ମୋବାଇଲ୍‌ ଫ୍ରେଣ୍ଡ୍‌ଲି ହେଲା କମିସନରେଟ୍‌ ପୁଲିସ ୱେବ୍‌ସାଇଟ୍‌, ବଦଳିଲା ଠିକଣା‌

ଭୁବନେଶ୍ବର: ଦୀର୍ଘ ଦିନ ପରେ ଅପ୍‌ଗ୍ରେଡ୍‌ ହୋଇଛି କମିସନରେଟ୍‌ ପୁଲିସ ୱେବ୍‌ସାଇଟ୍‌। ଏହି ୱେବ୍‌ସାଇଟ୍‌ ମୋବାଇଲ୍‌ ଫ୍ରେଣ୍ଡ୍‌ଲି ହୋଇଛି। ସେହିଭଳି ସିସିଟିଏନ୍‌ ବ୍ୟବସ୍ଥା ସହ ଏହାକୁ ସଂଯୋଗ କରାଯାଇଛି। ଫଳରେ ଅଭିଯୋଗକାରୀକୁ ଆଉ ଥାନାକୁ ଆସିବା ପାଇଁ ପଡ଼ିବ ନାହିଁ। ପରୀକ୍ଷାମୂଳକ ଭାବରେ ଏହାର ବ୍ୟବହାର କରାଯିବା ପରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପଣ କରାଯାଇଛି ବୋଲି କମିସନରେଟ୍‌ ପୁଲିସ ପକ୍ଷରୁ ସୂଚନା ମିଳିଛି। ଏହାର ନୂଆ ଠିକଣା ହେଉଛି bhubaneswarcuttackpolice.gov.in।

ମହିଳା, ଶିଶୁ, ବରିଷ୍ଠ ନାଗରିକ ଓ ଯୁବକଙ୍କୁ ନେଇ ଏଥିରେ ୪ଟି ବିଭାଗ ରହିଛି। ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା ସହ ଆବଶ୍ୟକସ୍ଥଳେ କିଭଳି ସହାୟତା ନେଇ ହେବ ତାହାର ମଧ୍ୟ ବ୍ୟବସ୍ଥା ରହିଛି। ସେହିଭଳି ଗାଡ଼ି ଚୋରି ହେଲେ ଥାନାକୁ ନ ଆସି ଏତଲା ଦେଇ ହେବ, ଜବତ ସାମଗ୍ରୀ ସମ୍ପର୍କରେ ତଥ୍ୟ ମିଳିବ, କେହି ନିଖୋଜ ହେଲେ ମାମଲା ପଞ୍ଜିକରଣ କରିହେବ, ଡାକବାଜି ଯନ୍ତ୍ର ବ୍ୟବହାର, ବିବାହ ତଥା ଅନ୍ୟାନ୍ୟ ଶୋଭାଯାତ୍ରା ପାଇଁ ମଧ୍ୟ ସ୍ବୀକୃତି ନେଇ ହେବ। ଏଥିପାଇଁ ଥାନା କିମ୍ବା ଡିସିପି ଅଫିସରେ ଚକ୍କର କାଟିବାକୁ ପଡ଼ିବ ନାହିଁ। ସେହିଭଳି ଏଫ୍‌ଆଇଆର୍‌ କପି ମଧ୍ୟ ଘରେ ବସି ଅଭିଯୋଗକାରୀ ପାଇପାରିବେ। ଏତଦ୍‌ବ୍ୟତୀତ ଜରୁରି ଟେଲିଫୋନ୍‌ ନମ୍ବର ମଧ୍ୟ ରହିଛି ଓ ଏହାକୁ ଦିବ୍ୟାଙ୍ଗମାନେ ବ୍ୟବହାର କରିବା ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ତେବେ ବଡ଼ କଥା ହେଉଛି କମିସନରେଟ୍‌ ପୁଲିସର ବିଭିନ୍ନ ସୋସିଆଲ୍‌ ମିଡିଆ ଆକାଉଣ୍ଟକୁ ମଧ୍ୟ ଏହି ୱେବ୍‌ସାଇଟ୍‌ରେ ସଂଯୋଗ କରାଯାଇଛି। ଫଳ‌ରେ ଏଣିକି ବିଭିନ୍ନ ସମୟରେ କମିସନରେଟ୍‌ ପୁଲିସ ପକ୍ଷରୁ ବିଭିନ୍ନ ସୋସିଆଲ୍‌ ମିଡିଆ ଜରିଆରେ ଆସୁଥିବା ସୂଚନାକୁ ଗୋଟିଏ ସ୍ଥାନରୁ ମିଳିବ।

ସମ୍ବନ୍ଧିତ ଖବର