ଭୁବନେଶ୍ବର(କ୍ଷୀତିଶ ରାୟ): ରାଜଧାନୀରେ ମଶାଙ୍କ ସ୍ଥିତି ଅଣାୟତ୍ତ ହୋଇଗଲାଣି। ଦିନରେ ବି ଲୋକଙ୍କୁ ମଶା ଦାଉରୁ ରକ୍ଷା ମିଳୁନି। ବିଶେଷଜ୍ଞ କହିଲେଣି, ଏବେଠୁ ପ୍ରତିଷେଧକ ବ୍ୟବସ୍ଥା ନିଆ ନଗଲେ ଆସନ୍ତା ଡିସେମ୍ବର କିମ୍ବା ଜାନୁଆରି ମାସ ବେଳକୁ ମଶାଙ୍କ ଉତ୍ପାତ ବଢ଼ିଯିବ। ଭୁବନେଶ୍ବରର ଭଳି ରାଜ୍ୟର ଅନ୍ୟ ମହାନଗର ନିଗମରେ ମଧ୍ୟ ସମାନ ଅବସ୍ଥା। ବର୍ଷ ବର୍ଷ ଧରି ମଶା ମାରିବା ପାଇଁ କର୍ମଚାରୀ ନିଯୁକ୍ତି ହୋଇଥିଲେ ବି ‌ସ୍ଥିତିରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳୁନାହିଁ। ମଶା ନିୟନ୍ତ୍ରଣ ଦିଗରେ ସ୍ଥାନୀୟ ନଗର ନିଗମ ଓ ସ୍ବାସ୍ଥ୍ୟ ବିଭାଗ ବିଫଳ ହୋଇଛନ୍ତି। ତେଣୁ ପ୍ରତିବର୍ଷ ମୌସୁମୀ ଋତୁରେ ଡେଙ୍ଗୁ ମାଡ଼ୁଛି ଏବଂ ଭୁବନେଶ୍ବର ଫାଇଲେରିଆମୁକ୍ତ ହୋଇପାରୁନି।

Advertisment

ନିକଟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ରାଜଧାନୀର ବିଭିନ୍ନ ୱାର୍ଡରେ ମଶାର ସ୍ଥିତି ନେଇ ଏକ ନମୁନା ସର୍ବେକ୍ଷଣ ହୋଇଥିଲା। ଏଥିରେ ମଶାଙ୍କ ସ୍ଥିତି ବେଶ୍ ଗୁରୁତର ଥିବା ଜଣାପଡ଼ିଛି। ଜାତୀୟ ବାତଜ୍ବର ନିରାକରଣ କାର୍ଯ୍ୟକ୍ରମ(ଏନ୍‌ଏଫ୍‌ସିପି)ର ମାନଦଣ୍ଡ ଅନୁସାରେ ପ୍ରତି ୧୦ ମ୍ୟାନ୍ ଆୱାର ଡେନ୍‌ସିଟି (ସାନ୍ଦ୍ରତା)ରେ ୫୦ରୁ କମ୍ ମଶା ରହିବା କଥା। ୫୦ରୁ ଅଧିକ କିନ୍ତୁ ୬୫ରୁ କମ୍ ସାନ୍ଦ୍ରତା ରହିଲେ ଏହା ମଧ୍ୟମ ବୋଲି ଧରା ଯାଇଥାଏ। ହେଲେ ଭୁବନେଶ୍ବରରେ ଏହି ସ୍ଥିତି ୮୦ ଛୁଇଁଲାଣି। ଯାହାକି ଗମ୍ଭୀର ସ୍ଥିତିକୁ ଦର୍ଶାଉଛି। ଯେଉଁ ୱାର୍ଡରେ ଏହି ସର୍ବେକ୍ଷଣ ହୋଇଥିଲା, ଯଦିଓ ସେଠାରେ ମ୍ୟାଲେରିଆ ରୋଗ ସୃଷ୍ଟିକାରୀ ଏନୋଫୋଲିସ୍ ଓ ଡେଙ୍ଗୁ ରୋଗ ସୃଷ୍ଟିକାରୀ ଏଡିସ୍ ମଶାର ଉପସ୍ଥିତି ମିଳିନାହିଁ, କିନ୍ତୁ ଫାଇଲେରିଆ ରୋଗ ସୃଷ୍ଟି କରୁଥିବା କ୍ୟୁଲେକ୍ସ ମଶା ମିଳିଛନ୍ତି। ଯଦି ଏବେଠାରୁ ମଶା ନିୟନ୍ତ୍ରଣ କରା ନ ଯାଏ, ଖୁବ୍‌ଶୀଘ୍ର ସାନ୍ଦ୍ରତା ୧୦୦ ପାର୍‌ କରିଯିବ। ମଶା ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ କେବଳ ଚିଠି ଲେଖି ଚୁପ୍ ବସିଥିବା ବେଳେ ବିଏମ୍‌ସି ପକ୍ଷରୁ ‌ତତ୍ପରତା ଦେଖିବାକୁ ମିଳୁନାହିଁ। ମଶାମରା ତେଲ କେଉଁ ୱାର୍ଡରେ ପଡ଼ୁଛି କେହି ଜାଣିବାକୁ ପାଉନାହିଁ। କାଁଭାଁ କିଛି ୱାର୍ଡରେ ମଶା ଧୂଆଁ ଛଡ଼ାଯାଉଛି। ମୋଟମୋଟି ଭାବେ ରାଜଧାନୀର ୬୭ଟି ୱାର୍ଡରେ ସଂପୂର୍ଣ୍ଣ ଭାବେ ମଶାମରା କାର୍ଯ୍ୟ ବିଫଳ ହୋଇଛି।

ମଶା ନିୟନ୍ତ୍ରଣରେ ବିଏମ୍‌ସି, ସ୍ବାସ୍ଥ୍ୟ ବିଭାଗ ବିଫଳ

ବିଏମ୍‌ସିର ନାହିଁ ନିଜସ୍ବ ହ୍ୟାଚେରି, ଅନ୍ୟ ସ୍ଥାନରୁ ବି ଅଣାଯାଉନି ମାଛ

ଡିସେମ୍ବର/ଜାନୁଆରିରେ ପାଟିରେ ପଶିବେ ମଶା !

କୀଟରୋଗ ବିଶେଷଜ୍ଞଙ୍କ ମତରେ ଅକ୍ଟୋବର ମାସରୁ ପ୍ରାୟତଃ ମଶାଙ୍କ ପ୍ରଜନନ ସମୟ ଆରମ୍ଭ ହୋଇଥାଏ। ଯାହାକି ଜାନୁଆରି ପର୍ଯ୍ୟନ୍ତ ଜାରି ରହିଥାଏ। ତେଣୁ ଏହି ସମୟରେ ହିଁ ଲାର୍ଭା ନଷ୍ଟ କରାଗଲେ ମଶା ନିୟନ୍ତ୍ରଣ କରାଯାଇପାରିବ। ଏଥିପାଇଁ ସର୍ବୋକୃଷ୍ଟ ଉପାୟ ହେଉଛି ଡ୍ରେନ୍ ଓ ଅନ୍ୟ ସ୍ଥାନରେ ମଶା ତେଲ ପକାଇବା। ଫଗିଂ ବା ମଶା ଧୂଆଁରେ ଅଳ୍ପ ମଶା ମରିଥାନ୍ତି, ଅଧିକ ଅନ୍ୟତ୍ର ଉଡ଼ି ଯାଇଥାନ୍ତି। ତେଣୁ ଏହା ବିଶେଷ ଫଳପ୍ରଦ ହୋଇ ନ ଥାଏ। ଅତିକମ୍‌ରେ ସପ୍ତାହରେ ଥରେ ଡ୍ରେନ୍‌ମାନଙ୍କରେ ମଶାତେଲ ପକାଯିବା ଜରୁରୀ। ଏହାସହ ମଶାଙ୍କ ଲାର୍ଭା ଖାଇବା ପାଇଁ ଥିବା ମାଛକୁ ଡ୍ରେନ୍ ଇତ୍ୟାଦିରେ ଛାଡ଼‌ିଲେ ସେମାନେ ଏହାକୁ ଖାଇଥାନ୍ତି। ତେଣୁ ମଶାମରା ପାଇଁ ଏକାଧିକ ଉପାୟ ଅବଲମ୍ବନ କରାଯାଇପାରିବ। ମାତ୍ର ଜଲ୍‌ଦି ନିୟନ୍ତ୍ରଣ ନ କଲେ, ଆସନ୍ତା ମାସେ, ଦୁଇମାସ ଭିତରେ ସ୍ଥିତି ଅଣାୟତ୍ତ ହୋଇପାରେ। ଯାହାକି ବିଭିନ୍ନ ପ୍ରକାର ରୋଗକୁ ଡାକି ଆଣିବ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି।

ମଶା ନିୟନ୍ତ୍ରଣ ପାଇଁ ସ୍ବାସ୍ଥ୍ୟ ବିଭାଗ ଅଧୀନରେ ଭୁବନେଶ୍ବରରେ ୪ଜଣ ଫାଇଲେରିଆ ଇନ୍ସପେକ୍ଟର ରହିଛନ୍ତି। ଏହାସହ ସୁପରଭାଇଜର ଓ ତଳସ୍ତରରେ କର୍ମଚାରୀଙ୍କୁ ମିଶାଇ ବିଏମ୍‌ସିରେ ଏହି ସଂଖ୍ୟା ପ୍ରାୟ ୧୮୦। ହେଲେ ଏସବୁ କର୍ମଚାରୀଙ୍କ କିଭଳି ଢଙ୍ଗରେ କାର୍ଯ୍ୟ କରୁଛନ୍ତି, ତାହାକୁ କେହି ଦେଖିବାକୁ ନାହିଁ। ମଶାମରା କାର୍ଯ୍ୟରେ ନିୟୋଜିତ ଅଧିକାଂଶ କର୍ମଚାରୀ ମନଇଚ୍ଛା ଡ୍ୟୁଟି କରୁଥିବା ଅଭିଯୋଗ ହେଉଛି। ଏପରିକି ଫାଇଲେରିଆ ଇନ୍ସପେକ୍ଟରଙ୍କ କ୍ଷେତ୍ରରେ ମଧ୍ୟ ସମାନ ଅଭିଯୋଗ ହେଉଛି। ଏତେସଂଖ୍ୟକ କର୍ମଚାରୀ କେବଳ ମଶାମରା କାର୍ଯ୍ୟରେ ନିୟୋଜିତ ହୋଇଥିଲେ ବି ଭୁବନେଶ୍ବରରେ ମଶା ନିୟନ୍ତ୍ରଣକୁ ଆସୁନାହିଁ କାହିଁକି ? ସେହିପରି ବିଏମ୍‌ସିର ମଶାମରା ମାଛ ଉତ୍ପାଦନ ପାଇଁ ନିଜସ୍ବ ହ୍ୟାଚେରି ମଧ୍ୟ ନାହିଁ। ପୂର୍ବରୁ ଯାତ୍ରୀ ନିବାସରେ ଏହି ହ୍ୟାଚେରି ଥିବା ବେଳେ ଦୀର୍ଘ ବର୍ଷ ଧରି ଏହା ବନ୍ଦ ହୋଇଯାଇଛି। କିଛି ଲୋକ ନିଜସ୍ବ ଉଦ୍ୟମରେ ଘରେ ଗାମ୍ବୁସିଆ, ଭୁମ୍ପି ଭଳି ଲାର୍ଭା ଖିଆ ମାଛ ରଖୁଛନ୍ତି। ତେବେ ରାଜ୍ୟର ଏକାଧିକ ହସ୍ପିଟାଲର ନିଜସ୍ବ ହ୍ୟାଚେରି ରହିଛି। ସେସବୁ ସ୍ଥାନରୁ ମଶା ଖିଆ ମାଛଙ୍କୁ ଆଣି ଭୁବନେଶ୍ବର ଡ୍ରେନ୍‌ରେ ଛାଡ଼ିବା ଲାଗି ମଧ୍ୟ ବିଏମ୍‌ସି ପକ୍ଷରୁ ଉଦ୍ୟମ କରାଯାଉନାହିଁ। ସମସ୍ତଙ୍କୁ ମଶା କାମୁଡ଼ିଥିଲେ ବି ନିୟନ୍ତ୍ରଣ ଲାଗି କେହି ପଦକ୍ଷେପ ନେଉନାହାନ୍ତି।

ସହରାଞ୍ଚଳ ସ୍ବାସ୍ଥ୍ୟ ଅଧିକାରୀ ଡା. ଦୀପକ ବିଶୋୟୀ କହିଛନ୍ତି, ନିକଟରେ ହୋଇଥିବା ନମୁନା ସର୍ବେକ୍ଷଣରେ ସାନ୍ଦ୍ରତା ୮୦ ଥିବା ଜଣାପଡ଼ିଛି। ଏଥିରେ କ୍ୟୁଲେକ୍ସ ମଶାର ଉପସ୍ଥିତ ନଜରକୁ ଆସିଛି। ତେଣୁ ଏହି ସାନ୍ଦ୍ରତାକୁ ହ୍ରାସ କରିବା ଲାଗି ଉଦ୍ୟମ କରାଯାଉଛି। ଏଥିପାଇଁ ଆବଶ୍ୟକ ମାଇକ୍ରୋପ୍ଲାନିଂ ପ୍ରସ୍ତୁତ କରାଯାଇଛି। ଏବେ ପ୍ରତି ୱାର୍ଡରେ ମଶାମରା କାର୍ଯ୍ୟରେ ୨ଜଣ ଲେଖାଏଁ କର୍ମଚାରୀ ନିୟୋଜିତ ହୋଇଛନ୍ତି। କମ୍ କର୍ମଚାରୀ ଓ ୱାର୍ଡ ସଂଖ୍ୟା ଅଧିକ ଥିବାରୁ ଗୋଟିଏ ୱାର୍ଡରେ ଦ୍ବିତୀୟଥର ଫଗିଂ ପାଇଁ ୪୦ଦିନ ଲାଗୁଛି। ତେଣୁ ଯେଉଁ ୱାର୍ଡରେ ଅଧିକ ମଶା ରହିଛନ୍ତି, ସେସବୁ ୱାର୍ଡରେ ସମାନ୍ତରାଳ ଭାବେ ଆଉ ଏକ ଟିମ୍‌କୁ ଏହି କାର୍ଯ୍ୟରେ ନିୟୋଜିତ କରିବା ଲାଗି ଆଲୋଚନା ହୋଇଛି। ବିଏମ୍‌ସିର ହ୍ୟାଚେରି ନ ଥିବାରୁ ମଶା ଲାର୍ଭାଖିଆ ମାଛ ଉତ୍ପାଦନ ହୋଇପାରୁନି। ତେଣୁ ବିଏମ୍‌ସି ଅଞ୍ଚଳରେ ଏକ ହ୍ୟାଚେରି ନିର୍ମାଣ ଲାଗି ବିଏମ୍‌ସିକୁ ପ୍ରସ୍ତାବ ଦିଆଯିବ। ଏହାସହ ଅନ୍ୟ ହସ୍ପିଟାଲରୁ ଲାର୍ଭା ଖାଉଥିବା ମାଛକୁ ମଧ୍ୟ ରାଜଧାନୀର ଡ୍ରେନ୍‌ରେ ଛାଡ଼ିବା ଲାଗି ଉଦ୍ୟମ କରାଯାଉଛି। ଧୀରେ ଧୀରେ ମଶା ନିୟନ୍ତ୍ରଣକୁ ଆସିବ ବୋଲି ଡା. ବିଶୋୟୀ ସୂଚନା ଦେଇଛନ୍ତି।