ଡ୍ରେନ୍‌ରେ ଭାସି ରାଜା ମୃତ୍ୟୁ ଘଟଣାକୁ ମାସେ ପୂରିଲା: ବାଉଁଶବାଡ଼ା‌ରେ ବିଏମ୍‌ସିର ପଦକ୍ଷେପ ସୀମିତ

ଡ୍ରେନ ନଂ ୮ର ହେବ ଗାର୍ଡୱାଲ, ଖର୍ଚ୍ଚ ହେବ ୩୫ଲକ୍ଷ ଟଙ୍କା

ଭୁବନେଶ୍ବର: ଡ୍ରେନ୍‌ରେ ଭାସି ଦଶମ ଶ୍ରେଣୀ ଛାତ୍ର ରାଜା ମୃତ୍ୟୁ ଘଟଣାକୁ ମାସେ ପୂରିଛି। ମାତ୍ର ରାଜାକୁ ଭସାଇ ନେଇଥିବା ମୁକୁଳା ନାଳର ଗାର୍ଡୱାଲ କିମ୍ବା କଲଭର୍ଟ ଏଯାବତ୍‌ ତିଆରି ହୋଇପାରିନାହିଁ। କେବଳ ବାଉଁଶ ବାଡ଼ା ଓ ପୋଷ୍ଟର୍‌ରେ ବିଏମ୍‌ସିର ପଦକ୍ଷେପ ସୀମିତ ରହିଛି। ରାଜା ଭାସିଯାଇଥିବା ସୌଭାଗ୍ୟନଗର ଲେନ୍ ୭ସ୍ଥିତ ଡ୍ରେନ୍ ନଂ ୮(କ), ଜାଲି ଲାଗି ବର୍ଜ୍ୟ ଅବରୋଧ ଥିବା ସ୍ଥାନ ଏବଂ ଜାଗମରା ନ୍ୟୁ ରୋଡ୍‌କୁ ପାର୍ଶ୍ବ ଦେଇ ଯାଇଥିବା ୮ନଂ ନାଳର ମୁକୁଳା ଅଞ୍ଚଳରେ ବାଉଁଶ ବାଡ଼ା ଦିଆଯାଇଛି। ସେଠାରେ ପୋଷ୍ଟର୍ ଲଗାଯିବା ସହ ଦୁର୍ଘଟଣାପ୍ରବଣ ବା ସମ୍ବେଦନଶୀଳ ଜାଗା ବୋଲି ଉଲ୍ଲେଖ କରାଯାଇଛି। ଅପରପକ୍ଷେ ରାଜା ଭାସି ଯାଇଥିବା ଉକ୍ତ ମୁକୁଳା ନାଳରେ ଗାର୍ଡୱାଲ ତିଆରି କରିବା ପାଇଁ ବିଏମ୍‌ସିର ଡ୍ରେନେଜ୍ ବିଭାଗ ପକ୍ଷରୁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରାଯାଇଥିବା ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯେଉଁ ବେସରକାରୀ ଜମି ଦେଇ ଉକ୍ତ ନାଳ ଯାଇଛି, ତାକୁ ଅଧିଗ୍ରହଣ କରିବା ପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଯାଇଛି। ଆଜି ତା’ର ଟେଣ୍ଡର୍‌ ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି। ଆସନ୍ତା ୨୩ ତାରିଖରେ କାମ କରିବାକୁ ଥିବା ସଂସ୍ଥାମାନଙ୍କ ପାଇଁ ବିଏମ୍‌ସିର ୱେବସାଇଟ୍‌ରେ ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଡ୍ରେନ୍‌ର କାମ ପାଇଁ ସର୍ବାଧିକ ୩୫ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଛି।

ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବର୍ଦ୍ଧିତ ଜନସଂଖ୍ୟା ଦୃଷ୍ଟିରୁ ରାଜଧାନୀରେ ପ୍ରାକୃତିକ ନାଳଗୁଡ଼ିକୁ ସଂଯୋଗ କରିଥିବା ଛୋଟ ଛୋଟ ଶାଖା ଡ୍ରେନ୍‌ରେ ପାଣି ଯିବା ପାଇଁ ଯଥେଷ୍ଟ ହେଉନାହିଁ। ଅନେକ ସ୍ଥାନରେ ପ୍ରାକୃତିକ ନାଳକୁ ସଂକୁଚିତ ହୋଇଯାଇଛି। କେତେକ ସ୍ଥାନରେ ଡ୍ରେନ୍‌ର ଵାଲ୍‌ରେ ମଧ୍ୟ ଘର କରି ଦିଆଯାଇଛି। ତେଣୁ ଜବରଦଖଲ ଉଚ୍ଛେଦ କରାଯାଇ ଏହି ପ୍ରାକୃତିକ ନାଳକୁ ପ୍ରଶସ୍ତୀକରଣ ବ୍ୟବସ୍ଥା କରାଯିବ। ପ୍ରାଥମିକ ପର୍ଯ୍ୟାୟରେ କେବଳ ଖାଲିଥିବା ବେସରକାରୀ ଜମି ଅଧିଗ୍ରହଣ ପାଇଁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।

ଡ୍ରେନ୍ ନିର୍ମାଣ ପାଇଁ ୨୦ରୁ ଅଧିକ ବେସରକାରୀ ଜମି ଅଧିଗ୍ରହଣ କରାଯିବ

ହୋଟେଲ୍ ମେ’ ଫେୟାର ନିକଟରୁ ଜୟଦେବବିହାର ଛକ ପର୍ଯ୍ୟନ୍ତ ୪ନଂ ନାଳକୁ ସଂପ୍ରସାରଣ କରାଯିବ। ଏଥିପାଇଁ ଏହି ଅଞ୍ଚଳରେ ଏକାଧିକ ବେସରକାରୀ ଜମି ଅଧିଗ୍ରହଣ କରାଯିବ। ସେହିଭଳି ଲକ୍ଷ୍ମୀସାଗର ଗାଁ ମଧ୍ୟରେ ଥିବା ମେଳଣ ପଡ଼ିଆରୁ ସାଇଫନ୍ ଛକ ଦେଇ ଦୟାୱେଷ୍ଟ୍ କେନାଲ ପର୍ଯ୍ୟନ୍ତ ଯାଇଥିବା ୫ନଂ ନାଳ ଯେଉଁ ବେସରକାରୀ ଜମି ଦେଇ ପ୍ରବାହିତ ହୋଇଛି, ସେଗୁଡ଼ିକୁ ଅଧିଗ୍ରହଣ କରାଯିବ। ଚିନ୍ତାମଣିଶ୍ବର ଶବର ସାହିର ଜାଲି ଗଳି ଦେଇ ଯାଇଥିବା ୬ନଂ ଡ୍ରେନ୍‌ ସଂକୁଚିତ ଯୋଗୁଁ ସ୍ଥାନୀୟ ଅଞ୍ଚଳ ସାମାନ୍ୟ ବର୍ଷାରେ ଜଳାର୍ଣ୍ଣବ ହେଉଛି। ତେଣୁ ପ୍ରାୟ ୫ରୁ ଅଧିକ ବେସରକାରୀ ଜମି ଅଧିଗ୍ରହଣ ହେବ ବୋଲି ଯୋଜନା ହୋଇଛି। ନ୍ୟୁ-ଫରେଷ୍ଟ ପାର୍କସ୍ଥିତ ୭ନଂ ନାଳ ଓ ଝାରପଡ଼ା ବୈରାଗୀନଗରର ବେସରକାରୀ ଜମି ମଧ୍ୟ ଦେଇଯାଇଥିବା ୧୦ନଂ ନାଳର ଗାର୍ଡୱାଲ ଓ କଲଭର୍ଟ ନିର୍ମାଣ ପାଇଁ ଅଧିଗ୍ରହଣ ହେବ ବୋଲି ଜଣାପଡ଼ିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଖାଲି ଥିବା ଜମି ଅଧିଗ୍ରହଣ କରି ଡ୍ରେନ୍ ନିର୍ମାଣ କରାଯିବା ପରେ ଅତି ଆବଶ୍ୟକ ଥିବା ସମ୍ବେଦନଶୀଳ ଜାଗାଗୁଡ଼ିକରେ ନିର୍ମାଣ ହୋଇଥିବା ଘରଗୁଡ଼ିକୁ ଭଙ୍ଗାଯିବା ସହିତ ଲୋକଙ୍କୁ କ୍ଷତିପୂରଣ ଦେଇ ଡ୍ରେନ୍ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର