ଭୁବନେଶ୍ବର: ୩ ଛୁଆଙ୍କୁ ବିଷ ପିଆଇବା ପରେ ନିଜେ ବିଷ ପିଇ ମା’ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ହସ୍ତକ୍ଷେପ କରିଛନ୍ତି ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍ସିପିସିଆର)। ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଏହି ଘଟଣାକୁ ଅତ୍ୟନ୍ତ ସମ୍ବେଦନଶୀଳ କହିବା ସହ ଖୋର୍ଦ୍ଧା ଜିଲ୍ଲାପାଳ, ଶିଶୁ ସୁରକ୍ଷା ଅଧିକାରୀ, ଚନ୍ଦକା ଆଇଆଇସି, ମେଡିକାଲ କର୍ତ୍ତୃପକ୍ଷଙ୍କୁ ଆଜି ରିପୋର୍ଟ ତଲବ କରିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଛି, ଶିଶୁକୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି କି ନାହିଁ, ବର୍ତ୍ତମାନର ସ୍ଥିତି କ’ଣ ରହିଛି, ଏ ବାବଦରେ ରିପୋର୍ଟ ଆସିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି। ତା’ଛଡ଼ା ମା’ ଏଭଳି କାଣ୍ଡ କରିଥିବାରୁ ତା’ ଉପରେ ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ସେ କହିଛନ୍ତି।
ଗତ ଘଟଣାର ୩ଦିନ ପର୍ଯ୍ୟନ୍ତ ସିଡବ୍ଲୁସି(ଶିଶୁ ମଙ୍ଗଳ ସମିତି) ଅଜ୍ଞ ଥିବା ବେଳେ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଓଏସ୍ସିପିସିଆର) ମଧ୍ୟ ଚୁପ୍ ବସିଥିଲା। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଓଏସ୍ସିପିସିଆର୍ ହସ୍ତକ୍ଷେପ କରିଛନ୍ତି। ମା’ ନିଜେ ହତ୍ୟା ଉଦ୍ୟମ କରିଥିବାରୁ ଏହି ଦେଢ଼ବର୍ଷର ଶିଶୁକନ୍ୟାର ଭବିଷ୍ୟତ ନେଇ ପ୍ରଶ୍ନ ଉଠିଛି। ଏଣୁ ତା’ର ଉପଯୁକ୍ତ ଯତ୍ନ ଓ ସ୍ବାସ୍ଥ୍ୟସେବା ନେଇ ବ୍ୟବସ୍ଥା ହେବା ଆବଶ୍ୟକତା ରହିଛି। ଘଟଣାର ଗମ୍ଭୀରତାକୁ ଉପଲବ୍ଧି କରି ଓଏସ୍ସିପିସିଆର ଉପଯୁକ୍ତ ପଦକ୍ଷେପ ନେବ ବୋଲି ଅଧ୍ୟକ୍ଷା ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଦୁଇଦିନ ହେବ ଶିଶୁକନ୍ୟାର ମା’ ଜାନକୀ ଗାଗରାଇ ସୁସ୍ଥ ହୋଇ ଆଇସିୟୁରୁ ସାଧାରଣ ୱାର୍ଡକୁ ଆସିଛନ୍ତି। ତାଙ୍କ ନାମରେ ଶିଶୁପୁତ୍ରଙ୍କୁ ହତ୍ୟା କରିବା ଅପରାଧରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ତଦନ୍ତ ଅଧାବାଟରେ ଅଟକିଛି। ସମସ୍ତ ଘଟଣାର ସେ ହିଁ ଏକମାତ୍ର ଅଭିଯୁକ୍ତ ଓ ସାକ୍ଷୀ ହୋଇଥିବାରୁ ତଦନ୍ତ ଆଗେଇ ପାରୁନାହିଁ। ଅଦ୍ୟାବଧି ଚନ୍ଦକା ଥାନା ପୁଲିସ ତାଙ୍କୁ ପଚରାଉଚରା କରିନାହିଁ। ଏଣୁ ଘଟଣାର ୯ଦିନ ପରେ ମଧ୍ୟ ସ୍ଥିତି ଯଥାଂ ପୂର୍ବ ତଥା ପରଂ ହୋଇ ରହିଛି।
ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ୨୮ ତାରିଖରେ ତିନି ଶିଶୁଙ୍କୁ ବିଷ ଦେଇ ଜାନକୀ ନିଜେ ବିଷ ପିଇ ଦେଇଥିଲା। ଏଥିରେ ଦୁଇ ଶିଶୁ ପ୍ରାଣ ହରାଇଥିବା ବେଳେ ଦେଢ଼ବର୍ଷର ଶିଶୁକନ୍ୟା ମା’ ସହ ଅଳ୍ପକେ ରକ୍ଷା ପାଇ ଯାଇଥିଲା। ଘଟଣାର ୫ ଦିନ ପରେ ଭୁବନେଶ୍ବର ଚାଇଲ୍ଡ ଲାଇନ୍ ନିଜ ଆଡ଼ୁ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ସିଡବ୍ଲୁସି ଓ ଓଏସ୍ସିପିସିଆରକୁ ରିପୋର୍ଟ ପ୍ରଦାନ କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/Suicide_vb_74.jpeg)