ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର ସବୁଠୁ ଗହଳଚହଳ ଅଞ୍ଚଳ ହେଉଛି ୟୁନିଟ୍-୧(୧ ନମ୍ବର) ହାଟ। ନିତି ସକାଳେ ଓ ସଂଧ୍ୟାରେ ଏଠାରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗେ। କିନ୍ତୁ ହାଟରେ ପୂତିଗନ୍ଧମୟ ପରିବେଶ ଲୋକଙ୍କୁ ଅତିଷ୍ଠ କରୁଛି। ବଜାର ଭିତରେ ଜମିଥିବା ପାଣି ଓ ଆବର୍ଜନା ପଚି ଗନ୍ଧେଇଲାଣି। ଯାହା ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗର ବାହକ ସାଜିଛି। ସ୍ଥିତି ଏପରି ଯେ ଗ୍ରାହକ ବି ଏହି ବାଟ ଦେଇ ଗଲେ ନାକରେ କପଡ଼ା ଦେଇ ଯାଉଛନ୍ତି। ବର୍ଷା ପରେ ସ୍ଥିତି ସଂପୂର୍ଣ୍ଣ ବିଗିଡ଼ିଯାଇଛି। କାଦୁଅ ପଚପଚ ରାସ୍ତାକୁ ଦୁର୍ଗନ୍ଧମୟ ପରିବେଶ ସଂକ୍ରାମକ ପରିସ୍ଥିତି ସୃଷ୍ଟି କରିଛି।
ଭୁବନେଶ୍ବର ମହାନଗର ନିଗମର ପରିବେଶକୁ ସ୍ବଚ୍ଛ ରଖିବା ଓ ନିୟମିତ ଆବର୍ଜନା ଉଠାଇବା ପାଇଁ ସ୍ବଚ୍ଛ ସବାରୀ ସାଙ୍ଗକୁ ସୁପରଭାଇଜର୍, ସ୍ବଚ୍ଛସାଥୀଙ୍କୁ ନିୟୋଜିତ କରାଯାଇଛି। ସ୍ବତନ୍ତ୍ର ଅଧିକାରୀ ଦାୟିତ୍ବ ନ୍ୟସ୍ତ ଅଛନ୍ତି। ସ୍ବତନ୍ତ୍ର ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ ‘ବିଏମ୍ସି ସାଇନ୍’ ଟିମ୍ ବି ରହିଛନ୍ତି। ଏମାନେ ଆବର୍ଜନା ପକାଇ ଭୁବନେଶ୍ବରର ପରିବେଶକୁ ଅସୁନ୍ଦର ଓ ପ୍ରଦୂଷିତ କରୁଥିବା ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ। କିନ୍ତୁ ୧ ନମ୍ବର ହାଟରୁ ଆବର୍ଜନା ନ ଉଠିବା ଓ ପୂତିଗନ୍ଧମୟ ପରିବେଶ ଭିତରେ ଲୋକେ ଯା’ଆସ କରିବା, ଭୁବନେଶ୍ବର ମହାନଗର ନିଗମର ସ୍ବଚ୍ଛତାକୁ ଉପହାସ କରୁଛି।
୧ ନମ୍ବର ହାଟ ପନିପରିବା ବଜାର ପଛପାର୍ଶ୍ବକୁ ରହିଛି ପାଇକାରୀ ବେପାରୀଙ୍କ ଗୋଦାମ ଘର। ଏଠାରେ ନିୟମିତ ଗାଡ଼ି ସହ ଖୁଚୁରା ବେପାରୀଙ୍କ ଭିଡ଼ ଲାଗୁଛି। ଗ୍ରାହକମାନେ ବି ଏହି ବାଟ ଦେଇ ଯା’ଆସ କରୁଛନ୍ତି। କିନ୍ତୁ ଏହି ଜାଗା ଗାଁଠାରୁ ବି ହୀନ। ଖରା-ବର୍ଷାରେ ବି ରାସ୍ତା କାଦୁଅ ପଚପଚ। ସାମାନ୍ୟ ଅନ୍ୟମନସ୍କ ହେଲେ କଚଡ଼ା ଖାଇବା ସୁନିଶ୍ଚିତ। ସେପଟେ ପାଖରେ ପାହାଡ଼ ଉଚ୍ଚ ଅଳିଆ ଗଦା ହେଉଛି। ବଜାରର ବ୍ୟବସାୟୀମାନେ ଏଠାରେ ପଚା ପନିପରିବାଠାରୁ ଆରମ୍ଭ କରି କଦଳୀ କାନ୍ଦି, ଛିଣ୍ଡା ଦଦରା ଆସବାବ ସବୁ ପକାଉଛନ୍ତି। ବର୍ଷା ପରେ ଥିରୁ ଉତ୍କଟ ଦୁର୍ଗନ୍ଧ ବାହାରୁଛି। ମଶା, ମାଛିଙ୍କ ବାସସ୍ଥଳୀ ପାଲଟିଯାଇଛି। ସେପଟେ ରାସ୍ତାରେ ଅନେକ ଜାଗାରେ ଖାଲଖମା ରହିଛି। ଯେଉଁଠି ପାଣି ଜମୁଛି। ଏହି ପାଣି ବହୁଦିନ ଜମି ରହି ପଚି କଳା କିଟିକିଟି ଦିଶିଲାଣି। ମଶା ବି ଏଥିରେ ଅଣ୍ଡା ଦେଉଛନ୍ତି। ଏକାଧିକ ସ୍ଥାନରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ସ୍ଥାନୀୟ ପାଇକାରୀ ବ୍ୟବସାୟୀମାନେ କହିଛନ୍ତି, ବହୁଦିନରୁ ଏହି ରାସ୍ତାକୁ କଂକ୍ରିଟ୍ ଅବା ପିଚୁ କରିବାକୁ ଦାବି କରି ଆସୁଛୁ। କିନ୍ତୁ ବିଏମ୍ସି ଶୁଣୁନି। ଯେହେତୁ ମାଟି ରାସ୍ତା, ପାଣି ପଡ଼ିଲା ମାତ୍ରେ ଯିବା କାଠିକର। ବର୍ଷା ଦିନେ ତ’ ସ୍ଥିତି ଅସମ୍ଭାଳ। କାଦୁଅ ପଚପଚ ହେଉଛି। ଗାଡ଼ି ପଶି ପାରୁନି। ମାଟି ରାସ୍ତା ଖାଲ ହୋଇଗଲେ ବି ମାଟି ମୁଠେ ପଡ଼ୁନି। ସେପଟେ ପାଖରେ ଆବର୍ଜନା ପଡ଼ୁଥିବାରୁ ଆମକୁ ବି ଭଲ ଲାଗୁନି। ଏ ଦିଗରେ ଆମେ ଭୁବନେଶ୍ବର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛୁ। ବିଏମ୍ସି ବରିଷ୍ଠ ପରିମଳ ନିରୀକ୍ଷକ ସ୍ମୃତିରଂଜନ ବଳ କହିଛନ୍ତି, ବିଏମ୍ସି ପକ୍ଷରୁ ନିୟମିତ ୧ ନମ୍ବର ହାଟରୁ ଆବର୍ଜନା ଉଠାଯାଉଛି। ଲୋକଙ୍କୁ ବି ପରିବେଶକୁ ପ୍ରଦୂଷିତ ନ କରିବା, ଏଣେତେଣେ ଆବର୍ଜନା ନ ଫିଙ୍ଗିବାକୁ ନିୟମିତ ପରାମର୍ଶ ଦେଉଛୁ। କିନ୍ତୁ ଲୋକେ ଯେ ପର୍ଯ୍ୟନ୍ତ ନିଜେ ସଚେତନ ନ ହେବେ, ଆମେ ଯେତେ ସଫା କଲେ ବି ସ୍ଥିତିରେ ପରିବର୍ତ୍ତନ ଆସିବନି। ବାକି ଯେଉଁ ଜାଗାରେ ପାଣି ଜମି ଓ ଆବର୍ଜନା ପଡ଼ି ଏଭଳି ସ୍ଥିତି ସୃଷ୍ଟି ହୋଇଛି, ତାର ତ୍ବରିତ ପ୍ରତିକାର ବ୍ୟବସ୍ଥା କରିବୁ।
କାଦୁଅ ପଚପଚ, ଗନ୍ଧାଇଲାଣି
ଭୁବନେଶ୍ବର ମହାନଗର ନିଗମର ସବୁଠୁ ଗହଳଚହଳ ଅଞ୍ଚଳ ହେଉଛି ୟୁନିଟ୍-୧(୧ ନମ୍ବର) ହାଟ। ନିତି ସକାଳେ ଓ ସଂଧ୍ୟାରେ ଏଠାରେ ହଜାର ହଜାର ଲୋକଙ୍କ ଭିଡ଼ ଲାଗେ। କିନ୍ତୁ ହାଟରେ ପୂତିଗନ୍ଧମୟ ପରିବେଶ ଲୋକଙ୍କୁ ଅତିଷ୍ଠ କରୁଛି। ବଜାର ଭିତରେ ଜମିଥିବା ପାଣି ଓ ଆବର୍ଜନା ପଚି ଗନ୍ଧେଇଲାଣି।
/sambad/media/media_files/2025/06/25/asgdfhgjfgh-2025-06-25-05-46-13.jpg)