ବିଦେଶରେ ପ୍ରିମିୟର ହେବ ‘ଦି ମାଉଣ୍ଟେନ୍‌ ହକି’

ଭୁବନେଶ୍ବର: ଓଡ଼ିଶାର ଡକ୍ୟୁମେଣ୍ଟାରି ‘ଦି ମାଉଣ୍ଟେନ୍‌ ହକି’ର ପ୍ରିମିୟର ଜର୍ମାନୀ, ସ୍ପେନ୍‌ ଓ ଦୁବାଇରେ ଅନୁଷ୍ଠିତ ହେବ। ସେପ୍ଟେମ୍ବର ଓ ଅକ୍ଟୋବରରେ ବିଶ୍ବସ୍ତରରେ ପ୍ରିମିୟର ହେବାକୁ ଥିବା ଏହି ଡକ୍ୟୁମେଣ୍ଟାରିର ଦାୟିତ୍ବ ବହନ କରିଛନ୍ତି ଆନ୍ତର୍ଜାତୀୟସ୍ତରର ଖ୍ୟାତିସମ୍ପନ୍ନ ଚଳଚ୍ଚିତ୍ର ନିର୍ମାତା ଜିତେନ୍ଦ୍ର ମିଶ୍ର। ଅବିନାଶ ପ୍ରଧାନ ଓ ଦେବଶିଷ ମହାପାତ୍ରଙ୍କ ଦ୍ବାରା ନିର୍ଦେଶିତ ଏହି ଡକ୍ୟୁମେଣ୍ଟାରିରେ ପ୍ରାଯୋଜନା ସିନେପିନର୍ ପ୍ରଡକ୍ସନ୍ସର ରାଜକିଶୋର ହୋତା ତୁଲାଇଛନ୍ତି। ୟୁଏଲ୍‌ବି ଫିଲ୍ମସ୍‌ ବିଶ୍ୱସ୍ତରରେ ପ୍ରଚାର ଦାୟିତ୍ବ ତୁଲାଉଛି। ତିନୋଟି ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଅଂଶଗ୍ରହଣ କରିବା ପାଇଁ ଏହି ଫିଲ୍ମକୁ ନିମନ୍ତ୍ରଣ ଆସିଥିବା ଜଣାପଡ଼ିଛି।

୨୯ ମିନିଟର ଏହି ଚଳଚ୍ଚିତ୍ରରେ ଜଣେ ଶିକ୍ଷକ, ହକି ପ୍ରଶିକ୍ଷକ ରାଜେନ୍ଦ୍ର କୁମାର କୁଜୁରଙ୍କ କାହାଣୀ ବର୍ଣ୍ଣନା କରାଯାଇଛି, ଯିଏକି ସମ୍ବଲପୁର ଜିଲ୍ଲାର ଆମଲିଖମାନ ଗ୍ରାମରେ ଅନେକ ଆଦିବାସୀ ଝିଅଙ୍କୁ ହକି ଶିକ୍ଷା ଦେବା ପାଇଁ ବହୁ ସଂଘର୍ଷ କରୁଛନ୍ତି। ଏହା କିଛି ଉତ୍ସାହୀ ଯୁବକଙ୍କର ଏକ ପ୍ରେରଣାଦାୟକ କାହାଣୀ। ଶ୍ରୀ ମିଶ୍ର କହିଛନ୍ତି ଯେ ଏହି ଚଳଚ୍ଚିତ୍ର ପଛରେ ଯୁବ ଚଳଚ୍ଚିତ୍ର ନିର୍ମାତାଙ୍କ ସଚ୍ଚୋଟ ଉଦ୍ଦେଶ୍ୟକୁ ପ୍ରଶଂସା କରୁଛି। ଏହି ପ୍ରକଳ୍ପରେ ସହଯୋଗ କରି ମୁଁ ବେଶ୍‌ ଖୁସି। ମୋର ମୂଳ ଉଦ୍ଦେଶ୍ୟ ହେଉଛି ଆମ ଅଞ୍ଚଳର ଚଳଚ୍ଚିତ୍ର ନିର୍ମାତା ଏବଂ ସକାରାତ୍ମକ କାହାଣୀକୁ ସମର୍ଥନ ଓ ପ୍ରୋତ୍ସାହିତ କରିବା। ଏଥିପାଇଁ ଆମେ ସମସ୍ତେ ଏକାଠି କାମ କରିବା ଉଚିତ୍।

ସମ୍ବନ୍ଧିତ ଖବର