ଭୁବନେଶ୍ବର: ‘କୁଆଁର ପୂନେଇ ଜହ୍ନ ଗୋ.... ଫୁଲ ବଉଳ ବେଣୀ। ପୁଚି ଖେଳୁଛନ୍ତି କୁଆଁରୀମାନେ ଝୁଣ୍ଟିଆ ଶବଦ ଶୁଣିଲୋ... ଫୁଲ ବଉଳ ବେଣୀ...’। ହଁ..., ରାଜଧାନୀର କଲୋନି, ଆପାର୍ଟମେଣ୍ଟ୍ କି ଆବାସିକ ଅଞ୍ଚଳରୁ ସମବେତ ସ୍ବରରେ ଏହି ଗୀf ଭାସିଆସୁନଥିଲା। କି ପୁଚି ଖେଳ ବା ବୋହୁଚୋରି ଭଳି ଖେଳ ବି ଜମୁନଥିଲା। କିନ୍ତୁ ରାଜଧାନୀରେ କୁମାରୀଙ୍କ ବଡ଼ ପର୍ବ କୁଆଁର ପୂନେଇ ଫିକା ବି ପଡ଼ିନଥିଲା। କାଁ ଭାଁ ହେଉ ପଛେ ବସ୍ତି ଓ ଭୁବନେଶ୍ବରର ପୁରୁଣା ଗାଁ ଅଞ୍ଚଳରୁ ଫୁଲ ବଉଣବେଣୀ ଗୀତ ଭାସିଆସୁଥିଲା। କିଛି ସାମାଜିକ ଅନୁଷ୍ଠାନ ପକ୍ଷରୁ କୁମାରପୂର୍ଣ୍ଣିମା ପର୍ବ ପାଳନ ଅବସରରେ ବି ଏହି ଗୀତଟି ଶୁଣିବାକୁ ମିଳିଛି। ଏବେ ସମୟ ବଦଳିଯାଇଛି। ତଥାପି କୁଆଁର ପୂନେଇ ପୂଜା ବିଧିଟି ବଞ୍ଚିରହିଛି। ଏଣୁ କୁମାରୀମାନେ ସକାଳେ ଚଉରା ମୂଳେ ଆଞ୍ଜୁଳି ଟେକିଥିବା ବେଳେ ସଂଜରେ ଚଉରା ମୂଳେ ଚାନ୍ଦ ବାଢ଼ିଛନ୍ତି। ଅବଶ୍ୟ ରାଜଧାନୀ ଉପକଣ୍ଠ ଗାଁଗୁଡ଼ିକରେ କିଛି ପୁରୁଣା ପରମ୍ପରା ବଞ୍ଚିଛି। କୁମାରୀ ବିବାହ ଭଳି ପରମ୍ପରା ପାଳନ କରାଯାଉଛି। ମାତ୍ର କୁଆଁର ପୂନେଇର ପୁରୁଣା ଚମକ କେଉଁଠି ହଜିଗଲା ଭଳି ମନେ ହୋଇଛି।
ବିଧି ପରମ୍ପରା ଅନୁସାରେ ଆଜି ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଝିଅମାନେ ଗାଧୁଆପାଧୁଆ ସାରି ଆଞ୍ଜୁଳି ଟେକିବା ପାଇଁ ପ୍ରସ୍ତୁତ ହୋଇଥିଲେ। ଖଇ, ଜହ୍ନି, ଆଖୁ, କାକୁଡ଼ି, କଦଳୀ, ନଡ଼ିଆ, ଗୁଆ ଆଦି ଫଳ ସବୁକୁ ନୂଆ କୁଲା ବା ଡାଲାରେ ସଜେଇ ଚଉରା ମୂଳେ ଆଞ୍ଜୁଳି ଟେକିଥିଲେ। ଏହି ବିଧିଟି ଥିଲା ଝିଅମାନଙ୍କ କୁଆଁର ପୂନେଇ ଓଷାର ପ୍ରଥମ ପର୍ଯ୍ୟାୟ। ଏହା ପରେ ସେମାନେ ଦିନତମାମ ଉପବାସ ରହିଥିଲେ ବା ଫଳାହାର କରି ବ୍ରତ ପାଳନ କରିଥିଲେ। ସୂର୍ଯ୍ୟ ଅସ୍ତ ହେବା ପରେ ପରେ ସେମାନେ ପୁଣି ଚଉରା ମୂଳେ ଏକାଠି ହୋଇଥିଲେ। ଚଉରା ମୂଳେ ଚାନ୍ଦ ପୂଜା ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ଲିଆ, କଦଳୀ, ଗୁଡ଼, ଛେନା ଓ ନଡ଼ିଆ ଆଦିକୁ ମିଶାଇ ଚକଟିବା ପରେ ସେଥିରେ ଚାନ୍ଦ ତିଆରି କରି କଦଳୀପତ୍ରରେ ବାଢ଼ିଥିଲେ। ଚଉରା ମୂଳେ ଜହ୍ନି ଓଷା ବହି ପଢ଼ାଯାଇଥିଲା ଓ ବହି ପଢ଼ା ପରେ ଚାନ୍ଦ ଭୋଗକୁ ଧରି ଝିଅମାନେ ଉଇଁ ଆସୁଥିବା ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିସିଥିଲେ। ଏହି ସମୟରେ ଆଜି ପ୍ରତି ଘରୁ ଶଙ୍ଖ, ହୁଳହୁଳିର ଧ୍ବନି ଭାସି ଆସିଥିଲା।
ରାଜଧାନୀର ଚଳଣି ଆଜିକାଲି ଉପକଣ୍ଠ ଗାଁ ସବୁକୁ ପ୍ରଭାବିତ କରିଛି। ତେଣୁ ଆଗ ଭଳି ରାଜଧାନୀ ପାଖ ଗାଁଗୁଡ଼ିକରେ ବି କୁଆଁର ପୂନେଇ ଓଷା ପାଳନ କରାଯାଉନାହିଁ। ଝିଅମାନେ ନୂଆ ପୋଷାକ ପିନ୍ଧୁଛନ୍ତି, ଚଉରା ମୂଳେ ଆଞ୍ଜୁଳି ଟେକୁଛନ୍ତି ଓ ସଂଜରେ ଚାନ୍ଦ ବାଢ଼ୁଛନ୍ତି ସତ କିନ୍ତୁ ପୂର୍ବ ଭଳି ଖେଳକୁଦ, ଗୀତ ଗାଇବା ପାଇଁ ଏକାଠି ହେଉନାହାନ୍ତି। ତେବେ ବହୁ ଗାଁରେ ଗାଁ ଦାଣ୍ଡର ଚଉରା ମୂଳେ ଝିଅମାନେ ଏକାଠି ହୋଇ ପୂଜା କରୁଛନ୍ତି। ତମାଣ୍ଡୋ ଥାନା ମହୁରା ଓ ରେତଙ୍ଗ ଭଳି ଗାଁରେ ରାତିରେ କୁମାରୀ ବିବାହ ପରମ୍ପରା ବଜାୟ ରହିଛି। କୁନିକୁନି ଦୁଇଟି ଝିଅଙ୍କୁ ବରକନ୍ୟା ଭାବେ ସଜାଇ ଖେଳରେ ଖେଳରେ ମିଛିମିଛିକା ବିବାହ କରାଯାଉଛି। ବଡ଼ବଡ଼ ଝିଅମାନେ ବରପିତା ଓ କନ୍ୟାପିତା ସାଜୁଛନ୍ତି।