ପଣା ସଂକ୍ରାନ୍ତି ପାଇଁ ଚଳଚଞ୍ଚଳ ରାଜଧାନୀ

ଭୁବନେଶ୍ୱର: ମହାବିଷୁବ ସଂକ୍ରାନ୍ତି ବା ପବିତ୍ର ପଣା ସଂକ୍ରାନ୍ତି ଅବସରରେ ରାଜଧାନୀ ଓ ଉପକଣ୍ଠ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ଆଜି ମୁଖ୍ୟତଃ ଉପକଣ୍ଠରେ ଥିବା ବିଭିନ୍ନ ଦେବୀ ମନ୍ଦିରରେ ଝାମୁଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଆସନ୍ତାକାଲି ପଣା ସଂକ୍ରାନ୍ତିକୁ ଦୃଷ୍ଟିରେ ରଖି ମନ୍ଦିର, ମଠ ଆଦିରେ ବ୍ୟାପକ ପ୍ରସ୍ତୁତି ହୋଇଛି। ଆସନ୍ତାକାଲି ପାଇଁ ରାଜଧାନୀରେ ଥିବା ଶ୍ରୀହନୁମାନ ମନ୍ଦିରଗୁଡ଼ିକରେ ପ୍ରବଳ ଜନସମାଗମ ହେବା ନିଶ୍ଚିତ। ବିଭିନ୍ନ ମନ୍ଦିରରେ ଭଜନ କୀର୍ତ୍ତନଠାରୁ ଆରମ୍ଭକରି ପ୍ରସାଦ ସେବନ କାର୍ଯ୍ୟକ୍ରମ ରଖାଯାଇଛି। ସନ୍ଧ୍ୟାରେ ମଧ୍ୟ ଭଜନ ସମାରୋହ ଓ ଅନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ।

ପଣା ସଂକ୍ରାନ୍ତିରେ ପଣା ସେବନ ଏକ ଅନନ୍ୟ ପରମ୍ପରା। ତେଣୁ ପଣା ତିଆରି ପାଇଁ ଘରେ ଘରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସେଥିପାଇଁ ଆବଶ୍ୟକ ଫଳ ଓ ଅନ୍ୟାନ୍ୟ ସାମଗ୍ରୀ କିଣିବା ପାଇଁ ଗତକାଲି ଓ ଆଜି ବିଶେଷକରି ଫଳ ବଜାରରେ ମଧ୍ୟ ପ୍ରବଳ ଭିଡ଼ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଫଳ ବ୍ୟବସାୟୀମାନେ ପଣାରେ ବ୍ୟବହୃତ ଫଳ, ଯେପରିକି ନଡ଼ିଆ, ବେଲ ଓ କଦଳୀ ଅଧିକ ପରିମାଣରେ ଗଚ୍ଛିତ ରଖିବା ସହିତ ଦରକୁ ମଧ୍ୟ ଅଚାନକ ଉଚ୍ଚା କରି ଦେଇଥିବାର ଦେଖାଯାଇଛି। ତଥାପି ଏକ ନମ୍ୱର ହାଟ, ଇନ୍ଦ୍ରଧନୁ ମାର୍କେଟ, ସିଆର୍‌ପି, ରସୁଲଗଡ଼, କଳ୍ପନା ଆଦି ସ୍ଥାନରେ ଥିବା ଫଳ ଦୋକାନ ସମେତ ଫୁଟପାଥ୍‌ରେ ମଧ୍ୟ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ୨୦ ଟଙ୍କାରେ ଆଗରୁ ବିକ୍ରି ହେଉଥିବା ନଡ଼ିଆ ଗତକାଲିଠାରୁ ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଛି। କିଛିଦିନ ତଳେ ୧୦ଟଙ୍କା ଅଥବା ୧୫ ଟଙ୍କାରେ ବିକ୍ରି ହେଉଥିବା ବେଲର ଦର ହଠାତ୍‌ ୩୦ରୁ ୫୦ ଟଙ୍କାରେ ପହଞ୍ଚି ଯାଇଛି। କଦଳୀ ଦର ତ ଆକାଶଛୁଆଁ ହୋଇଯାଇଛି। ବଡ଼ ଫଳ ଦୋକାନରେ କଦଳୀ ଡଜନ ପ୍ରତି ୯୦ରୁ ୧୦୦ ଟଙ୍କା ବିକ୍ରି ହେଉଥିବା ବେଳେ ଫୁଟପାଥ୍‌ରେ ୬୦ରୁ ୯୦ଟଙ୍କା ମଧ୍ୟରେ ବିକ୍ରି ହେଉଛି। ସେହିପରି ଭୋଗ ଦୋକାନ ଓ ତେଜରାତି ଦୋକାନମାନଙ୍କରେ ମଧ୍ୟ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଆକାର ଅନୁସାରେ ହନୁମାନ ପତାକାଗୁଡ଼ିକ ୬୦ ଟଙ୍କାରୁ ୧୦୦ଟଙ୍କା ମଧ୍ୟରେ ବିକ୍ରି ହେଉଛି। ଆକାର ଅନୁସାରେ ମାଟି ଠେକିଗୁଡ଼ିକର ଦାମ୍‌ ୩୦ଟଙ୍କାରୁ ୫୦ଟଙ୍କା ରହିଛି।

ଏନେଇ ଇନ୍ଦ୍ରଧନୁ ମାର୍କେଟର ବ୍ୟବସାୟୀ ଦୁର୍ଯ୍ୟୋଧନ ସାହୁ କହନ୍ତି, ସଂକ୍ରାନ୍ତି ଅବସରରେ ଲୋକମାନେ ନିଜ ନିଜ ଘରର ଚଉରା ଉପରେ ଲଗାଉଥିବା ବସୁନ୍ଧରା ଠେକିର ବ୍ୟବସାୟ ବହୁତ ଭଲ ହୋଇଛି। ଗତ ଦୁଇଦିନରେ ତାଙ୍କର ୧୫ ହଜାର ଟଙ୍କାର ଠେକି ବେପାର ହେଲାଣି ବୋଲି ସେ କହିଛନ୍ତି। ଛତୁଆର ଚାହିଦା ମଧ୍ୟ ବଢ଼ି ଯାଇଥିବା ଦେଖା ଯାଇଛି। ଖୋଲାରେ ବିକ୍ରି ହେଉଥିବା ବୁଟ ଛତୁଆର ଦାମ୍‌ ୨୫୦ ଗ୍ରାମକୁ ୩୦ଟଙ୍କା; ବୁଟ, ବାଦାମ, ଚିନି ମିଶ୍ରିତ ଛତୁଆ ୫୦ଟଙ୍କା ରହିଛି। କେବଳ ଏତିକି ନୁହେଁ, ଏହି ଅବସରରେ କ୍ଷୀର, ଦହି ଓ ଛେନାର ମଧ୍ୟ ଭଲ ବ୍ୟବସାୟ ହେଉଛି ବୋଲି ଡେଲ୍‌ଟା ଛକର ଛେନା ବ୍ୟବସାୟୀ ପ୍ରକାଶ ପ୍ରଧାନ କହିଛନ୍ତି। ଆଜି ଛେନା କିଲୋ ପ୍ରତି ୪୦୦ରୁ ୫୦୦ଟଙ୍କା ରହିଥିବା ବେଳେ ଦହି ଲିଟର ପିଛା ୪୦ଟଙ୍କାରେ ବିକ୍ରି ହୋଇଛି। ଆଜି ସନ୍ଧ୍ୟାସୁଦ୍ଧା ତାଙ୍କର ପାଖାପାଖି ୩୦ ଲିଟର ଦହି ସମେତ ୨୦ କେଜି ଛେନା ବିକ୍ରି ହୋଇଗଲାଣି ବୋଲି ପ୍ରକାଶ କହିଲେ। ଆସନ୍ତା କାଲି ସକାଳେ ଆହୁରି ଭଲ ବେପାର ହେବ‌ ବୋଲି ତାଙ୍କର ଆଶା।

ସମ୍ବନ୍ଧିତ ଖବର