ଯେତେ ବୋହୁଛନ୍ତି, ସେତେ ବାହାରୁଛି ଆବର୍ଜନା

ଟିଟିଏସ୍‌ ଭର୍ତ୍ତି, ଅନ୍‌ଲୋଡ୍‌ କରିବାକୁ ଲାଗୁଛି ୬ ଘଣ୍ଟା

ଭୁବନେଶ୍ବର: ଅଳିଆକୁ ନେଇ ଚିନ୍ତା କମୁନାହିଁ। ଠିକାଦାର ନିୟୋଜିତ ହେବା ସତ୍ତ୍ବେ ବିଏମ୍‌ସି ନିଜ ଖର୍ଚ୍ଚରେ ଗାଡ଼ି ଲଗାଇ ଅଳିଆ ଉଠାଉଛି। ହେଲେ ଯେତେ ବୋହୁଛନ୍ତି, ଅଳିଆ ସେତେ ବାହାରୁଛି। ରାସ୍ତାଘାଟ ପରିଷ୍କାର ହୋଇପାରୁନାହିଁ। ମୁଖ୍ୟ ରାସ୍ତା ସଫା ଦିଶୁଥିବା ବେଳେ ଗଳିକନ୍ଦି ଅବସ୍ଥା ଖରାପ ହୋଇ ରହିଛି। ଯେଉଁଠି ଅଭିଯୋଗ ହେଉଛି ସେଠାରୁ ଉଠାଇ ନିଆଯାଉଛି। ହେଲେ ଯେଉଁଠି ଗଦା ହୋଇଛି ସେଠାରେ ସେମିତି ରହିଛି। ଏଣେ ଟିଟିଏସ୍‌ ଭର୍ତ୍ତି ହୋଇଯାଇଛି। ଏଣୁ ଯେଉଁ ଗାଡ଼ି ସବୁ ଟିଟିଏସ୍‌ ଆଗରେ ଧାଡ଼ି ବାନ୍ଧି ଛିଡ଼ା ହୋଇଛି। ଗୋଟିଏ ଗାଡ଼ି ଆବର୍ଜନା ଅନ୍‌ଲୋଡ୍‌ କରିବାକୁ ୬ଘଣ୍ଟା ଲାଗୁଛି। ଟିଟିଏସ୍‌ ସାମ୍ନାରେ ଏଭଳି ଏକ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି।

ଆୱାରଲ୍ୟାଣ୍ଡ, ଗ୍ରିନ୍‌ ସର୍କଲ, ପ୍ରତ୍ୟୁଷ ଭଳି ନୂଆ ସଂସ୍ଥା ସଫେଇ ଦାୟିତ୍ବ ନେବା ପରେ ପରିସ୍ଥିତି ଉତ୍କଟ ହୋଇଛି। ଆକଳନ ଅନୁସାରେ ଆବର୍ଜନା ପରିମାଣ ଅଧିକା ଥିବାରୁ ସେମାନେ ସବୁ ଆବର୍ଜନା ଉଠାଇବା ସମ୍ଭବ ହେଉନାହିଁ। ସବୁଠାରୁ ଅଧିକ ଟେନ୍‌ସନ୍‌ ଦେଇଛି ହାଟ। ହାଟରୁ ଅଧିକ ଆବର୍ଜନା ବାହାରୁଛି। କିନ୍ତୁ ଏହା ନୂଆ ଟେଣ୍ଡର ପରିସରଭୁକ୍ତ ହୋଇ ନଥିବାରୁ ଠିକାସଂସ୍ଥା ଆବର୍ଜନା ଉଠାଉ ନାହାନ୍ତି। ଏସବୁକୁ ବିଏମ୍‌ସି ନିଜ ଖର୍ଚ୍ଚରେ ଗାଡ଼ି ଲଗାଇ ଉଠାଉଛି। କିନ୍ତୁ ଆବର୍ଜନା ଗଦାଇବା ପାଇଁ ଯଥେଷ୍ଟ ଜାଗା ନାହିଁ କି ବାହାରୁଥିବା ଆବର୍ଜନାକୁ ସିଧାସଳଖ ଏମ୍‌ସିସିରେ ପରିଚାଳନା କରିବା ମଧ୍ୟ ସମ୍ଭବ ହେଉ ନାହିଁ। ବରମୁଣ୍ଡା, ୟୁନିଟ୍‌-୬, ୟୁନିଟ୍‌ ୯ ଅଞ୍ଚଳରେ ସବୁଠାରୁ ଅଧିକ ଆବର୍ଜନା ଗଦା ହୋଇ ରହିଥିବା ଦେଖାଯାଇଛି। ଏହାବାଦ୍‌ ଗଳିକନ୍ଦିରେ ସ୍ଥିତି ସାଂଘାତିକ ହୋଇଛି। ଟ୍ବିଟର୍‌ରେ ଅଳିଆକୁ ନେଇ ଅଭିଯୋଗ ବଢ଼ିବା‌ରେ ଲାଗିଛି। ଯେଉଁଠି ଅଭିଯୋଗ ହେଉଛି ସେଠାରୁ ତୁରନ୍ତ ବିଏମ୍‌ସି ଅଳିଆ ଉଠାଇ ଦେଉଛି। ଆଉ କେତେଦିନ ଏଭଳି ସ୍ଥିତି ରହିବ, ସେ ନେଇ କାହା ପାଖରେ ଉତ୍ତର ନାହିଁ।

ସମ୍ବନ୍ଧିତ ଖବର