ମୁହଁ ଲୁଚାଇଛି ମୈାସୁମୀ, ମଟର ପାଣି ବଞ୍ଚେଇଛି ଧାନ ତଳି

ବାଲିପାଟଣା: ପହିଲି ଆଷାଢ଼ରେ ପ୍ରାକ୍ ମୌସୁମୀ ବର୍ଷା ହେଲା। ତା’ ପରେ ରାଜ୍ୟକୁ ମୌସୁମୀ ଛୁଇଁଲା। କେଇ ଅସର ବର୍ଷା ହେଲା ଓ ଚାଷୀ ତରବର‌ରେ ଧାନ ଚାଷକୁ ଆଗେଇ ନେଲା। ବର୍ଷା ଲାଗି ରହିଥିଲେ ଏବେ ଧାନ ବେଉଷଣ ଅଧା ହୋଇ ସାରନ୍ତାଣି। ମାତ୍ର ଆଷାଢ଼ ସରିବାକୁ ବସିଥିବା ବେଳେ ଆଉ ମୌସୁମୀର ଦେଖାଦର୍ଶନ ନାହିଁ। ତେଣୁ ବେଉଷଣ କରିବ କ’ଣ, ଚାଷୀ ବର୍ଷାକୁ ଚାହିଁ ହାତବାନ୍ଧି ବସିଛି। ବିଲରେ ଧାନ ଗଛ ଅକାଳରେ ପାଚି ଗଲାଣି ଓ ତଳି କିଆରୀ ଫାଟି ଆଁ କଲାଣି। ଏବେ ତଳି ପାଇଁ ମଟର ପାଣି ସାହା ଭରସା।

ଚଳିତ ଖରିଫ ଧାନ ଫସଲ ପାଇଁ ସ୍ଥାନୀୟ ଅଞ୍ଚଳର ଚାଷୀ ବୁଣା ଓ ରୁଆ କାମରେ ଲାଗି ପଡ଼ିଛି। ଧାନ ବୁଣା ସହ ତଳି ମଧ୍ୟ ପକା ସରିଛି। କେତକ ସ୍ଥାନରେ ରୁଆ କାମ ମଧ୍ୟ ସରିଲାଣି। କିନ୍ତୁ ଏବେ ମୈାସୁମୀ ଉଭାନ୍‌ ହୋଇଯାଇଛି। ଫଳରେ ବୁଣା ଧାନ ଗଛ ପାଚି ହଳଦିଆ ପଡ଼ିଗଲାଣି। କିଛି ବିଲରେ ମୂଳି ଲାଗି ଗଲାଣି। ତଳି ବିଲ ଫାଟି ଯାଇଥିବାରୁ ଚାଷୀମାନେ ଏବେ ଶହ ଶହ ଟଙ୍କା ଖର୍ଚ୍ଚ କରି ମଟର ଭଡ଼ାରେ ଆଣି ବିଲକୁ ପାଣି ମଡ଼ାଉଛନ୍ତି। ବର୍ଷା ନିଅଣ୍ଟିଆ ସମୟରେ କେନାଲ ପାଣି ଚାଷୀକୁ ବଞ୍ଚାଇବା କଥା। କିନ୍ତୁ କେନାଲ ମଧ୍ୟ ଶୁଖିଲା ପଡ଼ିଛି। ଚାଷୀମାନେ ଜଳସେଚନ ବିଭାଗକୁ ଜଣାଇବା ପରେ ମଧ୍ୟ କେନାଲକୁ ପାଣି ଛଡ଼ା ଯାଉନାହିଁ। ତେଣୁ ମୌସୁମୀ ଦାଉ ସାଧୁଥିବା ବେଳେ ଜଳସେଚନ ବିଭାଗ ମଧ୍ୟ ଚାଷୀ ପାଖରେ ଛିଡ଼ା ହେଉ ନାହିଁ ବୋଲି ଚାଷୀମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ବାଲିପାଟଣା ବ୍ଲକ କୃଷି ଅଧିକାରୀ ତରୁଣ କୁମାର ଛୋଟରାୟଙ୍କ ସୂଚନା ଅନୁସା‌ରେ, ଚଳିତ ଖରିଫ ଧାନ ଚାଷ ପାଇଁ ୯୮୧୫ ହେକ୍ଟର ଧାନ ଫସଲର ଲକ୍ଷ୍ୟ ରଖାଯାଇଛି। ୬୩୦ ହେକ୍ଟର ଜମିରେ ତଳି ପକାଇବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୩୪୦ ହେକ୍ଟର ତଳି ପକା ଯାଇଛି। ମୈାସୁମୀ ଉଭାନ୍‌ ହୋଇଯିବାରୁ ବାକି ତଳି ପଡ଼ି ପାରିନାହିଁ। ଫଳରେ ଚଳିତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବା ଆଶଙ୍କାରେ ରହିଛି। ଅପରପକ୍ଷରେ କେନାଲରେ ଜୁଲାଇ ଦ୍ବିତୀୟ ସପ୍ତାହ ସୁଦ୍ଧା ପାଣି ଆସିବ ବୋଲି ଜଣାପଡ଼ିଛି। କିନ୍ତୁ ସେତେବେଳକୁ ଧାନ ତଳି ରୋଇବା ପାଇଁ ଆଉ ସମୟ ନଥିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର