ ଅଧିକାରୀଙ୍କ ତ୍ରୁଟି ଯୋଗୁଁ ଜଟଣୀ ମ୍ୟୁନିସିପାଲଟି ଓ ଏହାର ପାଶ୍ବବର୍ତୀ ଏକାଧିକ ଗାଁ ଜନସାଧାରଣଙ୍କ ପୈତୃକ ସଂପତ୍ତି ଶ୍ରୀଜଗନ୍ନାଙ୍କ ଜମିରେ ପରିଣତ ହୋଇଯାଇଛି। ଫଳରେ ଜଟଣୀର ଲକ୍ଷ ଲକ୍ଷ ପରିବାର ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ବର୍ଷ ବର୍ଷ ଧରି ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ସତ୍ତ୍ବେ ଏହାର କୌଣସି ସମାଧାନ କରାଯାଉନାହିଁ। ତେଣୁ ସମାଧାନ କରିବା ପାଇଁ ଜନସାଧାରଣଙ୍କ ପକ୍ଷରୁ ଆଜି ଦାବି ହୋଇଛି।

Advertisment

ସ୍ଥାନୀୟ ଲୋକଙ୍କ କହିବା କଥା, ୧୫୬ଟି ମୌଜା ଏଖରଜାତ ମାହଲ ଥିଲା। ରାଜ୍ୟ ସରକାର ଜମିଦାରୀ ଉଚ୍ଛେଦ ପରେ ୧୨୦ଟି ମୌଜାର ୧୯୬୨-୬୫ ରେକର୍ଡଭୁକ୍ତ ରୟତମାନଙ୍କୁ ଚୂଡ଼ାନ୍ତ ପ୍ରକାଶିତ ରୟତି ପଟ୍ଟା ପ୍ରଦାନ କରାଯାଇଛି। ଅର୍ଥାତ୍ ୧୨୦ଟି ମୌଜାର ଲୋକମାନେ ତାଙ୍କର ପୈତୃକ ସଂପତ୍ତ ଫେରି ପାଇଛନ୍ତି। ବଳକା ୩୬ଟି ମୌଜା ଉକ୍ତ ମାହଲର ଜମିଦାରୀ ଉଚ୍ଛେଦ ପରେ ନିଜର ପୈତୃକ ସଂପତ୍ତିର କିଣାବିକା କରିବାର ଅଧିକାର ପାଇଥିଲେ। ମାତ୍ର ଜଣେ ବନ୍ଦୋବସ୍ତ ଅଧିକାରୀଙ୍କ ତ୍ରୁଟି ପାଇଁ ୨୦୧୨ ମସିହାରୁ ଜମିର କିଣାବିକା ବନ୍ଦ ହୋଇଗଲା। ଯାହଫାଳରେ ସ୍ଥାନୀୟ ଲୋକ ପୁଅ-ଝିଅ ବାହାଘର, ବ୍ରତ, ପାଠପଢ଼ା, ରୋଗର ଚିକିତ୍ସା ପାଇଁ ଲୋକମାନେ ନିଜର ସଂପତ୍ତି ବିକ୍ରି କରିପାରୁ ନାହାନ୍ତି। ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ଉନ୍ନୟନ ଯୋଜନା ଏହି ଅଞ୍ଚଳରେ କାର୍ଯ୍ୟକାରୀ ହୋଇପାରୁନାହିଁ। ରାସ୍ତାର ପୁନରୁଦ୍ଧାର, କମ୍ୟୁନିଟି ସେଣ୍ଟର, ଖେଳ ପଡ଼ିଆର ଉନ୍ନତିକରଣ, ଆବାସ ଯୋଜନା ପ୍ରଭୃତି କୌଣସି ସରକାରୀ କାର୍ଯ୍ୟ ଏ ଅଞ୍ଚଳରେ ହୋଇପାରୁ ନାହିଁ। ଏହାର ବିରୋଧରେ ରାଜଧାନୀରେ ବାରମ୍ବାର ଆନ୍ଦୋଳନ କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ କ୍ଷତିଗ୍ରସ୍ତ ଲୋକ ସମୂହ ଆତ୍ମାହୁତି କରିବା ପାଇଁ ଘୋଷଣା କରିଥିଲେ। ରାଜ୍ୟ ସରକାର ଲୋକଙ୍କ ଦାବିକୁ ବିଚାରକୁ ନେବା ସହିତ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା ହୋଇଥିଲା। ମାତ୍ର ଜଟଣୀବାସୀ ନିଜର ସ୍ଥିତିବାନ ସଂପତ୍ତି ଫେରି ପାଇ ନାହାନ୍ତି।

ଆଜି ବିଧାୟକ ସୁରେଶ ରାଉତରାୟ ଓ ନାଗରିକ କମିଟିର ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ଏହି ଘଟଣାକୁ ବୁଝିବା ସହିତ ଏହାର ଖୁବଶୀଘ୍ର ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯିବ ବୋଲି କହିଛନ୍ତି। କ୍ଷତିଗ୍ରସ୍ତ ଲୋକଙ୍କ ସୁବିଧା ପାଇଁ ଘଟଣାର ଆଶୁ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ରାଉତରାୟ କହିଛନ୍ତି। ଏହି ଆଲୋଚନାରେ ପଦ୍ମଚରଣ ସୁବୁଦ୍ଧି, ବିବେକାନନ୍ଦ ବଡ଼ଜେନା, ବୃନ୍ଦାବନ ସାହୁ, କଳିଙ୍ଗ ସାହୁ, ଲୁସେନ ରାୟ, ହଟକିଶୋର ପ୍ରଧାନ, ସୁନିଲ ରାଉତରାୟ, ନୌସରୀ ଅଲ୍ଲୀ, ଏମ୍‌ଡି ନଜିଦ ଓ ବସନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।