ମାଉଣ୍ଟ ୟୁନାମରେ ଜାତୀୟ ପତାକା ଉଡ଼ାଇବ ‘ଗୋ ଇଣ୍ଡିଆ ଆଡଭେଞ୍ଚର’ ଟିମ୍

ଭୁବନେଶ୍ବର: ଗୋ ଇଣ୍ଡିଆ ଆଡଭେଞ୍ଚର ଟିମ୍ ପକ୍ଷରୁ ୧୫ଜଣିଆ ଟିମ୍‌ ହିମାଚଳପ୍ରଦେଶର ମାଉଣ୍ଟ ୟୁନାମ୍ ପର୍ବତ ଆରୋହଣ କରିବେ। ଏଥିପାଇଁ ଏହି ଟିମ୍ ଆସନ୍ତାକାଲି ଭୁବନେଶ୍ବରରୁ ହିମାଚଳପ୍ରଦେଶ ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡ଼ିଛି। ଏହି ପର୍ବତାରୋହୀମାନେ ଏକ ୯ ଦିନିଆ ପର୍ବତାରୋହଣ ଅଭିଯାନରେ ଯାଇ ଅଗଷ୍ଟ ୧୫ ତାରିଖରେ ୬୧୦୦ ମିଟର ଉଚ୍ଚ ମାଉଣ୍ଟ ୟୁନାମ୍‌ର ଶିଖରରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ସେମାନେ ଏଠାରେ ୨୪ଘଣ୍ଟା ରହି ୧୫୧ଫୁଟ୍‌ର ଜାତୀୟ ପତାକାକୁ ଉଡ଼ାଇବେ ଏବଂ କୋଭିଡ୍‌ ମହାମାରୀ ମୃତ୍ୟୁବରଣ କରିବା ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବୋଲି କହିଛନ୍ତି।

ଏହି ଉପଲକ୍ଷେ ଆଜି କଳିଙ୍ଗ ଷ୍ଟାଡିୟମ ଗେଟ୍-୩ ଠାରେ ଫ୍ଲାଗ୍ ଅଫ୍‌ ଉତ୍ସବ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗ ଦେଇ ପର୍ବତାରୋହୀମାନଙ୍କୁ ଉତ୍ସାହିତ କରିଥିଲେ। ସେ କହିଥିଲେ ଯେ ଏହା ଓଡ଼ିଶା ପାଇଁ ଏକ ଗର୍ବର କଥା। ପର୍ବତ‌ାରୋହୀଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ବ୍ୟବସ୍ଥା କରିଛନ୍ତି। ଅଭିନେତା ସବ୍ୟସାଚୀ ମିଶ୍ର ମଧ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇ ପର୍ବତାରୋହୀମାନଙ୍କୁ ପ୍ରେରଣା ଦେବା ସହ ଶୁଭକାମନା ଜଣାଇଥିଲେ। ଏହି ଅବସରରେ ଗୋ ଇଣ୍ଡିଆ ଆଡଭେଞ୍ଚର ଟିମ୍ ଲିଡର ନୀଳାଚଳ ପରିଡ଼ା କହିଥିଲେ ଯେ ଏହା ୪.୫କୋଟି ଓଡ଼ିଶାବାସୀଙ୍କ ପାଇଁ ଏହା ସମ୍ମାନର କଥା। ଏଭଳି କରି ଆମେ ଓଡ଼ିଶାରେ ଆଡଭେଞ୍ଚର ପର୍ଯ୍ୟଟନର ପ୍ରଚାର ପ୍ରସାର କରିବାର ଲକ୍ଷ୍ୟ ରଖିଛୁ। ଓଡ଼ିଶାରେ ୟୁଥ୍ ଆଡ୍‌ଭେଞ୍ଚରକୁ ପ୍ରୋତ୍ସାହିତ କରିବା ଆମ ଟିମ୍‌ର ଲକ୍ଷ୍ୟ ବୋଲି ଶ୍ରୀ ପରିଡ଼ା କହିଛନ୍ତି ।

ସମ୍ବନ୍ଧିତ ଖବର